ନୂଆଦିଲ୍ଲୀ: ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଛି । ସେ ଏବେ ରାଜୀବ କୁମାରଙ୍କ ସ୍ଥାନ ନେବେ । ୧୯୮୮ ବ୍ୟାଚର କେରଳ କ୍ୟାଡରର ଆଇଏଏସ ଅଫିସର ହେଉଛନ୍ତି ଜ୍ଞାନେଶ କୁମାର । ତାଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଜ୍ଞାନେଶ କୁମାର ନିର୍ବାଚନ କମିଶନର ନିଯୁକ୍ତି ସଂପର୍କିତ ନୂତନ ଆଇନ ଆଧାରରେ ନିଯୁକ୍ତ ହେବାରେ ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର । ଏହି ନୂଆ ଆଇନ ଆଧାରରେ ସିଇସି ଚୟନ ପାଇଁ ଗଠିତ କମିଟିରେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ ଗୃହ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଚୟନ କମିଟି ଜ୍ଞାନେଶଙ୍କ ନାଁ ଉପରେ ମୋହର ମାରିଛନ୍ତି ଏବଂ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି । ଜ୍ଞାନେଶ ବର୍ତ୍ତମାନ ନିର୍ବାଚନ ଆୟୋଗରେ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି ।
ନିର୍ବାଚନ ଆୟୋଗରେ କମିଶନର ଭାବେ କାର୍ଯ୍ୟ କରିବା ପୂର୍ବରୁ ଜ୍ଞାନେଶ କୁମାର ଅନେକ ପ୍ରମୁଖ ପଦରେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୁଗ୍ମ ସଚିବ, ଗୃହ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବ, ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟରେ ସଚିବ ଓ ସହକାରିତା ମନ୍ତ୍ରଣାଳୟରେ ସଚିବ ପରି ପଦରେ କାମ କରିଛନ୍ତି ।
ସେ ଆଇଆଇଟି କାନପୁରରେ ସିଭିଲ ଇଞ୍ଜିନିୟରିଂରେ ବିଟେକରେ ଡିଗ୍ରୀ ପ୍ରାପ୍ତ କରିଛନ୍ତି । ଏହା ସହିତ ଆଇସିଏଫଏଆଇରୁ ବିଜନେଓ ଫାଇନାନ୍ସ ଓ ଏଚଆଇଏଲଡି, ହାଭାର୍ଡ ୟୁନିଭର୍ସିଟିରୁ ପରିବେଶ ଅର୍ଥଶାସ୍ତ୍ରରେ ଅଧ୍ୟୟନ କରିଛନ୍ତି । ଏହା ପୂର୍ବରୁ ଜ୍ଞାନେଶ କୁମାର ଗୃହ ମନ୍ତ୍ରଣାଳୟରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହିତ ମଧ୍ୟ କାମ କରିଛନ୍ତି ।