Khabar Odisha

ଟାଟା ହ୍ୟାରିୟର୍ EV ରେ ବାରମ୍ବାର ଗଡ଼ବଡ଼ି ପାଇଁ ଡିଲରଙ୍କୁ ୨୮ ଲକ୍ଷ ରିଫଣ୍ଡ କରିବାକୁ ଆଦେଶ
ହାଇଦ୍ରାବାଦରୁ ଏକ ବଡ଼ ମାମଲା ସାମ୍ନାକୁ ଆସିଛି। ଏଠାରେ ଜିଲ୍ଲା ଗ୍ରାହକ ଆୟୋଗ (District Consumer Commission) ଜଣେ ଗ୍ରାହକଙ୍କ ହକ୍‌ରେ ନିଷ୍ପତ୍ତି ଶୁଣାଇ ଟାଟା କାର୍ ଡିଲରସିପ୍ 'ଟାଟା ସିଲେକ୍ଟ ମୋଟର୍ସ' (Tata Select Motors) କୁ ଗାଡ଼ିର ₹୨୮ ଲକ୍ଷ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକଙ୍କ କହିବା କଥା ଥିଲା ଯେ ଗାଡ଼ିରେ ବାରମ୍ବାର ଗଡ଼ବଡ଼ି ଆସୁଥିଲା। ଅଦାଲତ ଏହି ନିଷ୍ପତ୍ତି ଗ୍ରାହକଙ୍କ ଦ୍ୱାରା ଉପସ୍ଥାପିତ ପ୍ରମାଣ ଆଧାରରେ ଦେଇଛନ୍ତି, ଯାହାଦ୍ୱାରା ପ୍ରମାଣିତ ହୋଇଥିଲା ଯେ ଅନେକ ଥର ମରାମତି (Repairing) କରାଯିବା ସତ୍ତ୍ୱେ ଟାଟା ହ୍ୟାରିୟର୍ EV ର ସମସ୍ୟା ସମାଧାନ ହେଉନଥିଲା। ଆସନ୍ତୁ କାର୍‌ରେ ଆସିଥିବା ଅସୁବିଧା ଏବଂ କୋର୍ଟଙ୍କ ଆଦେଶ ବିଷୟରେ ବିସ୍ତୃତ ଭାବେ ଜାଣିବା।

କ’ଣ ଏହି ପୂରା ମାମଲା?

କ୍ରେତା ଏବଂ ଗାଡ଼ି: ହାଇଦ୍ରାବାଦର ଏକ ପାର୍ଟନରସିପ୍ ଫାର୍ମ 'ମେସର୍ସ ରେଫ୍ରିଜରେସନ୍ ଇକ୍ୱିପମେଣ୍ଟ ଆଣ୍ଡ ସୋଲ୍ୟୁସନ୍ସ' ୧ ଅଗଷ୍ଟ ୨୦୨୫ ରେ ଟାଟା ସିଲେକ୍ଟ ମୋଟର୍ସରୁ Tata Harrier EV (Empowered 75 kWh ଭାରିଆଣ୍ଟ) ₹୨୭.୯୮ ଲକ୍ଷ ଟଙ୍କାରେ କିଣିଥିଲା।

ପ୍ରାରମ୍ଭିକ ଖରାପି: ଡେଲିଭରୀର ତୁରନ୍ତ ପରେ ହିଁ କାର୍ ଷ୍ଟାର୍ଟ ହେବାରେ ସମସ୍ୟା ଦେଖାଦେଲା। ଏହା ବ୍ୟତୀତ ସ୍ମାର୍ଟ-କି' (Smart-key) ଏବଂ ସେଣ୍ଟ୍ରାଲ୍ ଲକିଂ ସିଷ୍ଟମ୍‌ରେ ମଧ୍ୟ ଗଡ଼ବଡ଼ି ଆସିଥିଲା।

ରାସ୍ତାରେ ବନ୍ଦ ହୋଇଯିବା: କାର୍ ଅନେକ ଥର ରାସ୍ତାରେ ଚାଲୁଚାଲୁ ହଠାତ୍ ବନ୍ଦ ହୋଇଯାଉଥିଲା। ଅନେକ ଥର ସର୍ଭିସ୍ ସେଣ୍ଟର ନିଆଯିବା ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନଥିଲା।

ଡିଲରଙ୍କ ପକ୍ଷ ଏବଂ ଗ୍ରାହକଙ୍କ ଦାବି

ଗ୍ରାହକଙ୍କ ଦାବି: ବାରମ୍ବାରର ଏହି ସମସ୍ୟାରେ ଅତିଷ୍ଠ ହୋଇ ଗ୍ରାହକ ଡିଲରସିପ୍‌ଠାରୁ ₹୨୯.୨୯ ଲକ୍ଷ ରିଫଣ୍ଡ (ଫେରସ୍ତ) କରିବାକୁ ଏବଂ ମାନସିକ ନିର୍ଯାତନାର କ୍ଷତିପୂରଣ ବାବଦକୁ ₹୧୦ ଲକ୍ଷ ଦେବାକୁ ଦାବି କରିଥିଲେ।

ଡିଲରସିପ୍‌ର ଯୁକ୍ତି: ଡିଲରସିପ୍ ରିଫଣ୍ଡ ଦେବାକୁ ମନା କରିଦେଇଥିଲେ ଏବଂ କହିଥିଲେ ଯେ ସେମାନଙ୍କ ପକ୍ଷରୁ ସର୍ଭିସ୍‌ରେ କୌଣସି ତ୍ରୁଟି ନଥିଲା। ଡିଲରଙ୍କ ଦାବି ଥିଲା ଯେ ଏହା ଏକ ସଫ୍ଟୱେର୍ ଗ୍ଲିଚ୍ (ସଫ୍ଟୱେର୍ ତ୍ରୁଟି) ଥିଲା, ଯାହାକୁ ସୁଧାରି ଦିଆଯାଇଥିଲା ଏବଂ ସେଣ୍ଟ୍ରାଲ୍ ଲକିଂକୁ ୱାରେଣ୍ଟି ଅଧୀନରେ ବଦଳାଯାଇଥିଲା। ଡିଲର ଏହା ମଧ୍ୟ କହିଥିଲେ ଯେ ମାମଲାରେ ଟାଟା କମ୍ପାନୀର ନାମ ନାହିଁ।

କଞ୍ଜୁମର କୋର୍ଟଙ୍କ ଆଦେଶ

ପ୍ରେସିଡେଣ୍ଟ ବି ଉମା ଭେଙ୍କଟ ସୁବ୍ବା ଲକ୍ଷ୍ମୀ, ସଦସ୍ୟ ସି ଲକ୍ଷ୍ମୀ ପ୍ରସନ୍ନା ଏବଂ ବି ରାଜୀ ରେଡ୍ଡୀଙ୍କ ବେଞ୍ଚ ସର୍ଭିସ୍ ହିଷ୍ଟ୍ରି ଏବଂ ଜବ୍ କାର୍ଡଗୁଡ଼ିକର ଯାଞ୍ଚ କରିଥିଲେ। ଯାଞ୍ଚରୁ ଜଣାପଡ଼ିଲା ଯେ ସ୍ମାର୍ଟ-କି' ର ସମସ୍ୟା ସମାଧାନ ହୋଇଯାଇଥିଲା, କିନ୍ତୁ ତଥାପି କାର୍‌ରେ ବାରମ୍ବାର ସେହି ଗୋଟିଏ ଅସୁବିଧା ଆସୁଥିଲା। ଏହାକୁ କୋର୍ଟ ସର୍ଭିସ୍‌ରେ ବଡ଼ ଅବହେଳା ବୋଲି ଗ୍ରହଣ କରିଛନ୍ତି।

କୋର୍ଟ ଦେଲେ ଆଦେଶ:

ଗାଡ଼ିର ରିଫଣ୍ଡ (ଅର୍ଥ ଫେରସ୍ତ): କୋର୍ଟ ଡିଲରସିପ୍‌କୁ ୧୦% ଡେପ୍ରିସିଏସନ୍ (ମୂଲ୍ୟ ହ୍ରାସ) କାଟି ଗାଡ଼ିର କ୍ରୟ ମୂଲ୍ୟ (ପ୍ରାୟ ₹୨୮ ଲକ୍ଷ) ଗ୍ରାହକଙ୍କୁ ଫେରାଇବା ପାଇଁ ଆଦେଶ ଦେଇଛନ୍ତି।

କ୍ଷତିପୂରଣ: ₹୧୦ ଲକ୍ଷ କ୍ଷତିପୂରଣ ଦାବିକୁ ଅତ୍ୟଧିକ ମାନି କୋର୍ଟ ଏହାକୁ କମାଇ ₹୫୦,୦୦୦ କରିଦେଇଛନ୍ତି।

ଆଇନଗତ ଖର୍ଚ୍ଚ: ଡିଲରସିପ୍‌କୁ ମକୋଦ୍ଦମା/ଆଇନଗତ ଖର୍ଚ୍ଚ ବାବଦକୁ ₹୧୫,୦୦୦ ଅଲଗା ଭାବେ ଦେବାକୁ ପଡ଼ିବ।

ସମୟ ସୀମା: ଡିଲରସିପ୍‌କୁ ୪୫ ଦିନ ମଧ୍ୟରେ ଏହି ଅର୍ଥ ପରିଶୋଧ କରିବାକୁ ହେବ। ଯଦି ସେମାନେ ସମୟସୀମା ମଧ୍ୟରେ ଅର୍ଥ ପରିଶୋଧ ନକରନ୍ତି, ତେବେ ସେମାନଙ୍କୁ ବାର୍ଷିକ ୯% ସୁଧ ଦେବାକୁ ପଡ଼ିବ।

ସ୍ଥାନ ବଜାୟ ରଖିଲେ ଏନ୍ ଚନ୍ଦ୍ରଶେଖରନ୍, ପୁଣି ଥରେ ଟାଟା ସନ୍ସର ଅଧ୍ୟକ୍ଷଭାବେ ମନୋନୀତ
ମୁମ୍ବାଇ: ଟାଟା ସନ୍ସର ଅଧ୍ୟକ୍ଷଭାବେ ଏନ୍. ଚନ୍ଦ୍ରଶେଖରନ ନିଜର ସ୍ଥାନ ବଜାୟ ରଖିଛନ୍ତି । ଗୁରୁବାର ମୁମ୍ବାଇରେ ଟାଟା ଗ୍ରୁପ ବୋର୍ଡ ବୈଠକରେ ସମସ୍ତ ସଦସ୍ୟ ନୋଏଲ ଟାଟାଙ୍କ ପ୍ରସ୍ତାବ ବିପକ୍ଷରେ ଯାଇ ପୁଣି ଥରେ ଚନ୍ଦ୍ରଶେଖରନଙ୍କୁ ଅଧ୍ୟକ୍ଷଭାବେ ଚୟନ କରିଛନ୍ତି । ବୋର୍ଡର ମଞ୍ଜୁରୀ ପରେ ଏନ୍. ଚନ୍ଦ୍ରଶେଖରନ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦରେ ରହିବେ ।

ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଓହରିଯିବାକୁ ଘୋଷଣା କରିବାର ମାସକରୁ ଅଧିକ ସମୟ ପରେ, କମ୍ପାନୀର ବୋର୍ଡ ଏନ୍. ଚନ୍ଦ୍ରଶେଖରନଙ୍କୁ ଆଉ ପାଞ୍ଚ ବର୍ଷ ପାଇଁ ଅଧ୍ୟକ୍ଷ ଭାବରେ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସମର୍ଥନ ଜଣାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

"ସେପ୍ଟେମ୍ବର ୨୦୨୫ରେ, ଟାଟା ସନ୍ସ ବୋର୍ଡ ଚନ୍ଦ୍ରଶେଖରନଙ୍କୁ ଆଉ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ପୁନଃନିଯୁକ୍ତ କରିବାକୁ ନୀତିଗତ ଭାବେ ସହମତି ପ୍ରକାଶ କରିଥିଲା। ଆଇନଗତ ବ୍ୟବସ୍ଥା ଅନୁଯାୟୀ, ବୋର୍ଡ ଫେବୃଆରୀ ୨୦୨୬ରେ ଆବଶ୍ୟକୀୟ ଆନୁଷ୍ଠାନିକ ଅନୁମୋଦନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ସର୍ବସମ୍ମତି ଅଭାବରୁ ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ସ୍ଥଗିତ ରଖାଯାଇଥିଲା। ମେ ଏବଂ ଜୁନ୍ ମାସରେ ଅନୁଷ୍ଠିତ ପରବର୍ତ୍ତୀ ବୋର୍ଡ ବୈଠକରେ ଏହି ବିଷୟ ଉପରେ ଆଲୋଚନା ହୋଇଥିଲା କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା।

ଅଗଷ୍ଟ ୧୨ ତାରିଖରେ ଚନ୍ଦ୍ରଶେଖରନ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପରେ ପୁନଃନିଯୁକ୍ତିରୁ ନିଜକୁ ଦୂରେଇ ରଖିବାକୁ ଘୋଷଣା କରିଥିଲେ । ଚନ୍ଦ୍ରଶେଖରନଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବୃଆରୀ ୨୦ ତାରିଖରେ ଶେଷ ହେଉଛି । ସେପ୍ଟେମ୍ବର ୩ ତାରିଖରେ, ଟାଟା ସନ୍ସ ବୋର୍ଡର 'ନୋମିନେସନ୍ ରେମ୍ୟୁନରେସନ୍ କମିଟି' ଚନ୍ଦ୍ରଶେଖରନଙ୍କ ଇସ୍ତଫା ପତ୍ର ଏବଂ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ପୁନଃନିଯୁକ୍ତ କରିବା ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବୈଠକ କରିଥିଲା। ଉଚିତ୍ ବିଚାରବିମର୍ଶ ପରେ ଏବଂ ତାଙ୍କର ଅବଦାନ ତଥା ଟାଟା ଗ୍ରୁପର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଏନଆରସି ସର୍ବସମ୍ମତି କ୍ରମେ ତାଙ୍କୁ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ । ପରବର୍ତ୍ତୀ ବୋର୍ଡ ବୈଠକରେ ପୁନଃନିଯୁକ୍ତି ପାଇଁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ବୋଲି ଟାଟା ସନ୍ସ ବିବୃତ୍ତିରେ କହିଛି ।

ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା! ଅଧିକ ଟଙ୍କା ଦେଲେ ହିଁ ମିଳିବ ରାଇଡ୍? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ରାଇଡ୍ ବୁକ୍ କରୁଥିବା ଗ୍ରାହକମାନଙ୍କୁ ଅଧିକ ଟଙ୍କା ଦେବା ପାଇଁ ପ୍ରଲୋଭିତ କିମ୍ବା ବାଧ୍ୟ କରିବା ମାମଲାରେ ରାପିଡୋ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ରାପିଡୋର ପରିଚାଳନା କମ୍ପାନୀ 'ରୋପେନ୍ ଟ୍ରାନ୍ସପୋର୍ଟେସନ୍ ସର୍ଭିସେସ୍' ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଆପ୍ର ଡିଜାଇନ୍ ଏବଂ କେତେକ ମେସେଜ୍ ମାଧ୍ୟମରେ ଉପଭୋକ୍ତାଙ୍କୁ ଅଧିକ ଭଡ଼ା ଦେବାକୁ ଉସକାଯାଉଥିବା ନେଇ ନିୟାମକ ଆପତ୍ତି ଜଣାଇଛନ୍ତି।

ଅଧିକ ଟଙ୍କା ଦେଲେ ରାଇଡ୍ ମିଳିବାର ସୁଯୋଗ ଅଧିକ

CCPA ର ତଦନ୍ତରୁ ରାପିଡୋ ଆପ୍ରେ ଏପରି କିଛି ମେସେଜ୍ ମିଳିଛି, ଯେଉଁଥିରେ ଗ୍ରାହକଙ୍କୁ କୁହାଯାଉଥିଲା ଯେ ଅଧିକ ଟଙ୍କା ଦେଲେ ରାଇଡ୍ ମିଳିବାର ସମ୍ଭାବନା ବଢ଼ିଯିବ। ଗୋଟିଏ ମେସେଜ୍ରେ ଲେଖାଯାଇଥିଲା— "Higher the price, higher the chance of getting a ride" । ଅନ୍ୟ ଏକ ମେସେଜ୍ରେ ଦର୍ଶାଯାଇଥିଲା ଯେ ଡ୍ରାଇଭର ୬୦ ଟଙ୍କାରେ ରାଇଡ୍ ସ୍ୱୀକାର କରୁନାହାନ୍ତି, ତେଣୁ ଗ୍ରାହକ ୧୦, ୨୦ କିମ୍ବା ୩୦ ଟଙ୍କା ଅଧିକ ଯୋଡ଼ିପାରିବେ।

ନିୟାମକଙ୍କ ଅନୁଯାୟୀ, ପ୍ରଥମେ ଆପ୍ ଗୋଟିଏ ନିର୍ଦ୍ଦିଷ୍ଟ ଭଡ଼ା ସ୍ଥିର କରୁଥିଲା ଏବଂ ଗ୍ରାହକ ସେହି ଦରରେ ବୁକିଂ କରୁଥିଲେ। ମାତ୍ର ବୁକିଂ ପ୍ରକ୍ରିୟା ଚାଲିଥିବା ସମୟରେ ତାଙ୍କୁ ଅଧିକ ଟଙ୍କା ଦେବା ପାଇଁ କୁହାଯାଉଥିଲା। ଏହାଦ୍ୱାରା ଶୀଘ୍ର ରାଇଡ୍ ପାଇବା ପାଇଁ ଅଧିକ ଟଙ୍କା ଦେବା ଜରୁରୀ ବୋଲି ଗ୍ରାହକ ଭାବିବାକୁ ବାଧ୍ୟ ହେଉଥିଲେ।

ଏହାକୁ 'ଡାର୍କ ପ୍ୟାଟର୍ଣ୍ଣ' କାହିଁକି କୁହାଗଲା?

CCPA ରାପିଡୋ ଆପ୍ରେ ଦୁଇ ପ୍ରକାରର ଡାର୍କ ପ୍ୟାଟର୍ଣ୍ଣ ଚିହ୍ନଟ କରିଛି। ପ୍ରଥମଟି Confirm Shaming ଏବଂ ଦ୍ୱିତୀୟଟି Interface Interference।

Confirm Shaming ରେ ଗ୍ରାହକଙ୍କ ଉପରେ ଏପରି ମାନସିକ ଚାପ ପକାଯାଏ ଯେପରି ସେ କୌଣସି ବିକଳ୍ପ ବାଛିବାକୁ ଦ୍ୱିଧା ପ୍ରକାଶ କରନ୍ତି କିମ୍ବା ନିଜକୁ ଭୁଲ୍ ମନେକରନ୍ତି।

Interface Interference ରେ ଆପ୍ର ଡିଜାଇନ୍କୁ ଏପରି ଭାବେ ତିଆରି କରାଯାଇଥାଏ ଯେ ଗ୍ରାହକ ଏକ ନିର୍ଦ୍ଦିଷ୍ଟ ବ୍ୟୟବହୁଳ ବିକଳ୍ପ ଆଡ଼କୁ ଅଧିକ ଆକୃଷ୍ଟ ହୋଇଥାନ୍ତି।

ରାପିଡୋର Set your price ଫିଚର୍ ଉପରେ ମଧ୍ୟ CCPA ପ୍ରଶ୍ନ ଉଠାଇଛି। ଅଧିକ ଟଙ୍କା ବାଛିଲେ ଆପ୍ ସବୁଜ ରଙ୍ଗରେ ରାଇଡ୍ ମିଳିବାର ସମ୍ଭାବନା ଦେଖାଉଥିଲା, ଯେତେବେଳେ କି କମ୍ ଟଙ୍କା ବାଛିଲେ ଲାଲ୍ କିମ୍ବା କମଳା ରଙ୍ଗର ସଙ୍କେତ ଦେଖାଉଥିଲା। ନିୟାମକ ଏହାକୁ ଗ୍ରାହକଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଥିବା ଡିଜାଇନ୍ ବୋଲି ଦର୍ଶାଇଛନ୍ତି।

ଟିପ୍ (Tip) ନାମରେ ଅଧିକ ଟଙ୍କା ନେବା ଉପରେ ପ୍ରଶ୍ନ

ବୁକିଂ ପୂର୍ବରୁ ଦାବି କରାଯାଉଥିବା ଅତିରିକ୍ତ ଟଙ୍କାକୁ 'ଟିପ୍' ବୋଲି ଦର୍ଶାଇବା ଉପରେ ମଧ୍ୟ CCPA ଆପତ୍ତି ପ୍ରକାଶ କରିଛି। ନିୟାମକଙ୍କ ଅନୁଯାୟୀ, ରାଇଡ୍ ବୁକ୍ କରିବା ସମୟରେ ଯେଉଁ ଭଡ଼ା ଦେଖାଯାଏ, ସେଥିରେ ଦୂରତା, ସମୟ, ଟ୍ରାଫିକ୍, ଟୋଲ୍ ଏବଂ ଡ୍ରାଇଭରଙ୍କ ପ୍ରାପ୍ୟ ଭଳି ସମସ୍ତ ଦିଗ ସାମିଲ ଥାଏ। CCPA ଏହି ଅବସରରେ Motor Vehicle Aggregator Guidelines, 2025 ର ଉଦାହରଣ ଦେଇଛି। ଏହି ଦିଶାନିର୍ଦ୍ଦେଶ ଅନୁଯାୟୀ, ଟିପ୍ ଦେବାର ବିକଳ୍ପ ରାଇଡ୍ ସମ୍ପୂର୍ଣ୍ଣ ହେବା ପରେ ମିଳିବା କଥା, ବୁକିଂ ସମୟରେ ନୁହେଁ।

ରାପିଡୋ ପକ୍ଷରୁ ସଫାଇ ଦିଆଯାଇଛି ଯେ ଅତିରିକ୍ତ ଟଙ୍କା ଦେବା ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ଥିଲା ଏବଂ ଏହା ନଦେଲେ ମଧ୍ୟ ରାଇଡ୍ ମ୍ୟାଚିଂ ସିଷ୍ଟମ୍ କାମ କରୁଥିଲା। ଏହି ପ୍ରକ୍ରିୟା ଡ୍ରାଇଭର ଏବଂ ଯାତ୍ରୀଙ୍କ ମଧ୍ୟରେ ହେଉଥିବା ସାଧାରଣ କଥାବାର୍ତ୍ତା ଭଳି ଥିଲା ବୋଲି କମ୍ପାନୀ କହିଛି। ତେବେ CCPA ଏହି ଯୁକ୍ତିକୁ ଗ୍ରହଣ କରିନାହିଁ। ଅଧିକ ଟଙ୍କା ଦେଲେ ବାସ୍ତବରେ ରାଇଡ୍ ମିଳିବାର ସମ୍ଭାବନା ବୃଦ୍ଧି ପାଏ ବୋଲି ରାପିଡୋ କୌଣସି ପ୍ରମାଣପତ୍ର କିମ୍ବା ଡାଟା ଦେଇପାରିନଥିବା ନିୟାମକ କହିଛନ୍ତି।

ଉବର (Uber) ଏବଂ ଓଲା (Ola) ମଧ୍ୟ ତଦନ୍ତ ପରିସରରେ

ଏହି କାର୍ଯ୍ୟାନୁଷ୍ଠାନ କେବଳ ରାପିଡୋ ମଧ୍ୟରେ ସୀମିତ ନୁହେଁ। CCPA ପୂର୍ବରୁ Uber, Ola, Rapido ଏବଂ Namma Yatri କୁ ଡାର୍କ ପ୍ୟାଟର୍ଣ୍ଣ ସମ୍ପର୍କିତ ନିୟମ ପାଳନ କରିବା ସହ ସ୍ୱଘୋଷଣାପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲା। Uber ଏବଂ Ola ସହ ଜଡ଼ିତ ମାମଲାର ତଦନ୍ତ ବର୍ତ୍ତମାନ ଚାଲୁରହିଛି। CCPA ଅନୁଯାୟୀ, ଗ୍ରାହକମାନେ ଭ୍ରାନ୍ତିକର ବିଜ୍ଞାପନ, ଅନୁଚିତ ବ୍ୟବସାୟିକ ଆଚରଣ କିମ୍ବା ଡାର୍କ ପ୍ୟାଟର୍ଣ୍ଣ ସମ୍ପର୍କିତ ଅଭିଯୋଗ ରାଷ୍ଟ୍ରୀୟ ଉପଭୋକ୍ତା ହେଲ୍ପଲାଇନ୍ 1915 ରେ କରିପାରିବେ।

ଧ୍ୟାନ ଦିଅନ୍ତୁ UPI ୟୁଜର୍ସ ! ଆପଣଙ୍କୁ ଦେବାକୁ ପଡ଼ିବନି ଗୋଟିଏ ବି ପଇସା
ନୂଆଦିଲ୍ଲୀ:କେନ୍ଦ୍ର ସରକାର ମଙ୍ଗଳବାର ୟୁପିଆଇ ପେମେଣ୍ଟ ପାଇଁ ଏକ ନୂତନ ସ୍ଲାବ୍ ଲାଗୁ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ୨,୦୦୦ ଟଙ୍କାରୁ ଅଧିକ ମର୍ଚ୍ଚଣ୍ଟ ୟୁପିଆଇ ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (ମର୍ଚ୍ଚଣ୍ଟଡ ଡିସକାଉଣ୍ଟ ରାଟ୍) ଶୁଳ୍କ ଧାର୍ଯ୍ୟ କରାଯାଇଛି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଏହି ଚାର୍ଜ ସାଧାରଣ ଗ୍ରାହକମାନେ ଦେବେ ନାହିଁ, ବରଂ କେବଳ ବ୍ୟବସାୟୀମାନଙ୍କୁ ହିଁ ଏହା ବହନ କରିବାକୁ ପଡ଼ିବ। ଆସନ୍ତା ଅକ୍ଟୋବର ୧୫ ନିର୍ଦ୍ଦିଷ୍ଟ ମର୍ଚ୍ଚଣ୍ଟ (P2M) ଟ୍ରାଞ୍ଜାକ୍ସନ୍ ଉପରେ UPI MDRର ନୂତନ ଫ୍ରେମୱାର୍କ କାର୍ଯ୍ୟକାରୀ ହେବ।

ବ୍ୟାଙ୍କଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ବ୍ୟବସାୟୀମାନେ ଯେପରି ଏହି MDRର ବୋଝ ଗ୍ରାହକଙ୍କ ଉପରେ ନ ଲଦନ୍ତି, ତାହା ସୁନିଶ୍ଚିତ କରିବେ। ୨,୦୦୦ ଟଙ୍କା ପର୍ଯ୍ୟନ୍ତ କମ୍ ମୂଲ୍ୟର UPI P2M ଲେଣଦେଣକୁ ଏହି MDR ପରିସରରୁ ବାଦ୍ ଦିଆଯାଇଛି। ବ୍ୟକ୍ତିଗତ ଲେଣଦେଣ, ବନ୍ଧୁ କିମ୍ବା ପରିବାରକୁ ଟଙ୍କା ପଠାଇବା (P2P UPI) ପୂର୍ବ ଭଳି ସମ୍ପୂର୍ଣ୍ଣ ମାଗଣା ରହିବ। MDR ର ସର୍ବାଧିକ ସୀମା ପ୍ରତି ଟ୍ରାଞ୍ଜାକ୍ସନ୍ ପିଛା ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ରେଳବାଇ, ଟେଲିକମ୍, ବୀମା ଏବଂ ଇନ୍ଧନ (Fuel) ଭଳି କ୍ଷେତ୍ରରେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ପ୍ରତି ଟ୍ରାଞ୍ଜାକ୍ସନ୍ ପିଛା ୫ ଟଙ୍କାର ଫ୍ଲାଟ୍ MDR ଲାଗିବ।

ଛୋଟ ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଏହି ନୂତନ ବ୍ୟବସ୍ଥା ଦ୍ୱାରା ଛୋଟ ବେପାରୀମାନଙ୍କୁ ସମ୍ପୂର୍ଣ୍ଣ ରିହାତି ମିଳିବ। ଯେଉଁ ଛୋଟ ବ୍ୟବସାୟୀମାନେ UPI QR କୋଡ୍ ଜରିଆରେ ସିଧାସଳଖ ନିଜ ବ୍ୟାଙ୍କ ଆକାଉଣ୍ଟରେ ମାସିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି, ସେମାନଙ୍କୁ କୌଣସି MDR ଦେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ମୋଟ ଟ୍ରାଞ୍ଜାକ୍ସନର ୯୬ ପ୍ରତିଶତ ଅଂଶ ଉପରେ କୌଣସି ନୂତନ ଶୁଳ୍କର ପ୍ରଭାବ ପଡ଼ିବ ନାହିଁ।

ଛୋଟ ବେପାରୀଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି

ଛୋଟ ବଜାର ଏବଂ ଟାୟାର୍-୩ ସହରଗୁଡ଼ିକରେ ଡିଜିଟାଲ୍ ପେମେଣ୍ଟ ଇନଫ୍ରାଷ୍ଟ୍ରକ୍ଚରକୁ ଆହୁରି ମଜବୁତ କରିବା ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି। NPCI ର ସୂଚନା ଅନୁଯାୟୀ, କ୍ୟାପିଟାଲ୍ ମାର୍କେଟ୍ ପେମେଣ୍ଟ ପାଇଁ MDR ହାର ୦.୦୨ ପ୍ରତିଶତ ରହିବ। ତେଣୁ ସାଧାରଣ ୟୁପିଆଇ ବ୍ୟବହାରକାରୀମାନେ ବିନା କୌଣସି ଚିନ୍ତାରେ ନିଜର ଦୈନନ୍ଦିନ ଲେଣଦେଣ ଜାରି ରଖିପାରିବେ।

ପେଟ୍ରୋଲ, ବିଜୁଳି ଏବଂ ବିଲ୍ ପେମେଣ୍ଟ ଉପରେ ଲାଗିବ ୫ ଟଙ୍କା ଚାର୍ଜ, ସାଧାରଣ UPI ବ୍ୟବହାରକାରୀମାନେ ଜାଣିବା ଜରୁରୀ
ନୂଆଦିଲ୍ଲୀ: ବର୍ଦ୍ଧିତ ମହଙ୍ଗା ମଧ୍ୟରେ ଏବେ ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଦେବାକୁ ପଡ଼ିବ। ଅର୍ଥାତ୍ ଆପଣଙ୍କର ୟୁପିଆଇ କାରବାର ଆଉ ସମ୍ପୂର୍ଣ୍ଣ ମାଗଣା ରହିଲା ନାହିଁ। ଏହି ଚାର୍ଜ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ଲାଗୁ ହେବ। ସବୁଠାରୁ ବଡ଼ କଥା ହେଉଛି, ଯଦି ଜଣେ ସାଧାରଣ ନାଗରିକ ୨,୦୦୦ ଟଙ୍କାରୁ ଅଧିକ ପେଟ୍ରୋଲ, ବିଜୁଳି ବିଲ୍ କିମ୍ବା ଅନ୍ୟାନ୍ୟ ବିଲ୍ ୟୁପିଆଇ ଜରିଆରେ ପୈଠ କରନ୍ତି, ତେବେ ପ୍ରତି ଲେଣଦେଣ ପିଛା ୫ ଟଙ୍କା ଚାର୍ଜ କାଟିବ। ଭାରତୀୟ ଜାତୀୟ ଦେୟ ନିଗମ (NPCI)ର FAQ ଅନୁଯାୟୀ, ଏହି ନୂତନ ନିୟମ ୨୦୨୬ ଅକ୍ଟୋବର ୧୫ରୁ ଲାଗୁ ହେବ।

ପେଟ୍ରୋଲ, ବିଜୁଳି ଓ ଅନ୍ୟାନ୍ୟ ସେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

କିଛି ଜରୁରୀ ସେବା କ୍ଷେତ୍ରରେ ସାଧାରଣ ୦.୪% ମର୍ଚ୍ଚଣ୍ଟ ଡିସକାଉଣ୍ଟ ରାଟ୍ (MDR) ବଦଳରେ ପ୍ରତି ଟ୍ରାଞ୍ଜାକ୍ସନ୍ ପିଛା ସର୍ବାଧିକ ୫ ଟଙ୍କା ପର୍ଯ୍ୟନ୍ତ ଫ୍ଲାଟ୍ ଚାର୍ଜ ଧାର୍ଯ୍ୟ କରାଯାଇଛି। ଏଥିରେ ପେଟ୍ରୋଲ ପମ୍ପ, ଟେଲିକମ୍, ବୀମା ଏବଂ ରେଳବାଇ ଭଳି ବର୍ଗଗୁଡ଼ିକ ସାମିଲ ଅଛନ୍ତି। ଅର୍ଥାତ୍ ଯଦି ଏହି ସେବାଗୁଡ଼ିକର ବିଲ୍ ୨,୦୦୦ ଟଙ୍କାରୁ ଅଧିକ୍ ହୁଏ, ତେବେ ପ୍ରତି ପେମେଣ୍ଟରେ ୫ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ।

ସେହିପରି ବିଜୁଳି, ପାଣି ଏବଂ ପାଇପ୍ ଗ୍ୟାସ୍ ବିଲ୍ ଉପରେ ମଧ୍ୟ ଏହି ୫ ଟଙ୍କା ନିୟମ ଲାଗୁ ହେବ। ଅନ୍ୟପକ୍ଷରେ ମ୍ୟୁଚୁଆଲ୍ ପାଣ୍ଠି ଏବଂ ଷ୍ଟକ୍ ମାର୍କେଟ୍ ସହ ଜଡ଼ିତ ପେମେଣ୍ଟ ପାଇଁ ୦.୦୨% ହାର ରଖାଯାଇଛି, ଯାହାର ସର୍ବାଧିକ ସୀମା ୩୦୦ ଟଙ୍କା ରହିବ। ତେବେ ଅଟୋ-ଡେବିଟ୍ ହେଉଥିବା କିଛି ପେମେଣ୍ଟ ଉପରେ କୌଣସି MDR ଲାଗିବ ନାହିଁ।

ସରକାର ଏହି ନିୟମ କାହିଁକି ବଦଳାଇଲେ?

NPCI ର ସୂଚନା ଅନୁଯାୟୀ, ୟୁପିଆଇ ନେଟୱାର୍କ ଚଳାଇବା, ସର୍ଭର ରକ୍ଷାବେକ୍ଷଣ କରିବା ଏବଂ ଠକେଇ ରୋକିବା ପାଇଁ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏପର୍ଯ୍ୟନ୍ତ ସରକାରୀ ସହାୟତା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲା। କେବଳ ଅଗଷ୍ଟ ୨୦୨୬ ମାସରେ ୟୁପିଆଇ ଜରିଆରେ ପ୍ରାୟ ୨,୪୫୧ କୋଟି ଟ୍ରାଞ୍ଜାକ୍ସନ୍ ହୋଇଥିଲା, ଯାହାର ମୋଟ ମୂଲ୍ୟ ପ୍ରାୟ ୨୯.୯ ଲକ୍ଷ କୋଟି ଟଙ୍କା ରହିଥିଲା।

ଏହି ନିୟମ କେଉଁଠୁ ଆସିଲା?

ସଂସଦର ମୌସୁମୀ ଅଧିବେଶନରେ 'ଟ୍ୟାକ୍ସ ଆଣ୍ଡ ଅଦର୍ସ ଲଜ୍ ଆମେଣ୍ଡମେଣ୍ଟ ବିଲ୍ ୨୦୨୬' ପାସ୍ ହୋଇଥିଲା। ଏହାପରେ ସେପ୍ଟେମ୍ବର ୧୪ ତାରିଖରେ ସରକାର ଏକ ବିଜ୍ଞପ୍ତି ଜାରି କରି ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡ ପେମେଣ୍ଟକୁ ଚାର୍ଜରୁ ଆଇନଗତ ସୁରକ୍ଷା ପ୍ରଦାନ କରିଥିଲେ। ତେବେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ପାଇଁ ହାର ଧାର୍ଯ୍ୟ କରିବାର ଦାୟିତ୍ୱ ୟୁପିଆଇ ସହ ଜଡ଼ିତ 'ଷ୍ଟିଅରିଂ କମିଟି'କୁ ଦିଆଯାଇଛି।

୫୦୦୦ ଉପରେ ୨୦ ଟଙ୍କା ଓ ୧୦ ହଜାର ଉପରେ କଟିବ ୪୦ ଟଙ୍କା, ୟୁପିଆଇ ପେମେଣ୍ଟ ଉପରେ ଲାଗିଲା ଶୁଳ୍କ
ନୂଆଦିଲ୍ଲୀ: ଡିଜିଟାଲ୍ ଲେଣଦେଣ ଉପରେ ଶୁଳ୍କ ଲଗାଯିବା ନେଇ ଦେଖାଦେଇଥିବା ବିରୋଧ ଭିତରେ ସରକାର UPI ମର୍ଚ୍ଚଣ୍ଡ ଡିସକାଉଣ୍ଟ ରାଟ୍ (MDR) କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ବ୍ୟବସାୟୀମାନଙ୍କୁ ୦.୪ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ।

NPCI ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଅକ୍ଟୋବର 15 ତାରିଖରୁ UPI ଜରିଆରେ ୨,୦୦୦ ଟଙ୍କାରୁ ଅଧିକ କାରବାର ଉପରେ ବ୍ୟବସାୟୀଙ୍କୁ ଏହି ଶୁଳ୍କ ଦେବାକୁ ହେବ। ଅନ୍ୟପକ୍ଷରେ, ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI ଟ୍ରାଞ୍ଜାକ୍ସନ୍ ସମ୍ପୂର୍ଣ୍ଣ ମାଗଣା ରହିବ ଏବଂ ଏଥିପାଇଁ କୌଣସି ବ୍ୟାଙ୍କ ବା ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍ କୌଣସି ପ୍ରକାରର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଶୁଳ୍କ ଆଦାୟ କରିପାରିବେ ନାହିଁ।

ସର୍ବାଧିକ ସୀମା କେତେ ରହିବ ?

ଏହି ଶୁଳ୍କକୁ ମର୍ଚ୍ଚଣ୍ଟ ଡିସକାଉଣ୍ଟ ରାଟ୍ (MDR) କୁହାଯାଏ। ଏହାର ହାର ୦.୪% ରହିଥିଲେ ମଧ୍ୟ ଗୋଟିଏ ଟ୍ରାଞ୍ଜାକ୍ସନ୍ ପାଇଁ ସର୍ବାଧିକ ସୀମା ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

୫,୦୦୦ ଟଙ୍କା ପେମେଣ୍ଟ କଲେ ୨୦ ଟଙ୍କା MDR କାଟିବ।

୧୦,୦୦୦ ଟଙ୍କା ପେମେଣ୍ଟ କଲେ ୪୦ ଟଙ୍କା MDR କାଟିବ।

୫୦,୦୦୦ ଟଙ୍କା ପେମେଣ୍ଟ କଲେ ୨୦୦ ଟଙ୍କା MDR କାଟିବ।

ଯଦି କେହି ୭୫,୦୦୦ ଟଙ୍କା ବା ତାହାଠାରୁ ଅଧିକ ପେମେଣ୍ଟ କରନ୍ତି, ତେବେ ୦.୪ ପ୍ରତିଶତ ହିସାବରେ ଅଧିକ ହେଲେ ମଧ୍ୟ ବ୍ୟବସାୟୀଙ୍କଠାରୁ ସର୍ବାଧିକ କେବଳ ୩୦୦ ଟଙ୍କା ହିଁ କାଟିବ।

କିପରି ରହିବ ନୂତନ ଫ୍ରେମୱାର୍କ ?

ମାଗଣା ସେବା: QR କୋଡ୍ ଜରିଆରେ ମାସିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଛୋଟ ବ୍ୟବସାୟୀମାନଙ୍କୁ କୌଣସି MDR ଦେବାକୁ ପଡ଼ିବ ନାହିଁ।

ସ୍ୱତନ୍ତ୍ର ବର୍ଗ: ରେଳବାଇ ଏବଂ ଇନ୍ଧନ (Fuel) ଭଳି କିଛି ସ୍ୱତନ୍ତ୍ର ବର୍ଗରେ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟ ଉପରେ ୫ ଟଙ୍କାର ଫ୍ଲାଟ୍ ଫିସ୍ ଲାଗିବ।

ଛୋଟ ବ୍ୟବସାୟୀଙ୍କ ପାଇଁ ସୁରକ୍ଷା: ସମସ୍ତ UPI P2M ଟ୍ରାଞ୍ଜାକ୍ସନର ୯୫ ପ୍ରତିଶତରୁ ଅଧିକ ଅଂଶ ହେଉଛି ୨,୦୦୦ ଟଙ୍କା କମ୍ମ ଭିତରେ, ଯାହା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଛୋଟ ବେପାରୀଙ୍କ ପାଇଁ ଡିଜିଟାଲ୍ ପେମେଣ୍ଟ ଇନଫ୍ରାଷ୍ଟ୍ରକ୍ଚରକୁ ଅଗ୍ରେଡ୍ କରିବାକୁ ଏକ ସ୍ୱତନ୍ତ୍ର ପାଣ୍ଠି (Fund) ମଧ୍ୟ ଗଠନ କରାଯିବ।

ରୁପେ ଏବଂ ୟୁପିଆଇରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ନେଣଦେଣ
ଭୁବନେଶ୍ୱର: ଅନଲାଇନ୍ ଜରିଆରେ ଟଙ୍କା ନେଣଦେଣ କରୁଥିବା କୋଟି କୋଟି ଭାରତୀୟଙ୍କ ପାଇଁ ଖୁସି ଖବର ଆସିଛି । କେନ୍ଦ୍ର ସରକାର ୨୦୦୦ ଟଙ୍କା ପର୍ଯ୍ୟନ୍ତ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ନେଣଦେଣକୁ ଦେୟ ମୁକ୍ତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପେମେଣ୍ଟ ଆଣ୍ଡ୍ ସେଟେଲମେଣ୍ଟ ସିଷ୍ଟମ୍ ଆଇନ, ୨୦୦୭ର ୫୧ର ଧାରା ୧୦(କ) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି କେନ୍ଦ୍ର ସରକାର ଅନଲାଇନ୍ ଟଙ୍କା ନେଣଦେଣର ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରିଛନ୍ତି । ରୁପେ (RuPay) ଦ୍ୱାରା ପରିଚାଳିତ ଡେବିଟ୍ କାର୍ଡ ଏବଂ ୨୦୦୦ ଟଙ୍କା ପର୍ଯ୍ୟନ୍ତ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (UPI) କାରବାରକୁ ସରକାର ଦେୟମୁକ୍ତ କରିଛନ୍ତି ।

ଏହି ନିର୍ଦ୍ଦିଷ୍ଟ ଅନଲାଇନ୍ ପେମେଣ୍ଟ ପଦ୍ଧତି ବ୍ୟବହାର କରି ଟଙ୍କା କାରବାର ଉପଭୋକ୍ତାଙ୍କ ଉପରେ କୌଣସି ବ୍ୟାଙ୍କ କିମ୍ବା ସିଷ୍ଟମ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୌଣସି ଶୁଳ୍କ ଲାଗୁ କରିବେ ନାହିଁ ।

ଏବେ ୟୁପିଆଇ ପେମେଣ୍ଟ ଆଧାରରେ ମିଳିବ ଲୋନ, SBIର ବଡ ଉପହାର
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ବ୍ୟାଙ୍କ ପକ୍ଷରୁ ଏଭଳି ଏକ ସ୍ୱତନ୍ତ୍ର ଡିଜିଟାଲ୍ ବ୍ୟବସ୍ଥା ବିକଶିତ କରାଯାଉଛି, ଯାହାଫଳରେ ଯେଉଁ ଛୋଟ  ବ୍ୟବସାୟୀମାନଙ୍କର ଜିଏସଟି ପଞ୍ଜୀକରଣ ନାହିଁ, ସେମାନେ ମଧ୍ୟ ସହଜରେ ଋଣ ପାଇପାରିବେ।

ୟୁପିଆଇ ଟ୍ରାଞ୍ଜାକ୍ସନ୍ ବା କାରବାର ହେବ ଆଧାର

ସାଧାରଣତଃ ବ୍ୟାଙ୍କରୁ ବ୍ୟବସାୟିକ ଋଣ ପାଇବା ପାଇଁ ଜିଏସଟି ରିଟର୍ଣ୍ଣ ଏବଂ ବିଜନେସ୍ ପ୍ରମାଣ ଆବଶ୍ୟକତା ପଡ଼ିଥାଏ। କିନ୍ତୁ ବହୁ ଛୋଟ ଦୋକାନୀ କିମ୍ବା ବ୍ୟବସାୟୀଙ୍କ ପାଖାପାଖି ଜିଏସଟି ନମ୍ବର ନଥାଏ। ଏହି ସମସ୍ୟାର ସମାଧାନ ପାଇଁ ଏସବିଆଇ ଏବେ ଗ୍ରାହକଙ୍କ ୟୁପିଆଇ  କାରବାର ତଥ୍ୟକୁ ବ୍ୟବସାୟିକ ବିକ୍ରିର ପ୍ରମାଣ ଭାବେ ବ୍ୟବହାର କରିବ। ଗ୍ରାହକଙ୍କ ସମ୍ମତିକ୍ରମେ ୟୁପିଆଇ ଟ୍ରାଞ୍ଜାକ୍ସନ୍ ତଥ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ବିକଳ୍ପ ତଥ୍ୟକୁ ଯାଞ୍ଚ କରି ବ୍ୟାଙ୍କ ସେମାନଙ୍କର କ୍ରେଡିଟ୍ ଅର୍ଥାତ୍ ଋଣ ପରିଶୋଧକ୍ଷମତା ଆକଳନ କରିବ।

ଗୋଟିଏ ଦିନ ଭିତରେ ମିଳିବ ଡିଜିଟାଲ୍ ଋଣ

ଏସବିଆଇର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ତିୱାରୀଙ୍କ ସୂଚନା ଅନୁଯାୟୀ, ବ୍ୟାଙ୍କ ଗତ ଦେଢ଼ ବର୍ଷ ଭିତରେ ଜିଏସଟି ଏବଂ ପାନ୍ ତଥ୍ୟ ଆଧାରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିସାରିଛି। କିନ୍ତୁ ଯେଉଁ ବ୍ୟବସାୟୀଙ୍କର ଜିଏସଟି ନାହିଁ, ସେମାନଙ୍କ ପାଇଁ ୟୁପିଆଇ ଡାଟା ବେଶ୍ ସହାୟକ ହେବ। ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ବ୍ୟାଙ୍କ ମାତ୍ର ଗୋଟିଏ ଦିନ ଭିତରେ ସଂପୂର୍ଣ୍ଣ ଡିଜିଟାଲ୍ ପ୍ରକ୍ରିୟାରେ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ସହଜରେ FASTag ପୋର୍ଟ କରିପାରିବେ ଯାନବାହାନ ମାଲିକ
ନୂଆଦିଲ୍ଲୀ: ଯାନବାହାନ ମାଲିକମାନେ ଏବେ ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କକୁ ସହଜରେ ସେମାନଙ୍କର FASTagଗୁଡ଼ିକୁ ପୋର୍ଟ କରିପାରିବେ। ଏହି ସୁବିଧା ମୋବାଇଲ୍ ନମ୍ବର ପୋର୍ଟେବିଲିଟି ସହିତ ସମାନ ହେବ। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଶୁକ୍ରବାର ଦିନ 'ୱାନ୍ ଟ୍ୟାଗ୍' ଫ୍ରେମୱାର୍କ ଲଞ୍ଚ କରିଛନ୍ତି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏୟାରଟେଲ୍ ପେମେଣ୍ଟସ୍ ବ୍ୟାଙ୍କ ସମେତ ପ୍ରାୟ ଏକ ଡଜନ ପ୍ରମୁଖ ବ୍ୟାଙ୍କ ଏଥିରେ ସାମିଲ ହୋଇଛନ୍ତି।

ବର୍ତ୍ତମାନ, ଯଦି କୌଣସି ଉପଭୋକ୍ତା ସେମାନଙ୍କର ବର୍ତ୍ତମାନର FASTag ଜାରିକାରୀ ବ୍ୟାଙ୍କ ସହିତ ଅସନ୍ତୁଷ୍ଟ। ତେବେ ସେମାନେ ନୂତନ ଟ୍ୟାଗ୍ କିଣିବା କିମ୍ବା ପୁରୁଣା ବ୍ୟାଙ୍କ ବଦଳାଇବା ବିନା ଅନ୍ୟ ଏକ ଅଂଶଗ୍ରହଣକାରୀ ବ୍ୟାଙ୍କକୁ ସ୍ୱିଚ୍ କରିପାରିବେ। ସରକାର ଖୁବ୍ ଶୀଘ୍ର ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ବାର୍ଷିକ ସ୍ଥାନୀୟ ପାସ୍ ମଧ୍ୟ ପ୍ରଚଳନ କରିବେ। ମୂଲ୍ୟ ପ୍ରାୟ ୧୫୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ବର୍ତ୍ତମାନ, ମାସିକ ଆଧାରରେ ସ୍ଥାନୀୟ ପାସ୍ ପ୍ରଦାନ କରାଯାଏ, ଯେତେବେଳେ FASTag ବାର୍ଷିକ ପାସ୍ ସମଗ୍ର ଜାତୀୟ ରାଜପଥ ନେଟୱାର୍କରେ ଯାତ୍ରା ପାଇଁ ବୈଧ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ହାଇୱେ ଯାତ୍ରା ଆପ୍ ମାଧ୍ୟମରେ FASTag ପୋର୍ଟେବିଲିଟି କରାଯାଇପାରିବ। ସେ କହିଥିଲେ ଯେ ଜାତୀୟ ରାଜପଥ ନେଟୱାର୍କରେ ୯୮ ପ୍ରତିଶତରୁ ଅଧିକ ଟୋଲ୍ ଆଦାୟ ଏବେ FASTag ମାଧ୍ୟମରେ ହେଉଛି।

ଅଧିକ ପଢ଼ନ୍ତୁ: ବ୍ରିକ୍ସ ଶିଖର ସମ୍ମିଳନୀରେ ହେବ ୫୦ଟି ଐତିହାସିକ ଚୁକ୍ତିନାମା

ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ, ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
ଦୁବାଇ/ଭୁବନେଶ୍ୱର: ପୁଞ୍ଜି, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଭାଗିଦାରୀ ଏବଂ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ପାଇଁ ରାଜ୍ୟର ବିଶ୍ୱସ୍ତରୀୟ ପ୍ରୟାସକୁ ଜୋରଦାର କରାଯିବା ସହ ଓଡ଼ିଶା ୟୁଏଇରେ ଏହାର ତିନିଦିନିଆ ପୁଞ୍ଜିନିବେଶ ଅଭିଯାନ ଶେଷ କରିଛି। ଏହି ଅବସରରେ ମୋଟ ₹୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜିନିବେଶ ଏବଂ ୬,୧୮,୭୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବୀ ଏବଂ ଦୁବାଇରେ ଅନୁଷ୍ଠିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୫୨  ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ ବୈଠକ ଏବଂ ରାଉଣ୍ଡ ଟେବଲ୍ ଆଲୋଚନା ପରେ ୧୬ ଟି ବୁଝାମଣାପତ୍ର ଏବଂ ପୁଞ୍ଜିନିବେଶ ପ୍ରସ୍ତାବ (IIFs) ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୟୁଏଇ ନିବେଶକ, ବିଶ୍ୱସ୍ତରୀୟ ବ୍ୟବସାୟୀ, ସାର୍ବଭୌମ ତଥା ପ୍ରତିଷ୍ଠାନିକ ଅଂଶୀଦାର, ଭାରତୀୟ କୂଟନୈତିକ ପ୍ରତିନିଧି ଏବଂ ଓଡ଼ିଆ ପ୍ରବାସୀମାନେ ଏକାଠି ହୋଇଥିଲେ।

ଦୁବାଇ ରୋଡ୍‌ସୋ’: ଓଡ଼ିଶାର ପରବର୍ତ୍ତୀ ବିକାଶ କାହାଣୀ

ଉଦ୍‌ଯାପନୀ ଦିନଟି ଦୁବାଇରେ ଅନୁଷ୍ଠିତ 'ଓଡ଼ିଶା ନିବେଶକ ସମ୍ମିଳନୀ – ୟୁଏଇ ୨୦୨୬' ଉପରେ କେନ୍ଦ୍ରିତ ଥିଲା, ଯେଉଁଥିରେ ପ୍ରାୟ ୪୦୦ ଜଣ ବିଜନେସ୍ ଲିଡର, ନିବେଶକ ଏବଂ ୟୁଏଇ ବିଜନେସ କମ୍ୟୁନିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଏହାର ନିବେଶ ପ୍ରସ୍ତାବ ଉପସ୍ଥାପନ କରିବା ଏବଂ ବିଶ୍ୱବ୍ୟାପୀ ବ୍ୟବସାୟୀମାନଙ୍କୁ ରାଜ୍ୟରେ ସେମାନଙ୍କର ଉପସ୍ଥିତି ସ୍ଥାପନ କିମ୍ବା ସମ୍ପ୍ରସାରଣ କରିବା ପାଇଁ ସୁଯୋଗ ଦିଗରେ ସିଧାସଳଖ ମଞ୍ଚ ଯୋଗାଇ ଦେଇଥିଲା।

ଆଜି ଦିନର ନିବେଶ ଆଲୋଚନାରେ ପର୍ଯ୍ୟଟନ, ଲଜିଷ୍ଟିକ୍ସ, ଆର୍ଥିକ ପୁଞ୍ଜିନିବେଶ, ଏଲ୍‌ଏନ୍‌ଜି (LNG) ସଂରକ୍ଷଣ, ଗ୍ରୀନ୍ ଏନର୍ଜି, ଏଆଇ ଏବଂ ଡାଟା ସେଣ୍ଟର,  ରେୟାର୍ ଆର୍ଥସ୍, ଜାହାଜ ମରାମତି, ପ୍ରପେଲାଣ୍ଟ ଉତ୍ପାଦନ, ସାର ଓ ରାସାୟନିକ ପଦାର୍ଥ, ଗୃହ ନିର୍ମାଣ, ଇସ୍ପାତ ଏବଂ ଇସ୍ପାତ ସମ୍ବନ୍ଧୀୟ ଶିଳ୍ପ ସହିତ ଅନ୍ୟାନ୍ୟ କ୍ଷେତ୍ର ସାମିଲ ଥିଲା। ପାରମ୍ପରିକ ଖଣି ଏବଂ ଖଣିଜ କ୍ଷେତ୍ର ବ୍ୟତୀତ ପ୍ରୋସେସ୍ଡ ଫୁଡ୍ ସବୁଠାରୁ ବଡ଼ ସୁଯୋଗ ହେବ।

ଏଲ୍‌ଏନ୍‌ଜି ସଂରକ୍ଷଣ ପାଇଁ 'କାଜବା ପ୍ରୋଜେକ୍ଟ ଭେଞ୍ଚର୍ସ ଏଫ୍‌ଜେଡସିଓ' (CAZBAA Project Ventures FZCO) ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। 'ରାଣା ହୋଲ୍ଡିଂସ ଲିମିଟେଡ୍' ଗ୍ରୀନ୍ ଏନର୍ଜି, ଏଆଇ ଡାଟା ସେଣ୍ଟର ଏବଂ ରେୟାର ଆର୍ଥସ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। 'ଶରାଫ ଗ୍ରୁପ୍' ଆବାସିକ ଗୃହ କ୍ଷେତ୍ରରେ ଏବଂ 'ପିଟିସିଏଲ୍ ଇନଫ୍ରାଷ୍ଟ୍ରକଚର୍' ଷ୍ଟିଲ ଏବଂ ଷ୍ଟିଲ ଡାଉନ୍‌ଷ୍ଟ୍ରିମ୍ ଶିଳ୍ପ ଗୁଡ଼ିକ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

ଜାହାଜ ମରାମତି ପାଇଁ 'ଡାଲୱିନ୍ ମେରାଇନ୍' ଏବଂ 'ଟର୍ବୋ ପାୱାର୍ ଇଞ୍ଜିନିୟରିଂ', ପ୍ରୋପେଲାଣ୍ଟ ଉତ୍ପାଦନ କାରଖାନା ପାଇଁ 'ଆଇଅନ୍ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍', ଏବଂ ସାର ତଥା ରସାୟନ ପାଇଁ 'ଆଗ୍ରିଫିଲ୍ଡ୍‌ସ ଏଫ୍‌ଜେଡସିଓ' (Agrifields FZCO) ଠାରୁ ନିବେଶ ପ୍ରସ୍ତାବ ଗ୍ରହଣ କରାଯାଇଛି।

ରୋଡ୍‌ ଶୋ’ ସହିତ ମୁଖ୍ୟମନ୍ତ୍ରୀ ୟୁଏଇର ଅଗ୍ରଣୀ ବିଜନେସ୍ ଲିଡର ଏବଂ ନିବେଶକମାନଙ୍କ ସହିତ ଓ୍ବାନ୍-ଟୁ-ଓ୍ବାନ୍ ବୈଠକ କରିଥିଲେ, ଯାହାକି ପ୍ରକଳ୍ପ ସୁଯୋଗ, ଉତ୍ପାଦନ ଭିତ୍ତିଭୂମି, ମୂଲ୍ୟବୃଦ୍ଧି, ଟେକ୍ନୋଲୋଜି ସହଭାଗିତା ଏବଂ ଓଡ଼ିଶାରେ ଦୀର୍ଘକାଳୀନ ନିବେଶ ଉପରେ କେନ୍ଦ୍ରିତ ଥିଲା।

ନିବେଶକ ବୈଠକ ପରେ ମୁଖ୍ୟମନ୍ତ୍ରୀ ଦୁବାଇରେ ରହୁଥିବା ଓଡ଼ିଆ ପ୍ରବାସୀମାନଙ୍କୁ ମଧ୍ୟ ଭେଟିଥିଲେ, ଯେଉଁଠାରେ ୮୦୦ରୁ ଅଧିକ ଓଡ଼ିଆ ତାଙ୍କୁ ଏକ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ସମାବେଶରେ ଶାସ୍ତ୍ରୀୟ ଓଡ଼ିଶୀ ଏବଂ ପାରମ୍ପରିକ ଲୋକନୃତ୍ୟ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପ୍ରଦର୍ଶିତ ହୋଇଥିଲା। ଦୁବାଇରେ ଓଡ଼ିଆ ସମ୍ପ୍ରଦାୟ ଦ୍ୱାରା ବଜାୟ ରଖାଯାଇଥିବା ସାଂସ୍କୃତିକ ସମ୍ପର୍କକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ, ଓଡ଼ିଶାର ବିଶ୍ୱସ୍ତରୀୟ ପରିଚୟକୁ ମଜବୁତ କରିବା ଏବଂ ଏହାର ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖିବାରେ ପ୍ରବାସୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।

ତିନି ଦିନିଆ ଉଚ୍ଚସ୍ତରୀୟ ନିବେଶ କାର୍ଯ୍ୟକ୍ରମ

ୟୁଏଇ ଗସ୍ତ ଆବୁଧାବୀରୁ ସରକାରୀ, ସାର୍ବଭୌମ, ପ୍ରତିଷ୍ଠାନଗତ ଏବଂ ବ୍ୟବସାୟିକ ଅଂଶୀଦାରମାନଙ୍କ ସହିତ ଉଚ୍ଚସ୍ତରୀୟ ଆଲୋଚନା ସହିତ ଆରମ୍ଭ ହୋଇଥିଲା। ଏହାର ଏକ ପ୍ରମୁଖ ଆକର୍ଷଣ ଥିଲା 'ଇଣ୍ଟରନ୍ୟାସନାଲ ହୋଲ୍‌ଡିଂ କମ୍ପାନୀ'  ଏବଂ 'ଆଦାନୀ ଗ୍ରୁପ୍'କୁ ନେଇ ହୋଇଥିବା ରଣନୈତିକ ସହଭାଗିତା, ଯେଉଁଥିରେ କ୍ରିଟିକାଲ୍ ମିନେରାଲ ଓ ରେୟାର୍ ଆର୍ଥସ୍, ମେଟାଲ୍ସ ଓ ମେଟାଲର୍ଜି, କେମିକାଲ୍ସ ଓ ପେଟ୍ରୋ-କେମିକାଲ୍ସ, ନବୀକରଣୀୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ରଣନୈତିକ କ୍ଷେତ୍ରଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା।

ପ୍ରଥମ ଦିନରେ 'ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍' (IBPG) ସହିତ ଆଲୋଚନା, ନିବେଶ ଓ ଭିତ୍ତିଭୂମି ସୁଯୋଗ ଉପରେ ପ୍ରତିଷ୍ଠାନଗତ ଆଲୋଚନା ଏବଂ ଓଡ଼ିଶାରେ ଏକ ପେଟ୍ରୋ-କେମିକାଲ ଡାଉନ୍‌ଷ୍ଟ୍ରିମ୍ ଇକୋସିଷ୍ଟମର ସମ୍ଭାବ୍ୟ ବିକାଶ ନେଇ 'ବୋରୁଜ୍' ସହିତ ଆଲୋଚନା ହୋଇଥିଲା।

ଦ୍ୱିତୀୟ ଦିନରେ ଆଇ.ଟି. ଏବଂ ଇ.ଏସ୍.ଡି.ଏମ୍., କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ ଏବଂ ଡାଉନଷ୍ଟ୍ରିମ୍ ମାନୁଫାକ୍ଚରିଂ, ଲଜିଷ୍ଟିକ୍ସ, ଦକ୍ଷତା ବିକାଶ, ରେୟାର ଆର୍ଥସ୍, ସର୍କୁଲାର୍ ଇକୋନୋମି, କେମିକାଲ୍ସ ଏବଂ ଆଲୁମିନିୟମ କ୍ଷେତ୍ରକୁ ବ୍ୟାପକ କରାଯାଇଥିଲା। ବିଭିନ୍ନ କମ୍ପାନୀଗୁଡ଼ିକର ବୁଝାମଣାପତ୍ର ଏବଂ ନିବେଶ ପ୍ରସ୍ତାବଗୁଡ଼ିକ ସମ୍ଭାବ୍ୟ ପ୍ରକଳ୍ପ ଓ ଭାଗିଦାରୀର ପରିସରକୁ ଆହୁରି ବଢ଼ାଇଥିଲା।

ମୁଖ୍ୟମନ୍ତ୍ରୀ ମଧ୍ୟ ୟୁଏଇର ନେତୃତ୍ୱ ଏବଂ ଶିଳ୍ପ ପ୍ରତିନିଧୀଙ୍କ ସହିତ ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ ଏବଂ 'ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍' ପରିଦର୍ଶନ କରିଥିଲେ, ଯାହା ଓଡ଼ିଶାର ଡାଉନଷ୍ଟ୍ରିମ ଶିଳ୍ପ ଇକୋସିଷ୍ଟମ ସହିତ ଜଡ଼ିତ ଉନ୍ନତ ଆଲୁମିନିୟମ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଏବଂ ମୂଲ୍ୟବୃଦ୍ଧି ପଦ୍ଧତିଗୁଡ଼ିକୁ ଅନୁଧ୍ୟାନ କରିବାର ଏକ ସୁଯୋଗ ପ୍ରଦାନ କରିଥିଲା।

ନିବେଶରୁ କାର୍ଯ୍ୟାନ୍ୱୟନ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶା ମୂଲ୍ୟବୃଦ୍ଧି, ପ୍ରଯୁକ୍ତିବିଦ୍ୟା, ବିଶ୍ୱସ୍ତରୀୟ ସହଭାଗିତା ଏବଂ ଦକ୍ଷ ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ଆଧାର କରି ଶିଳ୍ପ ଅଭିବୃଦ୍ଧିର ଏକ ନୂତନ ପର୍ଯ୍ୟାୟକୁ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ଅଛି। ସେ ନିବେଶକମାନଙ୍କ ପାଇଁ ରାଜ୍ୟର ପ୍ରାକୃତିକ ସମ୍ପଦ, ପ୍ରତିଯୋଗୀ ଶକ୍ତି ଉପଲବ୍ଧତା, ରଣନୈତିକ ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ କାର୍ଯ୍ୟଶକ୍ତି ଏବଂ ଶିଳ୍ପ ଇକୋସିଷ୍ଟମକୁ ମୁଖ୍ୟ ସୁବିଧା ଭାବରେ ଉପସ୍ଥାପନ କରିଥିଲେ।

ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଓଡ଼ିଶାର ୟୁଏଇ ସହଭାଗିତା ବ୍ୟକ୍ତିଗତ ନିବେଶଠାରୁ ଆଗକୁ ଯାଇ ଉତ୍ପାଦନ, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ରପ୍ତାନି, ଇନୋଭେସନ, ଦକ୍ଷତା ଏବଂ ଉଦ୍ୟମିତାରେ ଦୀର୍ଘସ୍ଥାୟୀ ଭାଗିଦାରୀ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ସେ ୟୁଏଇର ବ୍ୟବସାୟୀମାନଙ୍କୁ ଭାରତରେ ସେମାନଙ୍କର ପରବର୍ତ୍ତୀ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ପସନ୍ଦର ଗନ୍ତବ୍ୟସ୍ଥଳ ଭାବରେ ପରିଣତ କରିବାକୁ ନିମନ୍ତ୍ରଣ କରିଥିଲେ।

ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ 'ଦ୍ରୁତ ଗତି, ନିଶ୍ଚିତତା ଏବଂ କାର୍ଯ୍ୟାନ୍ୱୟନ' ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ, ପ୍ରକଳ୍ପ ସାଇକଲର ସମସ୍ତ ସ୍ତରରେ—ଯଥା ନିବେଶ ପ୍ରସ୍ତାବ ଏବଂ ଅନୁମୋଦନଠାରୁ ଆରମ୍ଭ କରି କାର୍ଯ୍ୟକାରିତା ଏବଂ ସମ୍ପ୍ରସାରଣ ପର୍ଯ୍ୟନ୍ତ—ନିବେଶକମାନଙ୍କୁ ସକ୍ରିୟ ସହଯୋଗ ଏବଂ ପ୍ରତିଷ୍ଠାନଗତ ସହଯୋଗ ପ୍ରଦାନ କରିବାକୁ ଆଶ୍ୱାସନା ଦେଇଥିଲେ।

ଓଡ଼ିଶା-ୟୁଏଇର ଏକ ଦୃଢ଼ ବ୍ୟବସାୟିକ ଏବଂ ସାମାଜିକ ସଂଯୋଗ

ତିନିଦିନିଆ ଏହି ଅଭିଯାନରେ ବରିଷ୍ଠ ସରକାରୀ ଅଧିକାରୀ, ଭାରତୀୟ କୂଟନୈତିକ ପ୍ରତିନିଧି ଏବଂ ପ୍ରମୁଖ ବ୍ୟବସାୟୀମାନେ ଏକାଠି ହୋଇଥିଲେ, ଯାହା ଓଡ଼ିଶା ଏବଂ ୟୁଏଇର ବିଜନେସ କମ୍ୟୁନିଟି ମଧ୍ୟରେ ସିଧାସଳଖ ଓ ନିରନ୍ତର ସମ୍ପୃକ୍ତି ପାଇଁ ଏକ ମଞ୍ଚ ସୃଷ୍ଟି କରିଥିଲା।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ, ଗୃହ ତଥା ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ, ଦୁବାଇରେ ଭାରତର କନସୁଲ୍ ଜେନେରାଲ୍ ଡ. ଇ. ବିଷ୍ଣୁ ବର୍ଦ୍ଧନ ରେଡ୍ଡୀ, ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଇପିକଲର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ହୋଇଥିଲେ।

ଦୁବାଇ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଏହି ସମାବେଶ ୟୁଏଇରେ ବାସକରୁଥିବା ଓଡ଼ିଆମାନଙ୍କ ସହିତ ସାଂସ୍କୃତିକ, ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଦୃଢ଼ କରିଥିଲା ଏବଂ ଓଡ଼ିଶାର ନିବେଶ, ଉଦ୍ୟମିତା, ବାଣିଜ୍ୟ ଏବଂ ବିକାଶ ଯାତ୍ରାରେ ଅବଦାନ ରଖିବାକୁ ପ୍ରବାସୀମାନଙ୍କୁ ପ୍ରୋତ୍ସାହିତ କରିଥିଲା।

ଓଡ଼ିଶାର 'ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ' (ODOP) ସାମଗ୍ରୀଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା, ଯାହା ପ୍ରବାସୀ ସମ୍ପୃକ୍ତିରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ଏବଂ ଉଦ୍ୟୋଗିକ ଦିଗ ଯୋଡ଼ିଥିଲା। ଅଂଶଗ୍ରହଣକାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନୀୟ ଉତ୍ପାଦ ଏବଂ ଏହାର ଜିଲ୍ଲାଗୁଡ଼ିକରେ ଦେଖା ଦେଇଥିବା ଉଦ୍ୟମିତା ସମ୍ଭାବନାକୁ ଅନୁଭବ କରିଥିଲେ।

ତିନିଦିନିଆ ୟୁଏଇ ଅଭିଯାନ: ଏକ ନଜରରେ

ମୋଟ ଓ୍ବାନ୍-ଅନ-ଓ୍ବାନ୍ ବୈଠକ: ୪୬

ମୋଟ ରାଉଣ୍ଡ ଟେବୁଲ ବୈଠକ: ୬

ମୋଟ୍ ରାଉଣ୍ଡ ଟେବୁଲ ଅଂଶଗ୍ରହଣକାରୀ: ୧୬୦

ମୋଟ ସ୍ୱାକ୍ଷରିତ ବୁଝାମଣାପତ୍ର : ୮

ମୋଟ ପୁଞ୍ଜିନିବେଶ ପ୍ରସ୍ତାବ : ୧୬

ମୋଟ ପ୍ରସ୍ତାବିତ ପୁଞ୍ଜିନିବେଶ: ₹ ୨,୪୩,୧୬୨

କୋଟି ମୋଟ ନିଯୁକ୍ତି ସମ୍ଭାବନା: ୬,୧୮,୭୨୫

ପ୍ରାଥମିକ କ୍ଷେତ୍ରଗୁଡ଼ିକ: କ୍ରିଟିକାଲ୍ ମିନେରାଲ୍ସ ଏବଂ ରେୟାର ଆର୍ଥସ, ମେଟାଲ ଓ ମାଇନିଂ,  ଆଲୁମିନିୟମ ଏବଂ ଷ୍ଟିଲ ଡାଉନଷ୍ଟ୍ରିମ ଶିଳ୍ପ; କେମିକାଲ୍ସ ଏବଂ ପେଟ୍ରୋ- କେମିକାଲ୍ସ; ଗ୍ରୀନ ଏନର୍ଜି; ଏଲ୍‌ଏନ୍‌ଜି (LNG); ଆଇ.ଟି. ଏବଂ ଇ.ଏସ୍.ଡି.ଏମ୍. (ESDM); ଏଆଇ ଏବଂ ଡାଟା ସେଣ୍ଟର; ଖାଦ୍ୟ ପ୍ରକ୍ରିୟାକରଣ; ଲଜିଷ୍ଟିକ୍ସ; ଭିତ୍ତିଭୂମି; ସ୍ୱାସ୍ଥ୍ୟସେବା; ପର୍ଯ୍ୟଟନ; ରିଅଲ୍ ଇଷ୍ଟେଟ୍; ସର୍କୁଲାର୍ ଇକୋନୋମି; ଜାହାଜ ମରାମତି; ସାର; ପ୍ରୋପେଲାଣ୍ଟ ଉତ୍ପାଦନ ଏବଂ ଅନ୍ୟାନ୍ୟ ଏମର୍ଜିଂ କ୍ଷେତ୍ର ୟୁଏଇ ଅଭିଯାନର ଏହି ସଫଳ ଉଦ୍‌ଯାପନ ଓଡ଼ିଶାର ବିଶ୍ୱସ୍ତରୀୟ ନିବେଶ ରଣନୀତିକୁ ଅଧିକ ଗତିଶୀଳ କରିବା ସହିତ ୟୁଏଇ ସହିତ ଏହାର ଅର୍ଥନୈତିକ ଭାଗିଦାରୀକୁ ସୁଦୃଢ଼ କରିଛି। ପାରମ୍ପରିକ ଶକ୍ତି ଏବଂ ନୂତନ ଯୁଗର କ୍ଷେତ୍ରଗୁଡ଼ିକରେ ନିବେଶ ସୁଯୋଗର ଏକ ବ୍ୟାପକ ସମ୍ଭାବନା ସହିତ, ରାଜ୍ୟ ନିଜକୁ ବିଶ୍ୱସ୍ତରୀୟ ପୁଞ୍ଜି, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ସମନ୍ୱୟ ପାଇଁ ଏକ ପ୍ରତିଯୋଗୀ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠା କରୁଛି।

ଓଡ଼ିଶା ସରକାର ବର୍ତ୍ତମାନ ନିବେଶ ଆଗ୍ରହ ଏବଂ ପ୍ରସ୍ତାବିତ ଭାଗିଦାରୀକୁ ତୃଣମୂଳସ୍ତରରେ ପ୍ରକଳ୍ପରେ ପରିଣତ କରିବା ଦିଗରେ ଧ୍ୟାନ ଦେବେ, ଯେଉଁଥିପାଇଁ କାର୍ଯ୍ୟାନ୍ୱୟନର ଗତି, ମୂଲ୍ୟ ସୃଷ୍ଟି, ନିଯୁକ୍ତି ସୃଷ୍ଟି ଏବଂ ସୁଦୃଢ଼ ଘରୋଇ ତଥା ବିଶ୍ୱସ୍ତରୀୟ ସଂଯୋଗ ଉପରେ ଗୁରୁତ୍ୱ ଦିଆଯିବ—ଯାହା ଏକ ସମୃଦ୍ଧ, ଶିଳ୍ପଗତ ଭାବେ ଶକ୍ତିଶାଳୀ ଏବଂ ବିଶ୍ୱ ସହିତ ସଂଯୁକ୍ତ ଓଡ଼ିଶାର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବ