ଭୁବନେଶ୍ୱର, ମାର୍ଚ୍ଚ ୧୧(ଖବର ଓଡ଼ିଶା): ରାଜଧାନୀ ଭୁବନେଶ୍ୱରରେ ଏବେ ବଢିଲାଣି ନିର୍ବାଚନୀ ତାତି। ପୌର ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ଏବେ ପୁରା ସରଗରମ ରହିଛି ।
ଏଥର କିନ୍ତୁ ଭୋଟ୍ ହାତେଇବା ପାଇଁ ନିଆରା ପନ୍ଥା ଆପଣେଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ସବୁଥର ଭଳି ନିର୍ବାଚନ ପୂର୍ବରୁ ଏଥର ବି ଡେରା ପଡିଛି ରାଜଧାନୀ ପ୍ରମୁଖ ବସ୍ତି ଗୁଡିକରେ । ମାତ୍ର ଏଥର ପ୍ରଚାର ଚାଲିଛି ନିଆରା ଢଙ୍ଗରେ । ବଡ଼ ବଡ଼ ରାଜନେତାଙ୍କ ସହ ବିଶାଳ ରାଲିରେ ପହଞ୍ଚୁଛନ୍ତି ଆଶାୟୀ ପ୍ରାର୍ଥୀ ।
ଏଥର ପୌର ନିର୍ବାଚନରେ ଟାର୍ଗେଟରେ ରହିଛନ୍ତି ବସ୍ତି ଭୋଟର । ଯାହାକୁ ନେଇ ଏବେ ରାଜଧାନୀର ପ୍ରମୁଖ ବସ୍ତି ଗୁଡିକରେ ଚାଲିଛି ଜୋରଦାର ନିର୍ବାଚନ ପ୍ରଚାର । ଭୁବନେଶ୍ୱର ମହାନଗର ନିଗମରେ ୬୭ଟି ୱାର୍ଡରେ ଏବେ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ବସ୍ତି ବାସିନ୍ଦା ହୋଇଥିବାରୁ ଏମାନଙ୍କ ନିଜ ସପକ୍ଷରେ କରିବା ପାଇଁ କଳ ବଳ କୌଶଳ ଲଗାଇଛନ୍ତି ଆଶାୟୀ ପ୍ରାର୍ଥୀ ।
ପୂର୍ବ ପୌର ନିର୍ବାଚନ ଟ୍ରେଣ୍ଡକୁ ବିଶ୍ଳେଷଣ କଲେ ରାଜଧାନୀରେ ଅଧିକାଂଶ ଶିକ୍ଷିତ ଭୋଟର ମତଦାନ ଠାରୁ ଦୂରେଇ ରହୁଥିବା ବେଳେ ବସ୍ତି ଅଞ୍ଚଳ ଗୁଡିକରେ ମତଦାନ ହାର ଅଧିକ ରହୁଛି ଯାହାକୁ ନେଇ ଏବେ ବସ୍ତି ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ ରହିଛି ବୋଲି କୁହାଯାଇପାରେ ଯାହାକୁ ନେଇ ବସ୍ତିରେ ରାଜନୈତିକ ଉଷ୍ମତା ବଢି ଚାଲିଛି ।