ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିପାରି ନାହିଁ। ବୁଧବାର କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ତାଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଏହା ଉପରେ କୋର୍ଟ କହିଛନ୍ତି ଯେ ଆମେ କୌଣସି ଅନ୍ତରୀଣ ଜାମିନ ଦେଇପାରିବୁ ନାହିଁ।
ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ତାଙ୍କ ବିରୋଧରେ ରୁଜୁ କରିଥିବା ମାମଲାରେ ଜାମିନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ସିବିଆଇକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୩ରେ ହେବ ବୋଲି କୋର୍ଟ କହିଛନ୍ତି। ମଦ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପ୍ରାୟ ୧୭ ମାସ ପରେ ଜାମିନ ମିଳିଛି।
ଶୁଣାଣି ସମୟରେ ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ୩ ଥର ଅନ୍ତରୀଣ ଜାମିନ ମିଳିଛି। ମେ' ୧୦ ଓ ଜୁଲାଇ ୧୨ତାରିଖରେ ତାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିଥିଲା। ମନି ଲଣ୍ଡରିଂ ମାମଲାରେ ଜୁନ୍ ୨୦ରେ ନିମ୍ନ ଅଦାଲତ ଦେଇଥିବା ଜାମିନ ଆଦେଶକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ସିଙ୍ଘଭି କହିଛନ୍ତି ଯେ ନିମ୍ନ ଅଦାଲତଙ୍କ ଆଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ରୋକ୍ ଲଗାଇଛନ୍ତି। କଠୋର ସର୍ତ୍ତ ନଥିବା ବେଳେ ସିବିଆଇ ମାମଲାରେ ଜାମିନ୍ କିପରି ନାମଞ୍ଜୁର କରାଯାଇପାରିବ ବୋଲି ସେ ଯୁକ୍ତି ବାଢ଼ିଥିଲେ।
ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ ଇଡି ମାମଲାରେ ଅନ୍ତରୀଣ ଜାମିନ ପୂର୍ବରୁ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା, ତେଣୁ ସେ ଏବେ ବି ଜେଲରେ ଅଛନ୍ତି। ସେ କେବଳ ଅନ୍ତରୀଣ ଜାମିନ ଚାହୁଁଛନ୍ତି। କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ମାମଲାର ଶୀଘ୍ର ଶୁଣାଣି କରିବାକୁ କୋର୍ଟଙ୍କୁ ଅନୁରୋଧ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଆମେ କୌଣସି ଅନ୍ତରୀଣ ଜାମିନ ଦେଉନାହୁଁ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୩ରେ ହେବ ବୋଲି ସୁପ୍ରିମ୍ କୋର୍ଟ ଧାର୍ଯ୍ୟ କରିଛନ୍ତି।