ଅନଲାଇନ୍ରେ ଟ୍ରେଡିଂ ଶିକ୍ଷା ଦେବା ନାଁରେ ସାଇବର୍ ଠକମାନେ ଜଣେ ସରକାରୀ କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏନେଇ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଅଭିଯୋଗ ଆଧାରରେ ବ୍ରହ୍ମପୁର ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ମାମଲା ରୁଜୁ ହେବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି । ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଶିଶିର ବୋଲି ଜଣାପଡିଛି ।
ସୂଚନା ଅନୁସାରେ ,ଶିଶିର ବ୍ରହ୍ମପୁରରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏକ କାର୍ଯ୍ୟାଳୟରେ ଚାକିରି କରନ୍ତି। ପୁଞ୍ଜିବଜାରରେ ନିବେଶର କୌଶଳ ଶିଖିବା ପାଇଁ କିଛି ଦିନ ତଳେ ଶିଶିର ‘କେକେଆରସିଏ ଷ୍ଟଡିଙ୍ଗ ଗ୍ରୁପ’ ନାମ ଏକ ହ୍ବାଟ୍ସଆପ୍ ଗ୍ରୁପ୍ରେ ଯୋଡ଼ି ହୋଇଥିଲେ। ଗ୍ରୁପ୍ର ଆଡମିନ୍ ଓ ସହଯୋଗୀମାନେ ବିଭିନ୍ନ ସମୟରେ ଗ୍ରୁପ୍ର ସଦସ୍ୟଙ୍କୁ ଅନଲାଇନ୍ ଟ୍ରେଡିଂ ବିଷୟରେ ବିଭିନ୍ନ ପ୍ରକାର ଶିକ୍ଷା ଦେଉଥିଲେ। କିଛି ଦିନ ପରେ ଶିଶିରଙ୍କୁ ଏକ ଆପ୍ ଡାଉନଲୋଡ୍ କରିବାକୁ ଗ୍ରୁପ୍ରୁ ପରାମର୍ଶ ଦିଆଯାଇଥିଲା। ସେହି ଆପ୍ରେ ଶିଶିର ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବା ପରେ ତାଙ୍କୁ ଅନଲାଇନ୍ ଟ୍ରେଡିଂ ପାଇଁ ‘ସେବି’ ଦ୍ୱାରା ପ୍ରଦତ୍ତ ଏକ ପ୍ରମାଣପତ୍ର ପଠାଯାଇଥିଲା। ପ୍ରମାଣପତ୍ର ପାଇବା ପରେ ଶିଶିର ଏହି କମ୍ପାନି ଉପରେ ଆଖି ବନ୍ଦ କରି ବିଶ୍ବାସ କରିନେଇଥିଲେ। ପରେ ଠକଙ୍କ ପରାମର୍ଶରେ ସେ ‘୮୩-ଭିଆଇପି ରାହୁଲ କୁମାର’ ନାମକ ଏକ ଗ୍ରୁ୍ପ୍ରେ ଯୋଗଦେଇ ସେଠାରୁ ଟ୍ରେଡିଂ ସମ୍ୱନ୍ଧୀୟ ଟିପ୍ସ ନେଇଥିଲେ। ସେଠାରୁ ପରାମର୍ଶ ପାଇ ସେ ଅନ୍ୟାନ୍ୟ ଆପ୍ ଡାଉନଲୋଡ କରି ଟ୍ରେଡିଂ ଆରମ୍ଭ କରିଥିଲେ।
ଏହାର କିଛି ଦିନ ପରେ କମ୍ପାନୀ ପକ୍ଷରୁ ନୂତନ ଭାବେ ପ୍ରାରମ୍ଭିକ ପବ୍ଲିକ୍ ଅଫର୍(ଆଇପିଓ) ଆରମ୍ଭ ହେଉଛି ଏବଂ ସେଥିରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା। ୬୦୦୦ ଆଇପିଓ କିଣିବାକୁ ୨୬ଲକ୍ଷ ଟଙ୍କା ଜମା କରିବାକୁ ହେବ ବୋଲି କୁହାଯାଇଥିଲା। ଏଥିରେ ଶିଶିର ଆଗପଛ ବିଚାର ନକରି ପର୍ଯ୍ୟାୟକ୍ରମ ୨୦ ଲକ୍ଷ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ ସେ କିଛି ଟଙ୍କା ଉଠାଇବାକୁ ଇଚ୍ଛା କରିଥିଲେ ହେଁ ତାଙ୍କ ଟ୍ରେଡିଂ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିନଥିଲେ। ଏନେଇ ସେ ସମ୍ପୃକ୍ତ ଗ୍ରୁପ୍ ଓ କମ୍ପାନୀର କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ। ଟ୍ୟାକ୍ସ କଟିବା ସମ୍ପର୍କିତ ସମସ୍ୟା ଯୋଗୁଁ ଟଙ୍କା ଉଠି ପାରୁନଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଟଙ୍କା ଉଠାଣ ହୋଇପାରିବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏଥିରେ ଶିଶିରଙ୍କ ସନ୍ଦେହ ହେବାରୁ ସେ ଉକ୍ତ କମ୍ପାନୀ ସଂପର୍କରେ ବିଭିନ୍ନ ଆଡ଼ୁ ଯାଞ୍ଚ କରିଥିଲେ। ସେ ସାଇବର୍ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ : ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ