ଭୁବନେଶ୍ୱର, ମାର୍ଚ୍ଚ ୧୪(ଖବର ଓଡ଼ିଶା): ଆଉ ଦିନ କେଇଟା ପରେ ପୌର ନିର୍ବାଚନ । ଯାହାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ମାହୋଲ ପୁରା ସରଗରମ ରହିଛି । ଚାରିଆଡେ ଦଳୀୟ ପତାକା ସହିତ ପ୍ରଚାରେ ଉଠୁଛି ପଡୁଛି ସହରାଞ୍ଚଳ ।
ତେବେ ଆଜି ପୌର ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଯାଉଛି । ରାଜ୍ୟରେ ୧୦୬ଟି ମ୍ୟୁନିସିପାଲଟି, ଏନଏସି ଓ ୩ଟି ମହାନଗର ନିଗମ ପାଇଁ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ।
ସୂଚନା ଅନୂସାରେ ରାଜ୍ୟରେ ଗତ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଥିଲା । ଏହାପରେ ଗତ ୯ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯାଇଥିଲା ।
କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ଏନଏସିର ମୋଟ ୧୮ ଶହ ୯୯ଟି ୱାର୍ଡରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ହେବ । ଏଥିପାଇଁ ମୋଟ ୪ ହଜାର ୪୭୫ଟି ବୁଥରେ ପ୍ରାୟ ୪୧ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି ।