ମୁମ୍ବାଇ: ମଝି ସମୁଦ୍ରରେ ବୁଡି ଯାଉଥିଲେ ଭାରତୀୟ, ମାନବିକତା ଦେଖାଇ ଆଗେଇ ଆସିଲା ପାକିସ୍ତାନ ସେନା
- ପାକିସ୍ତାନର ‘ଅପରେସନ୍ ମୁମ୍ବାଇ’!
- ମଝି ସମୁଦ୍ରରେ ଭାରତ-ପାକିସ୍ତାନର ରେସ୍କ୍ୟୁ ଅପରେସନ
- ୧୨ ଭାରତୀୟଙ୍କ ଜୀବନ ବଞ୍ଚାଇଲା ପାକିସ୍ତାନ ନୌସେନା
ଭାରତ ଏବଂ ପାକିସ୍ତାନ ସେନା ମିଳିତ ହୋଇ ଏକ ରେସ୍କ୍ୟୁ ଅପରେସନ କରିଛନ୍ତି । ଦୁଇ ଦେଶ ମଧ୍ୟରେ ସବୁବେଳେ ଶତ୍ରୁତା ଲାଗିରହୁଥିବା ଆମେ ଦେଖିବାକୁ ପାଇଥାଉ, ହେଲେ ପ୍ରଥମଥର ଆରବ ସାଗରରେ ଦୁଇ ଦେଶର ନୌସେନା ଏକାଠି ହୋଇ ୧୨ ଜଣ ଭାରତୀୟଙ୍କ ଜୀବନ ବଞ୍ଚାଇଛନ୍ତି ।
ଘଟଣାନୁକ୍ରମେ ଯେତେବେଳେ ୧୨ ଜଣ ଭାରତୀୟ ଉତ୍ତର ଆରବ ସାଗରରେ ଅଲ ପରିନ୍ପିର୍ ନାମକ ଏକ ଜାହାଜ ଯୋଗେ ଯାତ୍ରା କରୁଥିଲେ, ଜାହାଜଟି ପୋର ବନ୍ଦରରୁ ଇରାନ୍ ଅଭିମୁଖେ ଯିବା ବେଳେ ମଝି ସମୁଦ୍ରରେ ଦୁର୍ଘଟଣାର ଶିକାର ହୋଇଥିଲା । ଜାହାଜ ବୁଡିଯାଉଥିବା ଘଟଣା ଏକ ଡିଷ୍ଟ୍ରେସ୍ କଲ ଯୋଗେ ପ୍ରଥମେ ମୁମ୍ବାଇସ୍ଥିତ ମେରିଟାଇମ୍ ରେସ୍କ୍ୟୁ କୋର୍ଡିନେସନ ସେଣ୍ଟରରୁ ଆସିଥିଲା । ପରେ ଗାନ୍ଧିନଗରର କୋଷ୍ଟଗାର୍ଡ ହେଡକ୍ୱାଟର୍ସକୁ ଏନେଇ ଖବର ଦିଆଯାଇଥିଲା । ମେସେଜ ମିଳିବା ମାତ୍ରେ କୋଷ୍ଟଗାର୍ଡ ନିଜ ରେସ୍କ୍ୟୁ ଅପରେସନ ଆରମ୍ଭ କରିଦେଇଥିଲା । ଏହି ରେସ୍କ୍ୟୁ ଅପରେସନ ମିଶନରେ ଭାରତୀୟ ତଟରକ୍ଷା ବାହୀନି ଓ ପାକିସ୍ତାନୀ ସମୁଦ୍ର ସୁରକ୍ଷା ଏଜେନ୍ସି ମଧ୍ୟରେ ପୂରା ମିଳିତ ସହଯୋଗ ଦେଖିବାକୁ ମିଳିଛି ।
ସମୁଦ୍ରରେ ଖରାପ ପାଗ ଯୋଗୁଁ ଦ୍ୱାରିକାଠୁ ପାଖାପାଖି ୨୧୭ କିଲୋମିଟର ଦୂରରେ ଜାହାଜଟି ବୁଡିବାକୁ ଲାଗୁଥାଏ, ଏହି ସମୟରେ ଲୋକମାନେ ଜୀବନ ବଞ୍ଚାଇବାକୁ ଏକ ଡଙ୍ଗିକୁ ଓହ୍ଲାଇ ଆସିଥିଲେ । ତେବେ ମଝି ସମୁଦ୍ର ମଧ୍ୟରେ ସେମାନଙ୍କୁ ଠାବ କରିବା ଏତେ ସହଜ ହୋଇନଥିଲା । ଏହି ଅପରେସନ ମିଶନରେ ପାକିସ୍ତାନ ପକ୍ଷରୁ ବାୟୁସେନା ମଧ୍ୟ ଯୋଗାଇ ଦିଆଯାଇଥିଲା । ପାକ୍ର ଏମଏସଏ ବିମାନ ସେମାନଙ୍କୁ ଆକାଶମାର୍ଗରୁ ଠାବ କରିବାରେ ସଫଳ ହୋଇଥିଲା । ଏଥିସହ ପାକିସ୍ତାନ ସୁରକ୍ଷା ଏଜେନ୍ସି ମଧ୍ୟ ତୁରନ୍ତ ସେଠାରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବାକୁ ଲାଗିଲା । ଶେଷରେ ସମସ୍ତ ୧୨ଜଣ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କୁ ଭାରତୀୟ ‘ସାର୍ଥକ’ରେ ପୋର୍ ବନ୍ଦର ଅଣାଯାଇଛି ।