ମଙ୍ଗଳବାର ଠାରୁ ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରିଛନ୍ତି। ତେବେ ବିଧାନସଭାର ପ୍ରଥମ ଦିନରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଯାହା କୁହାଯାଇପାରିବ ଗଣତନ୍ତ୍ରର ସୌନ୍ଦର୍ଯ୍ୟ।
ପ୍ରଥମଥର ବିଧାନସଭା ଗୃହ ଭିତରେ ନବୀନ ପଟ୍ଟନାୟକ ଏବଂ ଲକ୍ଷ୍ମଣ ବାଗ୍ ସାମ୍ନା ସାମ୍ନି ହୋଇଛନ୍ତି। ଶପଥପାଠ ପରେ ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ହୋଇଯାଇଥିଲେ ଲକ୍ଷ୍ମଣ। ଆଉ ଛିଡ଼ା ହୋଇ ନମସ୍କାର କରି ନିଜ ପରିଚୟ ଦେଇଥିଲେ । ପରିଚୟ ପାଇ ନବୀନ ମଧ୍ଯ ନମସ୍କାର ସହ ଲକ୍ଷ୍ମଣ ବାଗ୍ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ନବୀନ ଲକ୍ଷ୍ମଣଙ୍କୁ କହିଥିଲେ, ଓଃ ୟୁ ଡିଫିଟେଡ ମି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଯୋଗ୍ୟ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ନବୀନ ଲକ୍ଷ୍ମଣ ବାଗ୍ଙ୍କଠାରୁ ହାରିଯାଇଛନ୍ତି। ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିଲେ। କଣ୍ଟାବାଞ୍ଜିରୁ ବିଜେପି ପ୍ରାର୍ଥୀ ତାଙ୍କୁ କଡା ଟକ୍କର ଦେଇଥିଲେ। ଲକ୍ଷ୍ମଣ ବାଗ୍ ୧୬,୩୨୧ ଖଣ୍ଡ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିଥିଲେ। ଲକ୍ଷ୍ମଣ ବାଗ୍ ୯୦,୫୯୦୪ ଖଣ୍ଡ ଭୋଟ ପାଇଥିବା ବେଳେ ନବୀନ ୭୪,୨୭୩ ଖଣ୍ଡ ଭୋଟ ପାଇଥିଲେ।