Khabar Odisha

କଥା ପ୍ରସଙ୍ଗରେ ଗୋବିନ୍ଦାଙ୍କ ବ୍ୟକ୍ତିଗତ ରହସ୍ୟ ଖୋଲିଲେ ସୁନୀତା ଆହୁଜା, କହିଲେ- ‘ଏବେ ସେ ହେୟାର୍ ପ୍ୟାଚ୍ ଲଗାଉଛନ୍ତି’
ସୁନୀତା ଆହୁଜା ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ ରହିଛନ୍ତି ଏବଂ ତାଙ୍କର କୌଣସି ନା କୌଣସି ଭିଡିଓ କ୍ଲିପ୍ ପ୍ରାୟତଃ ଭାଇରାଲ୍ ହେବାରେ ଲାଗିଛି। ଏବେ ସୁନୀତା ଟିଭି ଦୁନିଆରେ ମଧ୍ୟ ପାଦ ଥାପିଛନ୍ତି। ସେ ନିଜ ଝିଅ ସହ ଏକ କୁକିଙ୍ଗ୍ ଶୋ’ ‘ମାଁ ତୋ ହୈ ନା’ରେ ନଜର ଆସୁଛନ୍ତି। ଏହି ଶୋ’ର ଚର୍ଚ୍ଚା ମଧ୍ୟରେ ସୁନୀତାଙ୍କର ଏକ ସାକ୍ଷାତକାର କ୍ଲିପ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଗୋବିନ୍ଦାଙ୍କ ବିଷୟରେ କଥା ହେବା ସହ ଅଭିନେତା ଜଣକ ମୁଣ୍ଡରେ ଅସଲି ବାଳ ବଦଳରେ ହେୟାର୍ ପ୍ୟାଚ୍ (Hair Patch) ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି।

ସୁନୀତା ଆହୁଜା ନିଜର ସ୍ପଷ୍ଟବାଦୀ ଗୁଣ ଏବଂ ଦେଶୀ ଅନ୍ଦାଜ ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ପସନ୍ଦ ହୁଅନ୍ତି। ତେବେ ଏଥିପାଇଁ ଅନେକ ସମୟରେ ତାଙ୍କୁ ଟ୍ରୋଲ୍ ମଧ୍ୟ ହେବାକୁ ପଡ଼ିଥାଏ। କିଛି ଦିନ ତଳେ ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ‘GOAT’ (Greatest Of All Time) ପର୍ସନାଲିଟି ବିଷୟରେ ପଚରାଗଲା, ସେତେବେଳେ ଶିଳ୍ପା ସେଟ୍ଟୀ ଗୋବିନ୍ଦାଙ୍କୁ GOAT ବୋଲି କହିଥିଲେ, କିନ୍ତୁ ସୁନୀତା ଏହାକୁ ମନା କରିଦେଇଥିଲେ। ଏହାପରେ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ନେଗେଟିଭ୍ କମେଣ୍ଟ ଦେଇଥିଲେ। ହେଲେ ବର୍ତ୍ତମାନର ସାକ୍ଷାତକାରରେ ସେ କହିଛନ୍ତି ଯେ, ସେତେବେଳେ ତାଙ୍କୁ ଏହି ନୂଆ ଜେନ-ଜି (Gen-Z) ସ୍ଲାଙ୍ଗ୍ ‘GOAT’ର ପ୍ରକୃତ ଅର୍ଥ ଜଣା ନଥିଲା।

**ହେୟାର୍ ପ୍ୟାଚ୍‌କୁ ନେଇ କଲେ ବଡ଼ ଖୁଲାସା**

ସୁନୀତା କହିଛନ୍ତି, “ମୁଁ ଭାବିଥିଲି ‘GOAT’ ମାନେ ବୋଦା କିମ୍ବା ଛେଳି। ତେଣୁ ମୁଁ କହିଥିଲି ମୋ ସ୍ୱାମୀ କୌଣସି ଛେଳି ନୁହନ୍ତି। ପ୍ରକୃତରେ ମୁଁ କହିବାକୁ ଚାହୁଁଥିଲି ଯେ ମୋ ସ୍ୱାମୀ ଜଣେ ସିଂହ।” ଏହି ଆଲୋଚନା ସମୟରେ ସୁନୀତା, ଗୋବିନ୍ଦାଙ୍କ ସହ ତାଙ୍କର ପ୍ରଥମ ଦେଖା ବିଷୟରେ ମଧ୍ୟ କହିଥିଲେ ଏବଂ ଅଭିନେତାଙ୍କ ବ୍ୟକ୍ତିତ୍ୱର ବହୁତ ପ୍ରଶଂସା କରିଥିଲେ। ଏହି ପ୍ରସଙ୍ଗରେ ସେ କହିଥିଲେ, “ସେ ଏବେ ମଧ୍ୟ ବହୁତ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି, କିନ୍ତୁ ସେତେବେଳେ ତାଙ୍କର ଅସଲି ବାଳ ଥିଲା, ଆଉ ଏବେ ସେ ହେୟାର୍ ପ୍ୟାଚ୍ ଲଗାଉଛନ୍ତି।”

**‘ଲକ୍ ଅପ୍ ୨’ରେ ଆସିବେ ନଜର!**

ଏହି ରହସ୍ୟ ଖୋଲିବା ପରେ ସୁନୀତା କହିଛନ୍ତି ଯେ ଏଥିରେ ଲୁଚାଇବା ଭଳି କିଛି କଥା ନାହିଁ, ଆଜିକାଲି ପ୍ରାୟ ସମସ୍ତେ ଏହି ସବୁ ଜିନିଷ ବ୍ୟବହାର କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସୁନୀତା ଖୁବ୍‌ଶୀଘ୍ର ଆଉ ଏକ ବଡ଼ ରିଆଲିଟି ଶୋ’ ‘ଲକ୍ ଅପ୍ ସିଜନ ୨’ (Lock Upp 2) ରେ ନଜର ଆସିବାକୁ ଯାଉଛନ୍ତି। ଏହି ଶୋ’ର ପ୍ରଥମ ସିଜନ ସୁପରହିଟ୍ ହୋଇଥିବା ବେଳେ ଦ୍ୱାରା ଦ୍ୱିତୀୟ ସିଜନ ଆହୁରି ଅଧିକ କଷ୍ଟକର ହେବ ବୋଲି କୁହାଯାଉଛି। ସୁନୀତାଙ୍କୁ ଏହି ଶୋ’ରେ ଦେଖିବା ଦର୍ଶକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ହେବ।

ଟଙ୍କପାଣି ସାଇ ମନ୍ଦିର ତରଫରୁ ଶ୍ରୀଗୁରୁ ରଜ ଉତ୍ସବ
ରଜ ଓଡ଼ିଆ ସଂସ୍କୃତିର ଏକ ପ୍ରଧାନ ପର୍ବ । ଗାଁ ଗାଁରେ ଏହି ପର୍ବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଇଥାଏ । ବିଶେଷ କରି ମହିଳା, ଯୁବତୀ ଓ କୁନି ଝିଅମାନେ ରଜ ଦୋଳି ଖେଳି ଏହି ଉତ୍ସବର ଆନନ୍ଦ ନେଇଥାଆନ୍ତି । ଏହି ଅବସରରେ ଭଳିକି ଭଳି ମିଠା ଓ ପିଠାପଣା ସହ ରଜପାନ, ପୁଚି ଖେଳ ଏବଂ ନୃତ୍ୟଗୀତ ବିଶେଷ ଆକର୍ଷଣ ସାଜିଥାଏ । ଓଡ଼ିଆ ପରମ୍ପରାର ଏହି ମହାନ ସଂସ୍କୃତିର ଅଧିକ ପ୍ରଚାର ପ୍ରସାର କରାଇବା ଲକ୍ଷ୍ୟରେ ଶିରିଡ଼ି ସାଇ ଗ୍ଲୋବାଲ ଫାଉଣ୍ଡେସନ ଅନ୍ତର୍ଗତ ଟଙ୍କପାଣି ରୋଡସ୍ଥିତ ଶିରିଡ଼ି ସାଇବାବା ମନ୍ଦିର ପକ୍ଷରୁ ବିଶେଷ ରଜ ଉତ୍ସବର ଆୟୋଜନ କରାଯାଇଛି । କୁନି କୁନି ପିଲା ଓ ମହିଳାମାନଙ୍କ ମଧ୍ୟରେ ଝୋଟି, ପିଠାପଣା ଆଦି ପ୍ରତିଯୋଗିତା ସହ ରଜ ଦୋଳି ଖେଳର ଆୟୋଜନ କରାଯାଇଛି ।

ମହାନ ଆଧ୍ୟାତ୍ମିକ ଚିନ୍ତକ ତଥା ଗବେଷକ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ଗୁରୁ ରଜ ପ୍ରାର୍ଥନା ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅପୂର୍ବ ଭାବ ସଞ୍ଚାର କରିଥିଲା । ଗୁରୁ ରଜ ଗୀତର ତାଳେ ତାଳେ ଓଡ଼ିଆ ଝିଅ ଓ ମହିଳାମାନଙ୍କ ସହ ସ୍ଥାନୀୟ ଅଞ୍ଚଳ ସମେତ କଟକ ଓ ଭୁବନେଶ୍ୱରରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏବଂ ଭକ୍ତ ସାମିଲ ହୋଇଥିଲେ ।

ରାମାୟଣ: ଜୀବନ ବଞ୍ଚାଇବା ପାଇଁ ସୁଟିଂ ଛାଡ଼ି ପଳାଇଥିଲେ 'ରାମ' ଓ 'ଲକ୍ଷ୍ମଣ'
ରାମାନନ୍ଦ ସାଗରଙ୍କ ‘ରାମାୟଣ’ (୧୯୮୭) ପ୍ରସାରଣ ହେବାର ପ୍ରାୟ ୩୯ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପୌରାଣିକ ଚଳଚ୍ଚିତ୍ର ବା ସିରିଏଲ୍ ଏହାର ସମକକ୍ଷ ହୋଇପାରିନାହିଁ । ୮୦ ଦଶକରେ ଯେତେବେଳେ ପ୍ରଯୁକ୍ତିବିଦ୍ୟା କିମ୍ବା VFX ର ସୁବିଧା ନଥିଲା, ସେତେବେଳେ ଅନେକ ଜୋଗାଡ଼ ଏବଂ କଠିନ ପରିଶ୍ରମ ବଳରେ ଏହି ଐତିହାସିକ ସିରିଏଲ୍ ନିର୍ମାଣ କରାଯାଇଥିଲା । ଏହାର ପ୍ରତିଟି କଳାକାର ଯେପରିକି ରାମ ଭୂମିକାରେ ଅରୁଣ ଗୋଭିଲ୍, ସୀତା ଭୂମିକାରେ ଦୀପିକା ଚିଖ୍‌ଲିଆ ଏବଂ ଲକ୍ଷ୍ମଣ ଭୂମିକାରେ ସୁନୀଲ ଲହରୀ ସବୁଦିନ ପାଇଁ ଅମର ହୋଇଗଲେ । ତେବେ ଏହି ସୁଟିଂ ଏମାନଙ୍କ ପାଇଁ ଆଦୌ ସହଜ ନଥିଲା । ସୁଟିଂ ସମୟରେ ଏମିତି କିଛି ଘଟଣା ଘଟିଥିଲା ଯେଉଁଠି କଳାକାରମାନଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା ।

ଗଛରୁ ଝୁଲୁଥିଲା ବିଷଧର ସାପ, ଜୀବନ ବଞ୍ଚାଇ ଦୌଡ଼ିଲେ ରାମ-ଲକ୍ଷ୍ମଣ ଓ ସୀତା

୨୦୨୦ ମସିହାରେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୀତା (ଦୀପିକା ଚିଖ୍‌ଲିଆ) ସେହି ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା କରିଥିଲେ। ଦୀପିକାଙ୍କ ଅନୁସାରେ ସେ, ଅରୁଣ ଗୋଭିଲ୍କା ଏବଂ ସୁନୀଲ ଲହରୀ ଏକ ଗଛ ତଳେ ବସି ସୁଟିଂରେ ବ୍ୟସ୍ତ ଥିଲେ ଏବଂ ନିଜ ନିଜର ଡାଇଲଗ୍ ମନେ ପକାଉଥିଲେ । ସିନ୍ ଶେଷ ହେବା ମାତ୍ରେ କ୍ୟାମେରାମ୍ୟାନ୍ ଅଜିତ ନାଏକ ତୁରନ୍ତ ସେମାନଙ୍କ ପାଖକୁ ଆସି ସେହି ସ୍ଥାନ ଓ ଗଛ ତଳୁ ଶୀଘ୍ର ହଟିଯିବାକୁ କହିଲେ ।  ସେମାନେ ହଟିଯିବାର କାରଣ ବୁଝିବା ପୂର୍ବରୁ କ୍ୟାମେରାମ୍ୟାନ୍ ଗଛ ଆଡ଼କୁ ଇସାରା କରିଥିଲେ । ଦେଖିଲା ବେଳକୁ ସେହି ଗଛରୁ ଏକ ବହୁତ ମୋଟା ଏବଂ ବଡ଼ ସାପ ଝୁଲୁଥିଲା । ଏହା ଦେଖି ସେଠାରେ ଥିବା ସମସ୍ତ ବେଦୀ ଏବଂ ବାକି ଟେକ୍ନିସିଆନ୍‌ଙ୍କ ସହ ରାମ, ଲକ୍ଷ୍ମଣ ଓ ସୀତା ମଧ୍ୟ ନିଜ ଜୀବନ ବଞ୍ଚାଇ ସେଠାରୁ ଦୌଡ଼ି ପଳାଇଥିଲେ ।

୫୦ ଡିଗ୍ରୀ ତାପମାତ୍ରା ଏବଂ ଗରମ ବାଲିରେ ଖାଲି ପାଦରେ ସୁଟିଂ

ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ‘କୈବର୍ତ୍ତ ପ୍ରସଙ୍ଗ’ ସୁଟିଂ ସମୟର ସେହି କଷ୍ଟଦାୟକ କାହାଣୀ ବାବଦରେ ମଧ୍ୟ କହିଥିଲେ। ତାଙ୍କ ଅନୁସାରେ , ଯେତେବେଳେ ଭଗବାନ ରାମ, ସୀତା ଓ ଲକ୍ଷ୍ମଣ ଅଯୋଧ୍ୟା ଛାଡ଼ି ବନବାସ ଯାଉଛନ୍ତି, ସେହି ସମୟର କେଉଟ ସିନ୍ ଗୁଜରାଟର ରାଜପୁତଲା ଅଞ୍ଚଳରେ ନର୍ମଦା ନଦୀ କୂଳରେ ସୁଟିଂ ଚାଲିଥିଲା । ସେତେବେଳେ ସେଠାକାର ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ଥିଲା ।

ସିନ୍ ଅନୁଯାୟୀ ସେମାନଙ୍କୁ ନଦୀ ପର୍ଯ୍ୟନ୍ତ ଯିବାକୁ ଥିଲା, ଡଙ୍ଗାରେ ବସି ନଦୀ ପାର ହେବାକୁ ଥିଲା ଏବଂ ପୁଣି ନଦୀର ସେହି ପ୍ରଚଣ୍ଡ ଗରମ ବାଲିରେ ପ୍ରାୟ ୩୦ ରୁ ୫୦ ଫୁଟ ପର୍ଯ୍ୟନ୍ତ ଖାଲି ପାଦରେ ଚାଲିବାକୁ ପଡ଼ୁଥିଲା । ସିନ୍‌କୁ ପରଫେକ୍ଟ କରିବା ପାଇଁ ଅନେକ ରିଟେକ୍  ନେବାକୁ ପଡ଼ିଥିଲା ।  ପ୍ରଚଣ୍ଡ ଖରା ଯୋଗୁଁ ଯେଉଁ କଳାକାରମାନଙ୍କ ଶରୀର ଖୋଲା ଥିଲା (ବନବାସୀ ବେଶ ଯୋଗୁଁ) ଏବଂ ଯେଉଁମାନେ ଖାଲି ପାଦରେ ଥିଲେ, ସେମାନଙ୍କ ଶରୀରରେ ବଡ଼ ବଡ଼ ଫୋଟକା ପଡ଼ିଯାଇଥିଲା ଏବଂ ଚମଡ଼ା ଜଳିଯାଇଥିଲା ।

ସୁନୀଲ ଲହରୀ କହିଛନ୍ତି, "ଅନେକ ଦିନ ପର୍ଯ୍ୟନ୍ତ ଗାଧୋଇବା ସମୟରେ ପିଠିରେ ପାଣି ପଡ଼ିଲେ ଜୀବନ ଚାଲିଗଲା ଭଳି କଷ୍ଟ ହେଉଥିଲା । ପିଠିର ପୋଡ଼ିଯାଇଥିବା ଚମଡ଼ା ଦିନ ଦିନ ଧରି ଛାଡ଼ୁଥିଲା । କିନ୍ତୁ ପରଦିନ ସୁଟିଂ କରିବା ବାଧ୍ୟତାମୂଳକ ଥିବାରୁ ମୁଁ ଏବଂ ଅରୁଣ ଗୋଭିଲ୍  ପିଠିର ସେହି ଫୋଟକାଗୁଡ଼ିକୁ ମେକଅପ୍ ଦ୍ୱାରା ଲୁଚାଇ ସୁଟିଂ କରୁଥିଲୁ ।"

‘ରାମାୟଣ’ ସହ ଜଡ଼ିତ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ

ୱର୍ଲ୍ଡ ରେକର୍ଡ: ୨୦୦୩ ମସିହାରେ 'ରାମାୟଣ'ର ନାମ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଧାର୍ମିକ ସିରିଏଲ୍ ଭାବେ 'ଲିମକା ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡ' (Limca Book of World Records) ରେ ଦର୍ଜ କରାଯାଇଥିଲା ।

ଦର୍ଶକ ସଂଖ୍ୟା: ସେହି ସମୟରେ ପାଞ୍ଚଟି ମହାଦେଶରେ ଦେଖାଯାଇଥିବା ଏହି ସିରିଏଲ୍‌କୁ ସାରା ବିଶ୍ୱରେ ପ୍ରାୟ ୬୫ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ । ଲକଡାଉନ୍ ସମୟରେ ପୁନଃପ୍ରସାରଣ ବେଳେ ଗୋଟିଏ ଦିନରେ ଏହାକୁ ୭.୭ କୋଟି (୭୭ ମିଲିୟନ) ଲୋକ ଦେଖି ବିଶ୍ୱ ରେକର୍ଡ କରିଥିଲେ ।

ରାବଣ ମୃତ୍ୟୁରେ ଶୋକ: ସିରିଏଲ୍‌ରେ ଯେତେବେଳେ ଲଙ୍କାପତି ରାବଣର ମୃତ୍ୟୁ ଦେଖାଗଲା, ସେହି ଚରିତ୍ରରେ ଅଭିନୟ କରିଥିବା କଳାକାର ଅରବିନ୍ଦ ତ୍ରିବେଦୀଙ୍କ ନିଜ ଗାଁରେ ସମସ୍ତେ ଶୋକ ପାଳନ କରିଥିଲେ ।

ଜୁଗାଡ଼୍ ପ୍ରଯୁକ୍ତିବିଦ୍ୟା: ସ୍ପେଶାଲ ଇଫେକ୍ଟ୍‌ସ ପାଇଁ ଅଗରବତୀ ଧୂଆଁରୁ ମେଘ, ମୁଣ୍ଡୁଳା ତୁଳାରୁ ଆକାଶର ବାଦଲ ଏବଂ ତୀର ମାଡ଼ର ଇଫେକ୍ଟ ପାଇଁ SEG 2000 ନାମକ ଏକ ସାଧାରଣ ମେସିନ୍ ବ୍ୟବହାର କରାଯାଉଥିଲା । ମହଲ ଏବଂ ପାହାଡ଼ ପାଇଁ ଛୋଟ କଟ୍-ଆଉଟ୍ (Miniatures) ବ୍ୟବହାର କରାଯାଉଥିଲା ।

୧୯ ବର୍ଷ ପୂର୍ବେ ଆସିଥିବା Dhamaal ର ବଜେଟ୍ ଥିଲା ୧୯ କୋଟି, ଫିଲ୍ମ କେତେ ଟଙ୍କା ରୋଜଗାର କରିଥିଲା?
ଅଜୟ ଦେବଗନଙ୍କ ପାଖରେ ଅନେକ ଫିଲ୍ମ ଅଛି, ଯେଉଁଥିରେ 'ଗୋଲମାଲ୍ ୫', 'ଦୃଶ୍ୟମ୍ ୩', 'ଶୈତାନ୍ ୨' ଏବଂ 'ଧମାଲ୍ ୪' ସାମିଲ ଅଛି । ସୁପରହିଟ୍ ଫ୍ରାଞ୍ଚାଇଜ୍ 'ଧମାଲ୍'ର ଚତୁର୍ଥ ଭାଗ ୧୦ ଜୁଲାଇରେ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି, ଯେଉଁଥିରେ ଅଜୟ ଦେବଗନ୍, ଅରଶଦ ୱାର୍ସି, ରିତେଶ ଦେଶମୁଖ, ସଞ୍ଜୟ ମିଶ୍ର ଏବଂ ଜାଭେଦ ଜାଫ୍ରି ନଜର ଆସିବେ । ଏହି ଫିଲ୍ମର ରିଲିଜ୍ ପୂର୍ବରୁ ଆସନ୍ତୁ ଜାଣିବା ଯେ ୧୯ ବର୍ଷ ପୂର୍ବେ ଆସିଥିବା 'ଧମାଲ୍' କେତେ ରୋଜଗାର କରିଥିଲା ।

୭ ଡିସେମ୍ବର ୨୦୦୭ରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର କମେଡି ଫିଲ୍ମ ‘ଧମାଲ୍’ରେ ସଞ୍ଜୟ ଦତ୍ତ, ଅରଶଦ ୱାର୍ସି, ରିତେଶ ଦେଶମୁଖ, ଜାଭେଦ ଜାଫ୍ରିଙ୍କ ଭଳି କଳାକାର ଥିଲେ । ପ୍ରାୟ ୧୯ କୋଟି ଟଙ୍କାର ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମଟି ସାରା ବିଶ୍ୱରେ ୫୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିଲା ।

ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ 'ଧମାଲ୍'କୁ ଅଶୋକ ଠାକେରିଆ ଏବଂ ଇନ୍ଦ୍ର କୁମାର ମିଶି ପ୍ରୋଡ୍ୟୁସ୍ କରିଥିଲେ । ଏହି ଫିଲ୍ମର ମ୍ୟୁଜିକ୍  ଅଦନାନ ସାମି ଏବଂ ବିଶାଲ-ଶେଖର ଦେଇଥିଲେ । ସେହିପରି, ଏଥିରେ ଆଶିଷ ଚୌଧୁରୀ, ଅସରାନୀ, ବିଜୟ ରାଜ୍, ପ୍ରେମ ଚୋପ୍ରା, ଟୀକୁ ତଲସାନିଆଙ୍କ ଭଳି କଳାକାର ମଧ୍ୟ ସାମିଲ ଥିଲେ ।

ଅଜୟ ଦେବଗନଙ୍କ ବ୍ଲକବଷ୍ଟର ଫ୍ରାଞ୍ଚାଇଜ୍ 'ଧମାଲ୍'ର ତିନୋଟି ଭାଗ ଆସିସାରିଛି ଏବଂ ଏବେ ‘ଧମାଲ୍ ୪’ରୁ ମଧ୍ୟ ଲୋକଙ୍କର ବଡ଼ ଆଶା ରହିଛି, ଯାହାର ବିଗତ ଦିନରେ ଏକ ଧମାକାଦାର୍ ଟ୍ରେଲର୍ ସାମ୍ନାକୁ ଆସିଥିଲା । ଫିଲ୍ମରେ ଅଜୟ ଦେବଗନ୍, ଅରଶଦ ୱାର୍ସି, ରିତେଶ ଦେଶମୁଖ ଏବଂ ଜାଭେଦ ଜାଫ୍ରି ନଜର ଆସିବେ । ତେବେ, ଏହି ଥର ଅନିଲ କପୁର ଏବଂ ମାଧୁରୀ ଦୀକ୍ଷିତ ଫିଲ୍ମର ଅଂଶ ନାହାନ୍ତି ।

'ଧମାଲ୍ ୪'ର ବଜେଟ୍ କଥା କହିବାକୁ ଗଲେ, ଏହି ଆଗାମୀ ଫିଲ୍ମର ବଜେଟ୍ ପ୍ରାୟ  ୧୨୫ କୋଟି ବୋଲି  କୁହାଯାଉଛି । ଫିଲ୍ମର ବଡ଼ ବଜେଟ୍‌ର ମୁଖ୍ୟ ଅଂଶ ଏହାର ବଡ଼ କଳାକାରମାନଙ୍କ ଫିସ୍ ଏବଂ ଚମତ୍କାର ଭିଏଫ୍‌ଏକ୍ସ (VFX) ଉପରେ ଖର୍ଚ୍ଚ ହୋଇଛି । 'ଧମାଲ୍ ୪' ପାଇଁ କେବଳ ଅଜୟ ଦେବଗନ୍ ୪୦ କୋଟି ଫିସ୍ ନେଇଛନ୍ତି ।

ଦୃଶ୍ୟମ୍ ୩ OTT: ୨୩୭ କୋଟିର ବ୍ୟବସାୟ ପରେ ଏବେ ଓଟିଟିରେ ମୁକ୍ତିଲାଭ କରିବ ‘ଦୃଶ୍ୟମ୍ ୩’, ଜାଣନ୍ତୁ କେବେ ଓ କେଉଁ ପ୍ଲାଟଫର୍ମରେ ହେବ ପ୍ରସାରିତ?
ମୋହନଲାଲ୍ଙ୍କ ଦୃଶ୍ୟମ୍ ୩ OTT: ମୋହନଲାଲ୍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦୃଶ୍ୟମ୍ ୩' ବକ୍ସ ଅଫିସରେ ଧମାକା କରିଛି। ଏହା ମାତ୍ର ୨୩ ଦିନ ମଧ୍ୟରେ ୨୩୭ କୋଟି ଟଙ୍କାର କଲେକ୍ସନ କରିସାରିଛି। ପ୍ରେକ୍ଷାଳୟ ରେ ହଲଚଲ ସୃଷ୍ଟି କରିବା ପରେ ଏହି ସିନେମା ଏବେ ଓଟିଟିରେ ନିଜର ଯାଦୁ ଦେଖାଇବାକୁ ଆସୁଛି। ଆସନ୍ତୁ ଜାଣିବା 'ଦୃଶ୍ୟମ୍ ୩' ଓଟିଟିରେ କେବେ ଏବଂ କେଉଁଠାରେ ରିଲିଜ୍ ହେବ।

ମୋହନଲାଲ୍ଙ୍କ ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ୍ 'ଦୃଶ୍ୟମ୍'କୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ୍ ଦେଖିବାକୁ ମିଳେ। ଏହାର ତୃତୀୟ ଭାଗ ୨୧ ମଇରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଯେବେଠାରୁ 'ଦୃଶ୍ୟମ୍ ୩' ସିନେମାଘରକୁ ଆସିଛି, ସେବେଠାରୁ ଲୋକମାନେ ଏହା ଓଟିଟିକୁ ଆସିବାକୁ ଅପେକ୍ଷା କରିଛନ୍ତି। ଏବେ ଶେଷରେ ସେହି ପ୍ରତୀକ୍ଷାର ଅନ୍ତ ଘଟିଛି ଏବଂ 'ଦୃଶ୍ୟମ୍ ୩' ଜୁନ୍ ୧୮ ତାରିଖରେ ଓଟିଟିରେ ରିଲିଜ୍ ହେବାକୁ ଯାଉଛି।

'ଦୃଶ୍ୟମ୍ ୩'ର ସିନେମାଘର ପ୍ରଦର୍ଶନ ଶେଷ ହୋଇଛି ଏବଂ ଏବେ ଏହା ଡିଜିଟାଲ୍ ରିଲିଜ୍ ପାଇଁ ପ୍ରସ୍ତୁତ। ମୋହନଲାଲ୍ଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଜୁନ୍ ୧୮ରୁ ଷ୍ଟ୍ରିମିଂ ପାଇଁ ଉପଲବ୍ଧ ହେବ। ପ୍ରେକ୍ଷାଳୟ ପରେ ଏହାର ଷ୍ଟ୍ରିମିଂ ରାଇଟ୍ସ ଆମାଜନ ପ୍ରାଇମ୍ ଭିଡିଓ ପାଖରେ ରହିଛି। ଏଭଳି ପରିସ୍ଥିତିରେ ଆପଣ ଜୁନ୍ ୧୮ରୁ ଆମାଜନ ପ୍ରାଇମ୍ରେ ଏହି ସିନେମା ଦେଖିପାରିବେ।

ଆମାଜନ ପ୍ରାଇମ୍ରେ ମାଲାୟାଲମ୍ ଭାଷା ସହିତ 'ଦୃଶ୍ୟମ୍ ୩'ର ତେଲୁଗୁ, ତାମିଲ ଏବଂ କନ୍ନଡ ଭର୍ସନ ମଧ୍ୟ ଷ୍ଟ୍ରିମ୍ ହେବ। ଜିତୁ ଜୋସେଫ୍ଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଦୃଶ୍ୟମ୍ ୩'ରେ ମୀନା, ସିଦ୍ଦିକି, ଆଶା ଶରଥ, ମୁରଲୀ ଗୋପୀ, ଅନସିବା ହସନ ଏବଂ ଏସ୍ତର ଅନିଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

ମୋହନଲାଲ୍ଙ୍କ 'ଦୃଶ୍ୟମ୍ ୩' ରିଲିଜ୍ ହେବାର ୨୩ ଦିନ ପୂରଣ ହୋଇସାରିଛି ଏବଂ ଏହା ସାରା ବିଶ୍ୱର ବକ୍ସ ଅଫିସରେ ୨୩୭ କୋଟିରୁ ଅଧିକ ଟଙ୍କାର କଲେକ୍ସନ କରିସାରିଛି। ରିପୋର୍ଟ ଅନୁଯାୟୀ, 'ଦୃଶ୍ୟମ୍ ୩' ନିର୍ମାଣ କରିବାରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

'ଦୃଶ୍ୟମ୍ ୩'ର ଡିଜିଟାଲ୍ ରାଇଟ୍ସ କେବଳ ଆମାଜନ ପ୍ରାଇମ୍ ପାଖରେ ଅଛି। ଏଥିପାଇଁ ନିର୍ମାତା ଏବଂ ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓ ମଧ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାର ଚୁକ୍ତି ହୋଇଛି। ରିପୋର୍ଟ ଅନୁସାରେ, ଏହି ଫ୍ରାଞ୍ଚାଇଜ୍ର ତୃତୀୟ ଭାଗ ପାଇଁ ମୋହନଲାଲ୍ ୨୦ କୋଟି ଟଙ୍କା ଫିସ୍ ନେଇଛନ୍ତି।

ଜୁନ ୨୫ରୁ ୨୮ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ତୃତୀୟ ଫିଲ୍ମ ଫେଷ୍ଟିଭାଲ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆସନ୍ତା ଜୁନ୍ ୨୫ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା "ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ-୨୦୨୬" ର ଆନୁଷ୍ଠାନିକ କାର୍ଯ୍ୟସୂଚୀ ଉନ୍ମୋଚନ କରିଛନ୍ତି  । ଏହି ଅବସରରେ ଫେଷ୍ଟିଭାଲ ଡିରେକ୍ଟର  ଶ୍ରୀ ସଞ୍ଜୟ ପଟ୍ଟନାୟକ, କୋ-ଡିରେକ୍ଟର  ଶ୍ରୀ ସୁକାନ୍ତ ରଥ ଓ  ଶ୍ରୀ ଅଶୋକ ପାଲିତଙ୍କ ସହ ଆଲୋଚନା ସମୟରେ  ମୁଖ୍ୟମନ୍ତ୍ରୀ ଚଳଚ୍ଚିତ୍ର ମହୋତ୍ସବର  ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ ଓଡ଼ିଶାର କଳା, ଐତିହ୍ୟ ଏବଂ ସିନେମାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆଗାମୀ ବର୍ଷ (୨୦୨୭) ଠାରୁ ଏହି ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲକୁ ଆହୁରି ବଡ଼ ଏବଂ ବ୍ୟାପକ ଭାବେ  ଆୟୋଜନ କରାଯିବ । ଏହି ଆଲୋଚନାରେ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲର ନିର୍ଦ୍ଦେଶକ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ  ଧନ୍ୟବାଦ ଜ୍ଞାପନ କରିଥିଲେ । ସଂସ୍କୃତି ବିଭାଗର ଏହି ପ୍ରୋତ୍ସାହନ ରାଜ୍ୟରେ ସିନେ-ସଂସ୍କୃତିର ବିକାଶ ଏବଂ ଚଳଚ୍ଚିତ୍ରର ପ୍ରସାର ଦିଗରେ ଏକ ମାଇଲଖୁଣ୍ଟ ସଦୃଶ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍ ୨୫ ରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ରାତି ୧୦ଟା ଯାଏଁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ସହ କନ୍ନଡ଼, ହିନ୍ଦୀ, ବଙ୍ଗଳା, ମରାଠୀ, ଗୁଜରାଟୀ, ଆସାମୀୟା, ମାଲାୟଲମ୍‌ ଓ ଡେମ୍‌ସା ଭାଷାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

Also Read: ଅଙ୍ଗନବାଡ଼ୀ କର୍ମୀଙ୍କୁ ସ୍ମାର୍ଟ ଫୋନ ପ୍ରଦାନ ଓ ସୁଭଦ୍ରାଶକ୍ତି ସମ୍ୱାଦ କାର୍ଯ୍ୟକ୍ରମର ଶୁଭାରମ୍ଭ

'କାଳା ହିରଣ: ଦ ବ୍ୟାଟେଲ ଫର୍ ଲିଗାସୀ' ଫିଲ୍ମକୁ ନେଇ ବଢ଼ିଲା ବିବାଦ: ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ କଠୋର
ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନ ଏବଂ କୃଷ୍ଣସାର ମୃଗ ମାମଲାର ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର କୌଣସି ପୁରୁଣା କୋର୍ଟ କେସ୍ ନୁହେଁ, ବରଂ ଏକ ଆଗାମୀ ସିନେମାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି 'ଭାଇଜାନ୍'। ନିକଟରେ ଘୋଷଣା ହୋଇଥିବା ଚଳଚ୍ଚିତ୍ର 'କାଳା ହିରଣ: ବ୍ୟାଟେଲ ଫର୍ ଲିଗାସୀ'କୁ ନେଇ ସଲମାନ ଖାନ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି। ଏହି ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବା ପାଇଁ ସଲମାନଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଶୁକ୍ରବାର ଦିନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ଫିଲ୍ମର ନିର୍ଦ୍ଦେଶକ ତଥା ପ୍ରଯୋଜକ ଅମିତ ଜାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ଅଦାଲତରେ ସଲମାନ ଖାନଙ୍କ ପକ୍ଷ ରଖି ବରିଷ୍ଠ ଆଇନଜୀବୀ ନିଜାମ ପାଶା ଜୋରଦାର ଦଳିଲ୍ ଉପସ୍ଥାପନ କରିଥିଲେ। ସେ କୋର୍ଟଙ୍କୁ ଜଣାଇଛନ୍ତି ଯେ ଗତ ମେ ୨୯ ତାରିଖରେ ଏହି ଫିଲ୍ମର ନିର୍ମାତାମାନେ ଏକ ପୋଷ୍ଟର ଜାରି କରିଥିଲେ। ଏହି ପୋଷ୍ଟରରେ ଜଣେ ବ୍ୟକ୍ତିଙ୍କୁ ସୁପରଷ୍ଟାର ସଲମାନ ଖାନଙ୍କ ଭଳି ଦେଖାଯାଉଛି ଏବଂ ତାଙ୍କର ପୋଷାକ ମଧ୍ୟ ସଲମାନଙ୍କ ଛବି ସହ ସମ୍ପୂର୍ଣ୍ଣ ମିଳିଯାଉଛି। କୃଷ୍ଣସାର ମୃଗ ଶିକାର ମାମଲାରେ ଜଡ଼ିତ ମୋଟ ୪ଟି ଏଫ୍‌ଆଇଆର୍ ମଧ୍ୟରୁ ୩ଟିରେ ସଲମାନ ଖାନ ସମ୍ପୂର୍ଣ୍ଣ ନିର୍ଦ୍ଦୋଷରେ ଖଲାସ ହୋଇସାରିଛନ୍ତି।ଏହା ସତ୍ତ୍ୱେ ମଧ୍ୟ ଫିଲ୍ମ ମେକରମାନେ ତାଙ୍କର ପରିଚୟ ଏବଂ ବ୍ୟକ୍ତିଗତ ପରିଚୟ ସୁରକ୍ଷା ଅଧିକାରର ଉଲ୍ଲଂଘନ କରି ଏହି ସିନେମା ନିର୍ମାଣ କରୁଛନ୍ତି।

ଫିଲ୍ମର ଟ୍ରେଲର ରିଲିଜ୍, ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ଉପରେ ରୋକ୍ ଲଗାଇବାକୁ ଦାବି

ସଲମାନଙ୍କ ଓକିଲ କୋର୍ଟରେ କହିଛନ୍ତି ଯେ, ପ୍ରତିଦିନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏହି ଚଳଚ୍ଚିତ୍ର ବାହାନାରେ ସଲମାନ ଖାନଙ୍କ ନାମକୁ ନେଇ ଚର୍ଚ୍ଚା କରାଯାଉଛି, ଯାହାଦ୍ୱାରା ତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି। ଶୁକ୍ରବାର ସକାଳେ ହିଁ ଏହି ଫିଲ୍ମର ଟ୍ରେଲର ରିଲିଜ୍ କରାଯାଇଛି। ଯଦିଓ ଫିଲ୍ମ କେବେ ପ୍ରେକ୍ଷାଳୟକୁ ଆସିବ ସେ ନେଇ କୌଣସି ତାରିଖ ଘୋଷଣା ହୋଇନାହିଁ, ତଥାପି ସଲମାନଙ୍କ ପକ୍ଷରୁ ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟର ପ୍ରଚାର ପ୍ରସାର ଏବଂ ରିଲିଜ୍ ଉପରେ ସ୍ଥାୟୀ ରୋକ୍ ଲଗାଇବାକୁ ଅଦାଲତଙ୍କ ନିକଟରେ ଗୁହାରି କରାଯାଇଛି। ହାଇକୋର୍ଟ ବର୍ତ୍ତମାନ ଫିଲ୍ମ ନିର୍ମାତାଙ୍କ ଜବାବକୁ ଅପେକ୍ଷା କରିଛନ୍ତି, ଯାହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

'ମୁଁ ନକ୍ସଲ ହେବାକୁ ଚାହୁଁଥିଲି', ପବନ କଲ୍ୟାଣ ଶୁଣାଇଲେ କଶ୍ମୀରୀ ପଣ୍ଡିତଙ୍କ କାହାଣୀ, ଆଦିତ୍ୟ ଧରଙ୍କୁ କଲେ ବହୁତ ପ୍ରଶଂସା
ଟଲିଉଡ୍ ସୁପରଷ୍ଟାର୍ ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ନିଜର ଏକ ସାକ୍ଷାତକାରରେ ବଲିଉଡ୍ ନିର୍ଦ୍ଦେଶକ-ପ୍ରଯୋଜକ ଆଦିତ୍ୟ ଧର ଏବଂ ରଣବୀର ସିଂହ ଷ୍ଟାରର୍ ଫିଲ୍ମ ‘ଧୁରନ୍ଧର’ ର ବହୁତ ପ୍ରଶଂସା କରିଛନ୍ତି । ଏହାସହ ସେ ହିନ୍ଦୀ ହରର୍ ଫିଲ୍ମ ‘ବାରାମୁଲା’ ର ଉଲ୍ଲେଖ କରି ୧୯୮୦ ଦଶକ ଶେଷ ଭାଗରେ ନିଜର ଶ୍ରୀନଗର ଯାତ୍ରା ଏବଂ ମାତ୍ର ୧୭ ବର୍ଷ ବୟସରେ ନକ୍ସଲ ହେବାକୁ ନେଇ କରିଥିବା ଚିନ୍ତାଧାରା ବିଷୟରେ ବଡ଼ ଖୁଲାସା କରିଛନ୍ତି ।

ହରର୍ ଫିଲ୍ମ ପସନ୍ଦ କରନ୍ତି ପବନ କଲ୍ୟାଣ

ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା ବେଳେ ୫୪ ବର୍ଷୀୟ ଅଭିନେତା ପବନ କଲ୍ୟାଣ କହିଛନ୍ତି, "ମତେ ହରର୍ ଫିଲ୍ମ ପସନ୍ଦ, କାରଣ ଏହା ମତେ ବାନ୍ଧି ରଖେ ଏବଂ ଅନ୍ୟ କିଛି ଚିନ୍ତା କରିବାକୁ ଦିଏନାହିଁ । ମୋ ମନକୁ ଏହା ବାନ୍ଧି ରଖେ, ନଚେତ୍ ମୋ ମନ ଏଣେତେଣେ ଯିବାକୁ ଲାଗେ । ଯେତେବେଳେ ମତେ ନିଦ ଆସେନାହିଁ, ମୁଁ ହରର୍ ଫିଲ୍ମ ଦେଖେ ଏବଂ ହଠାତ୍ ମୋ ମନ ଶାନ୍ତ ହୋଇଯାଏ ।"

ସେ ୨୦୨୫ ମସିହାର ଫିଲ୍ମ ‘ବାରାମୁଲା’ର କାହାଣୀ କହିବା ଶୈଳୀକୁ ଚମତ୍କାର ବୋଲି କହିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଆଦିତ୍ୟ ସୁହାସ ଜାମ୍ଭଲେ ଦେଇଥିବା ବେଳେ ଆଦିତ୍ୟ ଧର ଏହାର ସହ-ପ୍ରଯୋଜନା କରିଥିଲେ ।

କଶ୍ମୀରରେ ବିତାଇଥିବା ସମୟ ଓ କଶ୍ମୀରୀ ପଣ୍ଡିତଙ୍କ କଥା

ପବନ କଲ୍ୟାଣ ପୁରୁଣା ସ୍ମୃତି ଚାରଣ କରି କହିଛନ୍ତି ଯେ ୧୯୮୭ ରୁ ୧୯୮୯ ମସିହା ମଧ୍ୟରେ କିଛି ଦିନ ସେ କଶ୍ମୀରରେ ବିତାଇଥିଲେ । ସେତେବେଳେ ସେଠାରେ ତେଲୁଗୁ ଫିଲ୍ମର ସୁଟିଂ ଚାଲିଥିଲା ଏବଂ ସେ ଜଣେ କିଶୋର  ଥିଲେ । ତାଙ୍କୁ ସେତେବେଳେ ‘ପବନ’ ନୁହେଁ ବରଂ ‘କଲ୍ୟାଣ’ ନାମରେ ଲୋକେ ଜାଣିଥିଲେ । ସେ ସେଠାରେ ଲଜିଷ୍ଟିକ୍ସ ଓ କିଣାକିଣି କାମ ବୁଝୁଥିଲେ ।

ସୁଟିଂ ସମୟରେ ସେ ଘାଟିରେ ଧୀରେ ଧୀରେ ବଢ଼ୁଥିବା ଅଶାନ୍ତି ଓ ତିକ୍ତତାକୁ ଅନୁଭବ କରିଥିଲେ । ସେ କହିଛନ୍ତି:

"୧୯୮୯ ମସିହାରେ ସେଠାକାର ଜଣେ ସ୍ଥାନୀୟ ବ୍ୟକ୍ତି ମତେ କହିଥିଲେ— 'ମୁଁ ଜଣେ ପଣ୍ଡିତ । ପରିସ୍ଥିତି ଦିନକୁ ଦିନ ଜଟିଳ ଓ କଠିନ ହେବାରେ ଲାଗିଛି । ମୁଁ ଜାଣିପାରୁନାହିଁ ଆମ ଅଞ୍ଚଳରେ କ’ଣ ଚାଲିଛି ଏବଂ ଆଗକୁ ଆମେ କ’ଣ କରିବୁ, କ’ଣ ହେବ ।' ସେତେବେଳେ ମୁଁ ସେହି ସାମାନ୍ୟ ହଲଚଲ ଦେଖିଥିଲି ଏବଂ କଶ୍ମୀରୀ ପଣ୍ଡିତଙ୍କ ଦୁଃଖକୁ ଅନୁଭବ କରିଥିଲି ।"

"ମୁଁ ବନ୍ଧୁକ ଉଠାଇ ନକ୍ସଲ ହେବାକୁ ଚାହୁଁଥିଲି"

୧୯୯୬ ମସିହାରେ ଫିଲ୍ମ ‘ଅକ୍ସଡା ଆମାୟୀ ଇକ୍ସଡା ଆବ୍ବାୟି’ରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିବା ପବନ କଲ୍ୟାଣ ଜଣାଇଛନ୍ତି ଯେ ଯୁବାବସ୍ଥାରେ ସେ ଏକ ଭିନ୍ନ ରାସ୍ତା ବାଛିବାକୁ ଯାଉଥିଲେ ।

ସେ କହିଛନ୍ତି, "ମୁଁ ନକ୍ସଲମାନଙ୍କ ସହ ସାମିଲ ହେବା କଥା ଚିନ୍ତା କରିଥିଲି । ୧୭ ରୁ ୨୧ ବର୍ଷ ବୟସ ମଧ୍ୟରେ ମୋ ମନରେ ଅନ୍ୟାୟ ବିରୁଦ୍ଧରେ ବହୁତ କ୍ରୋଧ ଥିଲା ଏବଂ ମୁଁ ବନ୍ଧୁକ ଉଠାଇବାକୁ ଚାହୁଁଥିଲି । ମୋ ମନରେ କିଛି ଚାଲିଥିଲା ଏବଂ ମୁଁ ପାଗଳ ପ୍ରାୟ ହେଉଥିଲି ।"

ବଡ଼ ଭାଇ ଚିରଞ୍ଜୀବୀଙ୍କ କଥା ଶୁଣି ଚୁପ୍ ରହିଗଲେ ପବନ

ଏହି ସମୟରେ ତାଙ୍କ ବଡ଼ ଭାଇ ତଥା ମେଗାଷ୍ଟାର୍ ଚିରଞ୍ଜୀବୀ ତାଙ୍କ ଜୀବନରେ ହସ୍ତକ୍ଷେପ କରିଥିଲେ ଏବଂ ତାଙ୍କୁ କିଛି ଭଲ କାମ କରିବା ପାଇଁ ପ୍ରେରଣା ଦେଇଥିଲେ । ଚିରଞ୍ଜୀବୀ ତାଙ୍କୁ ବୁଝାଇ ଗୋଟିଏ ପ୍ରଶ୍ନ ପଚାରିଥିଲେ:

"ଯଦି ତୁମର ବଡ଼ ଭାଇ ଚିରଞ୍ଜୀବୀ ନଥାନ୍ତେ, ଯଦି ତୁମ ଉପରେ ପରିବାରର ଦାୟିତ୍ୱ ଥାନ୍ତା ଏବଂ କେହି ତୁମର ଦରମା ବା ପରିଶ୍ରମ ଉପରେ ନିର୍ଭର କରୁଥାନ୍ତେ, ତେବେ କ’ଣ ତୁମେ ଏବେ ଯାହା କରୁଛ (ନକ୍ସଲ ହେବା କଥା) ତାହା କରିପାରିଥାନ୍ତ କି?"

ପବନ କଲ୍ୟାଣ କହିଛନ୍ତି, "ଏହି ପ୍ରଶ୍ନର ମୋ ପାଖରେ କୌଣସି ଉତ୍ତର ନଥିଲା, ମୁଁ ସମ୍ପୂର୍ଣ୍ଣ ଚୁପ୍ ହୋଇଗଲି । ଭାଇ ଚିରଞ୍ଜୀବୀ ହିଁ ମୋର ଏକମାତ୍ର ହିରୋ । ଯେତେବେଳେ ମୁଁ ତାଙ୍କ ପାଖରେ ଠିଆ ହୁଏ, ମୁଁ ନିଜେ ଜଣେ ହିରୋ ବୋଲି ଭୁଲିଯାଏ ।"

୨୦୦ କୋଟି ମାମଲାରେ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଝଟକା? ସୁପ୍ରିମକୋର୍ଟ ବେଞ୍ଚରୁ ଓହରିଲେ ଜଷ୍ଟିସ ମିଶ୍ର
ନ୍ୟାୟାଧୀଶ ପ୍ରଶାନ୍ତ କୁମାର ମିଶ୍ର ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ସୁପ୍ରିମକୋର୍ଟ ଆବେଦନର ଶୁଣାଣିରୁ ନିଜକୁ ଅଲଗା କରିଛନ୍ତି। ତାଙ୍କ ପୁଅ ସମ୍ପୃକ୍ତ ମାମଲାରେ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ, ଯେଉଁଥିପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ମାମଲା ଏବେ ଅନ୍ୟ ଏକ ବେଞ୍ଚକୁ ପଠାଯିବ। ସୁକେଶ ଚନ୍ଦ୍ରଶେଖର ସାମିଲ ଥିବା ଏହି ମାମଲାରେ ଦିଲ୍ଲୀ କୋର୍ଟଙ୍କ ଦ୍ୱାରା ଅଭିଯୋଗ (ଚାର୍ଜ) ଗଠନ ନିର୍ଦ୍ଦେଶ ବିରୋଧରେ ଜ୍ୟାକଲିନ୍ ଅପିଲ୍ କରିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଗୁରୁବାର ଦିନ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କ ସେହି ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି, ଯେଉଁଥିରେ ସେ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଅଭିଯୋଗ ଗଠନ କରିବା ପାଇଁ ଦିଲ୍ଲୀ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ।

ଆରମ୍ଭରୁ, ଜଷ୍ଟିସ ମିଶ୍ର ଏବେ ଜଷ୍ଟିସ ଅତୁଲ ଏସ. ଚନ୍ଦୁରକରଙ୍କ ଏକ ଆଂଶିକ କାର୍ଯ୍ୟଦିବସ (PWD) ବେଞ୍ଚ ଅଭିନେତ୍ରୀଙ୍କ ଓକିଲ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କୁ ଜଣାଇଥିଲେ ଯେ ଏହି ମାମଲା ଅନ୍ୟ ଏକ ବେଞ୍ଚକୁ ପଠାଯିବ।

ଜଷ୍ଟିସ ମିଶ୍ର କହିଛନ୍ତି, "କିଛି ଅସୁବିଧା ରହିଛି। ଏହା ସହ ଜଡ଼ିତ ଏକ ମାମଲାରେ ମୋ ପୁଅ ସରକାରଙ୍କ ପକ୍ଷରୁ ହାଜର ହୋଇଥିଲା। (ଏହି ମାମଲା) ଜୁନ୍ ୨୫ ରେ ଏଭଳି ଏକ ବେଞ୍ଚ ସମ୍ମୁଖରେ ଉପସ୍ଥାପନ କରାଯିବ, ଯେଉଁଥିରେ ଆମ ମଧ୍ୟରୁ କେହି ସଦସ୍ୟ ନଥିବେ।" ଦିଲ୍ଲୀର ଏକ କୋର୍ଟ ମେ ୩୦ ରେ ଅଭିନେତ୍ରୀ, କଥିତ ଠକ ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟ ୧୫ ଜଣଙ୍କ ବିରୋଧରେ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଅଭିଯୋଗ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଜ୍ୟାକଲିନ୍

ଟ୍ରାଏଲ୍ କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ ଚନ୍ଦ୍ରଶେଖର ଏବଂ ଅନ୍ୟ ୨୦ ଜଣଙ୍କ ବିରୋଧରେ ସହର ପୋଲିସର ସ୍ପେଶାଲ ସେଲ୍ ଦ୍ୱାରା ରୁଜୁ ହୋଇଥିବା ଅନ୍ୟ ଏକ ମାମଲାରେ କଠୋର ମକୋକା (MCOCA) ପ୍ରାବଧାନ ସହ ବିଭିନ୍ନ ଅପରାଧ ପାଇଁ ଚାର୍ଜ ଗଠନ କରାଯାଉ।

ଅଭିନେତ୍ରୀ ଏହି ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜ୍ୟାକଲିନ୍, ଯାହାଙ୍କୁ ଇଡି (ED) ତଦନ୍ତ ସମ୍ପର୍କରେ ଅନେକ ଥର ସମନ କରିଥିଲା, ତାଙ୍କୁ ପ୍ରଥମ ଥର ପାଇଁ ଏଜେନ୍ସି ଦ୍ୱାରା ଦାଖଲ କରାଯାଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟ୍ରେ ଅଭିଯୁକ୍ତ କରାଯାଇଥିଲା।

ଜ୍ୟାକଲିନଙ୍କ ଉପରେ ଇଡି ଲଗାଇଥିଲା ଏହି ଆରୋପ

ଇଡି ଜ୍ୟାକଲିନଙ୍କ ବିରୋଧରେ ନିଜର ଦ୍ୱିତୀୟ ସପ୍ଲିମେଣ୍ଟାରୀ ଅଭିଯୋଗରେ ଆରୋପ ଲଗାଇଥିଲା ଯେ ସେ ଚନ୍ଦ୍ରଶେଖରଙ୍କ ସହ କ୍ରମାଗତ ଭାବେ ଯୋଗାଯୋଗରେ ଥିଲେ ଏବଂ ତାଙ୍କ ସହଯୋଗୀ ପିଙ୍କି ଇରାନୀଙ୍କ ଜରିଆରେ ତାଙ୍କଠାରୁ ଦାମୀ ଉପହାର ସବୁ ପାଇଥିଲେ। ପ୍ରସିକ୍ୟୁସନ ଅନୁଯାୟୀ, ଚନ୍ଦ୍ରଶେଖର ଜେଲ ଭିତରୁ ଏକ ସଂଗଠିତ ଅପରାଧିକ ନେଟୱର୍କ ଚଲାଉଥିଲା ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (PMO), ଗୃହ ମନ୍ତ୍ରଣାଳୟ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସମେତ ବରିଷ୍ଠ ସରକାରୀ ଅଧିକାରୀଙ୍କ ନକଲ କରୁଥିଲା।

ଏଥିରେ ଦାବି କରାଯାଇଛି ଯେ ସ୍ପୁଫ୍ଡ କଲ୍, ଏନକ୍ରିପ୍ଟେଡ୍ ଆପ୍ଲିକେସନ ଏବଂ ନକଲି ପରିଚୟ ବ୍ୟବହାର କରି ଅଭିଯୁକ୍ତ ଅଭିଯୋଗକାରୀ ଅଦିତି ସିଂ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବଡ଼ ଧରଣର ଅର୍ଥ ଦେବା ପାଇଁ ପ୍ରବର୍ତ୍ତାଇଥିଲା।

କଇଁଚି ଚଲାଇବା ପରେ ସେନସର ବୋର୍ଡ୍ ମନୋଜ ବାୟପାୟୀଙ୍କ ଗଭର୍ଣ୍ଣରକୁ ଦେଲା ଗ୍ରୀନ୍ ସିଗନାଲ
ଅଭିନେତା ମନୋଜ ବାଜପେୟୀଙ୍କ ଆଗାମୀ ପଲିଟିକାଲ୍-ଇକୋନୋମିକ୍ ଡ୍ରାମା ଚଳଚ୍ଚିତ୍ର ‘ଗଭର୍ଣ୍ଣର’ (Governor) ଆସନ୍ତା ଜୁନ୍ ୧୨ ତାରିଖରେ ପ୍ରେକ୍ଷାଳୟକୁ ଆସିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ରିଲିଜ୍ର ମାତ୍ର କିଛି ଦିନ ପୂର୍ବରୁ ଏହି ଫିଲ୍ମକୁ ‘ସେଣ୍ଟ୍ରାଲ ବୋର୍ଡ ଫର୍ ଫିଲ୍ମ ସର୍ଟିଫିକେସନ୍’ (CBFC) ବା ସେନ୍ସର ବୋର୍ଡ ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି ।

ବୋର୍ଡ ପକ୍ଷରୁ ଏହି ରାଜନୈତିକ ଏବଂ ଅର୍ଥନୈତିକ ପୃଷ୍ଠଭୂମି ଉପରେ ଆଧାରିତ ଫିଲ୍ମକୁ UA 13+ ସର୍ଟିଫିକେଟ୍ ଦିଆଯାଇଛି । ଏହାର ଅର୍ଥ କମ୍ ବୟସର ଦର୍ଶକମାନେ ଏହାକୁ ନିଜ ପିତାମାତାଙ୍କ ତତ୍ତ୍ଵାବଧାନରେ ଦେଖିପାରିବେ । ରିପୋର୍ଟ ଅନୁଯାୟୀ, ବୋର୍ଡ ଦ୍ୱାରା ଦିଆଯାଇଥିବା କିଛି ପରିବର୍ତ୍ତନ ଓ ସଂଶୋଧନର ପରାମର୍ଶକୁ ଫିଲ୍ମରେ ଲାଗୁ କରାଯାଇସାରିଛି ।

ପ୍ରକୃତ ଘଟଣା ଉପରେ ଆଧାରିତ ‘ଗଭର୍ଣ୍ଣର’ର କାହାଣୀ

ଏହି ଚଳଚ୍ଚିତ୍ରଟି ଭାରତ ଇତିହାସର ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସଂକଟମୟ ସମୟକୁ ବଡ଼ ପରଦାରେ ଜୀବନ୍ତ କରିବାକୁ ଯାଉଛି ।

ଫିଲ୍ମର କାହାଣୀ ୧୯୯୦ ଦଶକର, ଯେତେବେଳେ ଦେଶ ଏକ ଗମ୍ଭୀର ଅର୍ଥନୈତିକ ସଂକଟ ଓ ଅସ୍ଥିରତା ଦେଇ ଗତି କରୁଥିଲା । ଦେଶର ଭବିଷ୍ୟତ ପାଇଁ ସେହି ସମୟରେ ଅନେକ ବଡ଼ ଓ କଠିନ ନିଷ୍ପତ୍ତି ନେବାର ଆବଶ୍ୟକତା ଥିଲା ।

ଫିଲ୍ମରେ ମନୋଜ ବାଜପେୟୀ ଜଣେ ‘ଗଭର୍ଣ୍ଣର’ ଭୂମିକାରେ ଅଭିନୟ କରିଛନ୍ତି, ଯାହାଙ୍କ କାନ୍ଧରେ ଦେଶକୁ ଏହି ବଡ଼ ଆର୍ଥିକ ସଂକଟରୁ ରକ୍ଷା କରିବାର ଗୁରୁ ଦାୟିତ୍ୱ ରହିଛି । ତାଙ୍କର ଏହି ଚରିତ୍ର ସାହସ, ଦୂରଦର୍ଶିତା ଏବଂ କର୍ତ୍ତବ୍ୟନିଷ୍ଠାର ପ୍ରତୀକ ଭାବେ ଉଭା ହୋଇଛି ।

କେବଳ ରାଜନୀତି ନୁହେଁ, ବରଂ ସାଧାରଣ ଜନତାଙ୍କ ସଂଘର୍ଷର କାହାଣୀ

ଫିଲ୍ମର ଟ୍ରେଲର ପୂର୍ବରୁ ହିଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି କରିସାରିଛି । ଏଥିରେ ସେହି ସମୟର ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଜନତାଙ୍କ ମଧ୍ୟରେ ଥିବା ଅସନ୍ତୋଷ, ବ୍ୟାକୁଳତା ଏବଂ ଦେଶକୁ ସମ୍ଭାଳିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା କଠୋର ପଦକ୍ଷେପଗୁଡ଼ିକୁ ଦେଖାଯାଇଛି । ଏହି ସିନେମା କେବଳ ରାଜନୈତିକ ଘଟଣାବଳୀ ମଧ୍ୟରେ ସୀମିତ ନରହି, ସେହି ପରିସ୍ଥିତି ଦ୍ୱାରା ସାଧାରଣ ଲୋକେ କିଭଳି ପ୍ରଭାବିତ ହୋଇଥିଲେ, ତାହାକୁ ମଧ୍ୟ ସାମ୍ନାକୁ ଆଣିବ ।

ଦର୍ଶକମାନଙ୍କୁ ୧୯୯୦ ଦଶକର ପ୍ରକୃତ ଅନୁଭୂତି ଦେବା ପାଇଁ ନିର୍ମାତାମାନେ ସେହି ସମୟର ସିନେମା ଟିକେଟ୍ ମୂଲ୍ୟର ଭାବନାକୁ ପୁଣିଥରେ ଉଜ୍ଜୀବିତ କରିବାକୁ ପ୍ରୟାସ କରୁଛନ୍ତି, ଯାହା ଦ୍ୱାରା ଲୋକେ ସେହି ଦୌର ସହିତ ସହଜରେ ଯୋଡ଼ି ହୋଇପାରିବେ ।

ପ୍ରସିଦ୍ଧ ଅଭିନେତା ତଥା ଫିଲ୍ମମେକର ଚିନ୍ମୟ ମାଣ୍ଡଲେକର ଏହାର ନିର୍ଦ୍ଦେଶନା ଦେଇଛନ୍ତି ।  ବିପୁଲ ଅମୃତଲାଲ ଶାହ (ମୁଖ୍ୟ ପ୍ରଯୋଜକ) ଏବଂ ଆଶିଷ ଏ. ଶାହ (ସହ-ପ୍ରଯୋଜକ) । ସୁଭେନ୍ଦୁ ଭଟ୍ଟାଚାର୍ଯ୍ୟ, ସୌରଭ ଭାରତ, ରବି ଅସରାନୀ ଏବଂ ବିପୁଲ ଶାହ ମିଳିତ ଭାବେ ଏହାର ସ୍କ୍ରିପ୍ଟ ପ୍ରସ୍ତୁତ କରିଛନ୍ତି । ଫିଲ୍ମର ଗୀତଗୁଡ଼ିକୁ ମହାନ ଗୀତିକାର ଜାଭେଦ୍ ଅଖତର ଲେଖିଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ତ୍ରିବେଦୀ ।