ନୂଆଦିଲ୍ଲୀ, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): ପାକିସ୍ତାନ ପୁଣି ଥରେ ସଂଯୁକ୍ତ ରାଷ୍ଟ୍ରରେ କଶ୍ମୀର ପ୍ରସଙ୍ଗ ଉଠାଇଛି । ଶୁକ୍ରବାର ବିଳମ୍ବିତ ରାତି (ଭାରତୀୟ ସମୟ ଅନୁସାରେ) ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ଶାନ୍ତି ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତି ଆମେ ଭାରତ ସହିତ ନିଜର ସମସ୍ତ ପଡୋଶୀଙ୍କ ସହିତ ଶାନ୍ତି ଚାହୁଁଛୁ । ମାତ୍ର ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ଜମ୍ମୁ ଓ କଶ୍ମୀର ବିବାଦର ନ୍ୟାୟସଂଗତ ଓ ସ୍ଥାୟୀ ସମାଧାନ ଉପରେ ନିର୍ଭର କରୁଛି ।
ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଶହବାଜ ଶରୀଫ କହିଛନ୍ତି ଯେ, ଭାରତକୁ ରଚନାତ୍ମକ ସଂଯୋଗୀକରଣ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ ନିଆଯିବା ଦରକାର । ଆମେ ପଡୋଶୀ ଏବଂ ସବୁଦିନ ପାଇଁ ରହିବୁ । ଆମକୁ ବାଛିବାର ଅଛି ଯେ, ଆମେ ଶାନ୍ତିରେ ରହିବା ନାଁ ଅନ୍ୟ ସହିତ ଲଢ଼େଇ କରିବା ।
ସେ କହିଛନ୍ତି ଯେ, ୧୯୪୭ ମସିହା ପରେ ୩ ଥର ଯୁଦ୍ଧ ହୋଇଛି । ଏହାର ପରିଣାମ କେବଳ ଦୁଃଖ, ଗରିବି ଓ ବେରୋଜଗାର ବଢ଼ିଛି । ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ ଚର୍ଚ୍ଚା ମାଧ୍ୟମରେ ନିଜର ମତଭେଦ, ଆମର ସମସ୍ୟା ଓ ଆମର ପ୍ରସଂଗକୁ ଦୂର କରିହେବ । ମୁଁ ଭାବୁଛି ଯେ, ସମୟ ଆସିଛି । ଭାରତ ଏହି ବାର୍ତ୍ତାକୁ ବୁଝୁ ଏବଂ ସହଯୋଗ କରୁ । ଯୁଦ୍ଧ କୌଣସି ବିକଳ୍ପ ନୁହେଁ । କେବଳ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ହିଁ ପ୍ରସଂଗର ସମାଧାନ ହୋଇପାରିବ । ଏହା ଦ୍ୱାରା ବିଶ୍ୱ ଅଧିକ ଶାନ୍ତିପୂର୍ଣ୍ଣ ହୋଇପାରିବ ।