ଗୁଜରାଟ ଓ ହିମାଚଳ ପ୍ରଦେଶରେ ଚାଲିଛି ଭୋଟ ଗଣତି । ଏହି ଭୋଟ ଗଣତିର ପ୍ରାରମ୍ଭିକ ଫଳାଫଳ ର ଟ୍ରେଣ୍ଡ ସମସ୍ତଙ୍କୁ ଚମକାଇ ଦେଇଛି । ଗୁଜରାଟରେ ହୋଇଥିବା ତ୍ରୀକୋଣିୟ ମୁକାବିଲାରେ ଉଭୟ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ବହୁ ପଛରେ ପଡିଛି । ଗୁଜରାଟ ରାଜନୀତିର ତିନି ଦମଦାର ଯୁବ ନେତା ହାର୍ଦ୍ଦିକ ପଟେଲ, ଅଳ୍ପେଶ ଠାକୁର ଓ ଜିଗ୍ନେଶ ମେୱାନୀ ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡ଼ି ବିଜେପିରୁ ନିର୍ବାଚନ ଲଢ଼ୁଥିବା ବେଳେ ଅଳ୍ପେଶ ମଧ୍ୟ ପଦ୍ମ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ଜିଗ୍ନେଶ କଂଗ୍ରେସ ପକ୍ଷରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ହାର୍ଦ୍ଦିକଙ୍କୁ ବୀରମଗାମରୁ ପ୍ରାର୍ଥୀ କରିଛି ବିଜେପି । ସେହିପରି ଜିଗ୍ନେଶ ବଡ଼ଗାମରୁ ବିଧାୟକ ଥିବା ବେଳେ କଂଗ୍ରେସ ତାଙ୍କୁ ସେହିଠାରୁ ହିଁ ଟିକେଟ ଦେଇଥିଲେ। ଅଳ୍ପେଶ ଠାକୁ ଗାନ୍ଧି ନଗର ଦକ୍ଷିଣରୁ ଲଢ଼ୁଛନ୍ତି। ତେବେ ବର୍ତ୍ତମାନ ସାମ୍ନାକୁ ଆସିଥିବା ଟ୍ରେଣ୍ତ ଅନୁଯାୟୀ, ହାର୍ଦ୍ଦିକ ପଟେଲ ପ୍ରାୟ ୨୧ ହଜାର ଭୋଟରେ ଆଗରେ ରହିଛନ୍ତି। ଏଠାରେ ହାର୍ଦ୍ଦିକଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ କଂଗ୍ରେସ ଲଖାଭାଇ ଭରୱାଡଙ୍କୁ ପ୍ରାର୍ଥୀ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳ ଅନୁସାରେ ହାର୍ଦ୍ଦିକଙ୍କ ଦବଦବା ରହିଥିଵା ଦେଖିବାକୁ ମିଳିଛି।