ଖବର ଓଡ଼ିଶା: ଦେଶର ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଯୁକ୍ତ ରାଷ୍ଟ୍ର ଆମେରିକା ଭାରତକୁ ଶୁଭେଚ୍ଛା ଜଣାଇଛି । ପୂର୍ବ ଅପେକ୍ଷା ଭାରତ ଓ ଆମେରିକାର ସମ୍ପର୍କ ଆହୁରି ଅଧିକ ମଜବୁତ ହୋଇଛି ବୋଲି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି । ଲୋକଙ୍କ ଶାନ୍ତି ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରତିକୁଳ ପରିସ୍ଥିତିକୁ ସାମ୍ନା କରିବାକୁ ଆମେରିକା ଭାରତ ସହିତ ଅଛି ବୋଲି କହିଛନ୍ତି । ସେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଶଂସା କରିଛନ୍ତି ।
ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆମେରିକା ତରଫରୁ ସ୍ୱାଧୀନତା ଦିବସରେ ଭାରତର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ଆମେରିକା-ଭାରତ ସମ୍ପର୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି । ଏକ ମୁକ୍ତ, ଖୋଲା, ସ୍ଥିର ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରରେ ଉଭୟ ଦେଶ ମିଳିତ ଭାବରେ କାର୍ଯ୍ୟ ଜାରି ରଖିଥିବାରୁ ଆମେରିକା-ଭାରତ ସହଯୋଗ ଦ୍ରୁତ ଗତିରେ ବଢୁଛି ବୋଲି ସେ କହିଛନ୍ତି । ସେହିପରି ପୂର୍ବ ଅପେକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ ହୋଇଛି । ଦୁନିଆର ସବୁଠୁ ପୁରୁଣା ଓ ସବୁଠୁ ବଡ଼ ଗଣତନ୍ତ୍ର ରୂପରେ ଆମେ ଦୁଇ ଦେଶ ମଧ୍ୟରେ ମଜବୁତ ସମ୍ପର୍କ ନିର୍ମାଣ କରିଛୁ । ଯାହାକି ଧିରେ ଧିରେ ଅଧିକ ମଜବୁତ ହେଉଛି ବୋଲି ବ୍ଲିଙ୍କେନ୍ କହିଛନ୍ତି ।
ବ୍ଲିଙ୍କେନ୍ କହିଛନ୍ତି ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଠାରୁ ଆରମ୍ଭ କରି ପ୍ରତିରକ୍ଷା ଏବଂ ମହାକାଶ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ଆମେରିକା-ଭାରତ ଦ୍ୱିପାକ୍ଷିକ ସହଯୋଗ ପୂର୍ବ ଅପେକ୍ଷା ବ୍ୟାପକ ଏବଂ ଶକ୍ତିଶାଳୀ ହୋଉଛି । ଭାରତ ଏବଂ ଆମେରିକା ଏକ ଐତିହାସିକ ସ୍ମାରକପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି । ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପ୍ରୟାସରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଅଧୀନରେ ଉଭୟ ଦେଶର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଶ୍ୱ ବଜାରରେ ଅଂଶଗ୍ରହଣ କରିବା ଏବଂ ବାଣିଜ୍ୟକୁ ପ୍ରୋତ୍ସାହିତ କରିବାର କ୍ଷମତା ପାଇବ । ଏଥିରେ ଉଭୟ ପକ୍ଷରେ ଏମଏସଏମଇରେ ସହାୟତା ପାଇବେ ।