ଅହମଦାବାଦ, ଫେବୃଆରୀ ୨୩ (ଖବର ଓଡ଼ିଶା): ଗୁଜରାଟର ଭରୁଚ ଜିଲ୍ଲାରେ ମଙ୍ଗଳବାର ଭୋର ସକାଳୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଝଗଡ଼ିଆସ୍ଥିତ ଏକ କ୍ୟାମିକାଲ କଂପାନୀ ୟୁପିଏଲ-୫ କାରଖାନାରେ ବିସ୍ଫୋରଣ ହୋଇଛି । ଏହା ପରେ କାରଖାନାରେ ନିଆଁ ଲାଗିଛି । ଏଥିରେ ୨୪ ଜଣ ଲୋକ ଆହତ ହୋଇଛନ୍ତି । କୁହାଯାଉଛି ଯେ, ମଙ୍ଗଳବାର ଭୋର ୨ଟାରେ ଏହି ବିସ୍ଫୋରଣ ହେବା ପରେ ନିଆଁ ଲାଗିଥିଲା ।
ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି । କଂପାନୀର ସିଏମ୍ ନାମକ କାରଖାନାରେ ନିଆଁ ଲାଗି ଦୁର୍ଘଟଣା ହୋଇଛି । ବିସ୍ଫୋରଣରେ ଏତେ ଭୟଙ୍କର ଶବ୍ଦ ହୋଇଥିଲା ଯେ, ଏହା ୧୫କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । ବିସ୍ଫୋରଣ କାରଣରୁ ଆଖପାଖ ଗାଁରେ ଭୂକମ୍ପ ଭଳି ଅନୁଭୂତ ହୋଇଥିଲା ।