ବାରିପଦା: ବିପୁଳ ପରିମାଣର ସୁନା ସହ ଏକ ଲଜିଷ୍ଟିକ୍ ଗାଡ଼ିକୁ ଜବତ କରିଛି ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ପ୍ରବର୍ତ୍ତନ ୟୁନିଟ (GST) ବିଭାଗ । ଗାଡ଼ିରେ ପ୍ରାୟ ୨୦ କିଲୋରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଥିବା ଜଣାପଡ଼ିଛି । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରସ୍ଥିତ ଏ ମ କେସି ହାଇସ୍କୁଲ ଛକରେ ଗାଡ଼ିକୁ ଧରିଛି ଜିଏସିଟି ବିଭାଗ । ଏଥିରେ ୩ ଜଣଙ୍କୁ ଅଟକ ରଖାଯାଇଛି । ଜିଏସଟି ଫାଙ୍କି ସୁନା ଦୋକାନୀମାନେ ସୁନା ଆମଦାନୀ କରୁଥିବା ସନ୍ଦେହ କରାଯାଉଛି ।
ସିକ୍ୱଏଲ କମ୍ପାନୀର ଏକ ଲଜିଷ୍ଟିକ ଗାଡ଼ିରେ ସୁନା ଅଳଙ୍କାର ନିଆଯାଉଥିବା ଜିଏସଟି ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବାରିପଦା ସହରସ୍ଥିତ ଏ ମ କେସି ହାଇସ୍କୁଲ ଛକରେ ଗାଡ଼ିକୁ ମାଡ଼ି ବସିଥିଲା ଜିଏସଟି ଟିମ୍ । ଜବତ ଗାଡ଼ିରେ ପ୍ରାୟ ୨୦ କିଲୋରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଥିବା ଜଣାପଡ଼ିଛି । ସମସ୍ତ ସୁନା ବ୍ୟବସାୟୀଙ୍କ ନିକଟକୁ ଯାଉଥିଲା ବୋଲି ଜଣାପଡ଼ିଛି ।
ଜିଏସଟି ବିଭାଗ ସମସ୍ତ କାଗଜ ପତ୍ର ଯାଞ୍ଚ କରୁଛି । ସୁନା ଗୁଡ଼ିକ ଉପଯୁକ୍ତ କାଗଜ ପତ୍ର ଅଛି କି ନାହିଁ ସେ ନେଇ ଛାନବିନ କରାଯାଉଛି । ଚଢ଼ାଉ ସମୟରେ ପାର୍ଯ୍ୟାପ୍ତ ଡକୁମେଣ୍ଟ ଦେଖାଇ ନପାରିବାରୁ ସନ୍ଦେହ ଜନକ ହେବାରୁ ଗାଡ଼ିକୁ ଅଟକ ରଖାଯାଇଛି । ଏହି ଗାଡ଼ିରେ ମୁମ୍ବାଇ, କୋଲକାତା, ବାଲେଶ୍ଵର ଓ ବାରିପଦାର କିଛି ଗହଣା ବ୍ୟବସାୟଙ୍କ ନାମରେ ବିଲ ରହିଥିବା ବାଣିଜ୍ୟ କର ଡେପୁଟି କମିଶନର କୁଳମଣୀ ମଲ୍ଲିକ ସୂଚନା ଦେଇଛନ୍ତି ।