ଲଖନଉ: ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଦିଲ୍ଲୀରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳିକୁ ନେଇ ଆଇନଜୀବୀମାନେ ଜୋରଦାର ବିରୋଧ ପ୍ରଦର୍ଶନର ଘୋଷଣା କରିଛନ୍ତି । ହାଇକୋର୍ଟ ବାର ଆସୋସିଏସନ ମଙ୍ଗଳବାର ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ହଡତାଳ ଘୋଷଣା କରିଛି । ସୋମବାର ବିଳମ୍ବିତ ସନ୍ଧ୍ୟାରେ ବାର ସଭାପତି ଅନିଲ ତିୱାରୀଙ୍କ ବାସଭବନରେ ବାର ପଦାଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ କଲେଜୟମ ଜଷ୍ଟିସ ବର୍ମାଙ୍କ ବଦଳି ନିର୍ଣ୍ଣୟ ପ୍ରତ୍ୟାହାର ନ କରିଛି, ସେ ପର୍ଯ୍ୟନ୍ତ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ । ଏହା ପୂର୍ବରୁ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବାସଭବନରେ କୋଟି କୋଟି ଟଙ୍କା ମିଳିବା ମାମଲାରେ ଆହ୍ଲାବାଦ ହାଇକୋର୍ଟ ବାର ସୋମବାର ସାଧାରଣ ବୈଠକ କରିଥିଲେ ।
ବୈଠକରେ ସହମତିରେ ପ୍ରସ୍ତାବ ପାରିତ ହୋଇଛି ଯେ, ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ କୋଟି କୋଟି ଟଙ୍କା ମିଳିବା ମାମଲାରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଉ । ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ । ତଦନ୍ତ ନ ସରିବା ପର୍ଯ୍ୟନ୍ତ ତାଙ୍କୁ ଅନ୍ୟ କୌଣସି ହାଇକୋର୍ଟକୁ ବଦଳି କରା ନ ଯାଉ । ଏହା ସହିତ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ମଧ୍ୟ ବାର ଆସୋସିଏସନ ସୁପାରିଶ କରିଛି ।
ଜଜଙ୍କ ନିଯୁକ୍ତିରେ ପରିବାରବାଦ ସମାପ୍ତ କରିବାକୁ ମଧ୍ୟ ସାଧାରଣ ସଭାରେ ଦାବି ଉଠିଛି । ଜଜଙ୍କ ପରିବାରର ଓ ସଂପର୍କୀୟଙ୍କ ଯେତେ ବି ଜଜ ଅଛନ୍ତି, ସେମାନଙ୍କୁ ଅନ୍ୟ ହାଇକୋର୍ଟକୁ ବଦଳି କରାଯାଉ । ଆହ୍ଲାବାଦ ହାଇକୋର୍ଟରେ ଖାଲି ଥିବା ଜଜ ପଦରେ ନିଯୁକ୍ତି ଦେବାକୁ ମଧ୍ୟ ଦାବି ଉଠିଛି । ଏହି ବୈଠକ ପରଠୁ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।