Home >
ସମ୍ବଲପୁରରେ ମୋଦୀଙ୍କ ପୋଷ୍ଟମ୍ୟାନ ଉପାଖ୍ୟାନ, ରାଜ୍ୟରେ କେନ୍ଦ୍ରର ବିକାଶ ରଥକୁ ରୋକୁଛି ବିଜେଡି ସରକାର
Khabar Odisha:politics-odisha-state-narendra-modi-odisha-sambalpur-targeted-bjd-and-congress
ସମ୍ବଲପୁର, ଏପ୍ରିଲ ୧୬(ଖବର ଓଡିଶା):

ଆଜି ସମ୍ବଲପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ଉଭୟ କଂଗ୍ରେସ ଏବଂ ୧୯ ବର୍ଷର ବିଜେଡି ସରକାର ଉପରେ ମୋଦୀ ବର୍ଷିଛନ୍ତି । ଉଦବୋଧନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦୀ ଅଂଚଳର ବୀର ପୁତ୍ର ଜୟୀ ରାଜଗୁରୁ, ବୀର ସୁରେନ୍ଦ୍ର ସାଏ ଙ୍କୁ ସ୍ମରଣ କରିଥିଲେ । ଏହାପରେ ସେ, ପ୍ରଭୁ ଜଗନ୍ନାଥ ମା ସମଲେଶ୍ୱରୀଙ୍କୁ ପ୍ରଣାମ ଜଣାଇଥିଲେ ।

ଏହାପରେ ସେ କହିଥିଲେ କି,ଓଡିଶା ଆସିବା ମୋ ପାଇଁ ତୀର୍ଥଯାତ୍ରା । ଏହି ଗହଳି ଟିଭି ମାଧ୍ୟମରେ ଦେଶରେ ପହଁଚୁଛି । ଏହାକୁ ଦେଖି ଅନେକ ଚକିତ ହେଉଛନ୍ତି । ଏହା ହେଉଛି ଚୌକିଦାର ପ୍ରତି ସ୍ନେହ । ପ୍ରଥମ ପର୍ଯ୍ୟାୟ ଭୋଟିଂରେ ଓଡିଶାରୁ ସଙ୍କେତ ଆସିଛି କି ଦିଲ୍ଲୀରେ ପୁଣି ଥରେ ମୋଦୀ ସରକାର ଏବଂ ଓଡିଶାରେ ବିଜେପି ସରକାର ।

କଂଗ୍ରେସକୁ ସମାଲୋଚନା

କଂଗ୍ରେସକୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ, ସମର୍ଥନ ଦେଶ ଏଥି ପାଇଁ ଦେଉଛି କାରଣ ସମସ୍ତେ ମଜବୁତ ସରକାର ଚାହାନ୍ତି । ଆମ ଦେଶରେ ସାଧନାର ଅଭାବ ନାହିଁ । ଜନତାଙ୍କ ଟଙ୍କାର ବ୍ୟବହାରର ଅଭାବ ରହିଛି । ପୂର୍ବ ସରକାର ଏହା ଉପରେ ଧ୍ୟାନ ଦେଇ ନଥିଲେ । କିନ୍ତୁ ଏବେ ଏକ ଟଙ୍କା ପଠାଇଲେ ପୂରା ଚଙ୍କା ଆସୁଛି । ଆଗରୁ ୧୫ ପଇସା ଆସୁଥିଲା । ବିକାଶ ହୋଇ ପାରୁ ନଥିଲା । ୮୫ ପଇସା କେହି ଦଲାଲ ବାଟମାରଣା କରୁଥିଲେ । ବିଦ୍ୟାଳୟ, ହସ୍ପିଟାଲ ଆଦି ନିର୍ମାଣ ହୋଇପାରୁ ନଥିଲା । ଏହି ୫ ବର୍ଷରେ ଜନତା ମୋଦୀଙ୍କ ସହ ରହିଥିବାରୁ ଏହା ସମ୍ଭବ ହୋଇଛି । ଏହି ଆଶୀର୍ବାଦ ପାଇଁ ବିଜେପିର ମଜବୁତ ସରକାର ଲୋକକଲ୍ୟାଣ କାମ କରିପାରିଛି । ଏହା ପୂର୍ବରୁ ଦିଲ୍ଲୀରେ ଦୁର୍ନୀତିଗ୍ରସ୍ତ ଏବଂ ମଜବୁର ସରକାର ଥିଲା । ଯେଉଁ ସରକାର ଚିନି, ରାସନ, ୟୁରିଆ, ଖଣିଜ, କୋଇଲା, ଗରିବଙ୍କ ଯୋଜନାରେ ଘୋଟାଲା କରୁଥିଲା । ଟଙ୍କା ଆସିଲେ ଏମାନେ ଲୋକଙ୍କ ପଇସା ଲୁଟୁଥିଲେ । ଚୌକିଦାର ଏହାକୁ ରୋକିଥିଲେ । ବିଜେପି ଏହା ଉପରେ ପ୍ରହାର କରିବା ପରେ ଏମାନେ ମୋଦୀଙ୍କୁ ଗାଳି ଦେଉଛନ୍ତି । ରାସ୍ତାରୁ ହଟାଇବା ପାଇଁ ଚେଷ୍ଟା କରୁଛନ୍ତି । ସ୍ୱାଧୀନତାର ଏତେ ବର୍ଷ ପରେ ଓଡିଶାବାସୀ ଗରିବ ହୋଇ ରହିଗଲେ । ଭେଦଭାବ, ଜାତିପ୍ରଥା କଂଗ୍ରେସ ଏବଂ ବିଜେଡି ଉପଲବ୍ଧି ।

ଜଳ ସେଚନରେ ରାଜ୍ୟ ସରକାର ବିଫଳ

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାନଦୀ ଏବଂ ହିରାକୁଦ ଭଳି ଜଳଭଣ୍ଡାର ଥିଲେ ବି ଚାଷୀ ପାଣି ପାଉନି । ଧାନରେ ପୋକ ଲାଗୁଛି । ସରକାର ଏହା ଉପରେ କିଛି କରୁନାହାନ୍ତି । କେନ୍ଦ୍ର ସରକାର ଧାନ ଉପରେ ଦେଢଗୁଣା ଏମଏସପି କଥା କହିଲେ କିନ୍ତୁ ବିଜେଡି ସରକାର ଧାନ କିଣିପାରିଲା ନାହିଁ । ପିଏମ କିଷାନ ଯୋଜନାରୁ ରାଜ୍ୟ ସରକାର ଲାଗୁ କଲେନି । ବିଜେଡି ସରକାର ଅଧା ତାଲିକା ପଠାଇଛି । ଫଳରେ କେବଳ ସାଢେ ୮ଲକ୍ଷ କୃଷକଙ୍କ ପାଖରେ ଟଙ୍କା ପହଁଚିଛି । ଏମାନେ ନିଜେ କାଳିଆ ଯୋଜନା କଲେ ଯେଉଁଥିରେ ଅବ୍ୟବସ୍ଥା ହୋଇଛି । ମେ ୨୩ରେ ପୁଣି ମୋଦୀ ସରକାର ଆସିଲେ ଓଡିଶାର ସମସ୍ତ କୃଷକଙ୍କ ବ୍ୟାଙ୍କ ଆକାଉଂଟରେ ଟଙ୍କା ପଠାଯିବ । କେହି ଦଲାଲ ଏହାକୁ ନେଇପାରିବେନି । ବିଜେପି ସରକାର ହେବା ପରେ ଏକ ଜଳଶକ୍ତି ମନ୍ତ୍ରାଳୟ ପ୍ରସ୍ତୁତ ହେବ । ଦେଶର ନଦୀ ଏବଂ ବର୍ଷା ପାଣିକୁ ଜମିରେ ପହଁଚାଯିବ । ପାଣି ସମସ୍ୟା ଦୂର ହେବ । ଏହି ଅଂଚଳର ଲୋକଙ୍କ କଲ୍ୟାଣ ବିଜେପିର ପ୍ରାଥମିକତା ।

ଖର୍ଚ୍ଚ ହୋଇନି ଡିଏଫ ଫଣ୍ଡ

ରାଜ୍ୟ ସରକାରଙ୍କ ଉପରେ ଟାର୍ଗେଟ କରି ସେ କହିଛନ୍ତି, ଅଟଳ ବିହାରୀଙ୍କ ସରକାର ବେଳେ ଆଦିବାସୀ ମନ୍ତ୍ରାଳୟ ହୋଇଥିଲା । ନୂଆ ସରକାର ଆସିବା ପରେ ମତ୍ସ୍ୟ ମନ୍ତ୍ରାଳୟ ହେବ । ମତ୍ସ୍ୟ ସଂପଦ ଯୋଜନାରେ ୧୦ହଜାର କୋଟି ଖର୍ଚ୍ଚ ହେବ । ମାଛଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡରେ ସାମିଲ କରାଯିବ । ଯେଉଁମାନେ କେବଳ ପିସି ଖାଇବା ପାଇଁ ରହିଛନ୍ତି ସେମାନେ ଆପଣଙ୍କର ଚିନ୍ତା କରିବେନି । ଖଣି ଏବଂ ଚିଟଫଣ୍ଡ ମାଫିଆଙ୍କୁ ସରକାର ପ୍ରଶ୍ରୟ ଦେଉଛନ୍ତି । ପ୍ରାକୃତିକ ସଂପଦରେ ଭରପୁର ଓଡିଶା । ଏହି ଶକ୍ତି ଭାରତକୁ ଉର୍ଜା ଯୋଗାଉଛି । କିନ୍ତୁ ଆଦିବାସୀଙ୍କ ସହ ଧୋକା ହେଉଛି । ବିଜେପି ସରକାର ଖଣି ଖୋଦନ ନିୟମ ପରିବର୍ତନ କରିଥିଲେ  । ଡିଏମଏଫ ଆରମ୍ଭ କରିଥିଲେ । ଓଡିଶାକୁ ୬୦୦୦ କୋଟି ମିଳିଲା । କିନ୍ତୁ ଖର୍ଚ୍ଚ ହୋଇପାରିଲା ନାହିଁ । କୌଣସୀ ବିକାଶମୂଳକ କାମ ହୋଇପାରିଲା ନାହିଁ । ମାତ୍ର ୧୦୦୦ କୋଟି ଖର୍ଚ୍ଚ ହେଲା । ସରକାରଙ୍କ ନୀତି ଏପରି ହେଲେ ସରକାର ବଦଳିବା ଦରକାର । ୨୦ ବର୍ଷ ଜନତା ବିଜେଡିକୁ ଭରସା କଲେ ଏବେ ପରିବର୍ତନ ନାରା ଶୁଭୁଛି ।

ପୋଷ୍ଟମ୍ୟାନ ଉପାଖ୍ୟାନ

ମୋଦୀ ଆହୁରି କହିଛନ୍ତି ଯେ,ଏଠାକାର ସରକାର ଚତୁରତାର ସହ କାମ କରୁଛନ୍ତି ।  ୧ ଟଙ୍କାରେ ଯେଉଁ ଚାଉଳ ଗରୀବଙ୍କୁ ମିଳୁଛି ସେଥିରୁ ୨୯ ଟଙ୍କା କେନ୍ଦ୍ର ଦେଉଛି । ରାଜ୍ୟ ମାତ୍ର ୨ଟଙ୍କା ଦେଉଛନ୍ତି । ଏବଂ କହୁଛନ୍ତି କି ଓଡିଶା ସରକାର ଦେଉଛନ୍ତି । ଏହା ମିଛ କଥା । ଦିଲ୍ଲୀରେ ପୁଅ ଯେଉଁ ଟଙ୍କା ପଠାଉଛି ତାହା ପୁଅ ଦେଉଛି ପୋଷ୍ଟମ୍ୟାନ ନୁହେଁ । ପିତାଙ୍କ ପାଇଁ ଯେଉଁ ପୋଷାକ ଦେଇଛି ପୁଅ ନିଜେ ଦେଉଛି ଷ୍ଟିକର ଲଗାଉଥିବା କୋରିଅରବାଲା ଦେଉନାହାନ୍ତି । ଏପରି ଅଧାଅଧୁରା ମିଛ କହୁଛନ୍ତି ରାଜ୍ୟ ସରକାର ।

୨୦୨୨ ସୁଦ୍ଧା ସବୁ ଗରିବଙ୍କୁ ପକ୍କା ଘର

ବିଜେପିର ଏହା ସଂକଳ୍ପ ମୋଦୀ ସରକାର ହେବା ପରେ ଗରିବଙ୍କୁ ଘର ଦେବା କାମ ଆହୁରି ଆଗେଇବ । ଗତ ୫ ବର୍ଷରେ ଓଡିଶାର ଗ୍ରାମରେ ୧୨ ଲକ୍ଷ ପକ୍କା ଘର ମିଳିଛି । ୨୦୨୨ ମଧ୍ୟରେ ଓଡିଶାର ସମସ୍ତ ଗରିବଙ୍କୁ ପକ୍କା ଘର ମିଳିବ । ଘରେ ବିଜୁଳି, ପାନୀୟ ଜଳ, ଗ୍ୟାସ, ଶୌଚାଳୟ ଆଦି ସମସ୍ତ ସୁବିଧା ରହିଥିବ । ଏଠାରେ ବିଜେପି ସରକାର ହେଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଗରିବ ପରିବାରକୁ ୫ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟସେବା ମିଳିବ । ଏହା ଜନତାଙ୍କ ଆଶୀର୍ବାଦର ପରିମାଣ କି ପୂର୍ବ ଭାରତ ବିକାଶର ଇଂଜିନ । ଝାରସୁଗୁଡା, ବଲାଙ୍ଗୀର, ଖୋର୍ଧା, ରାଉରକେଲାର ଅନେକ ରେଳବାଇ ପ୍ରକଳ୍ପ ଯୋଡି ହୋଇଛି । ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ହୋଇଛି । ଏହା ଆରମ୍ଭ ମାତ୍ର । ଆଗାମୀ ଦିନରେ ଏଠାରେ ଅନେକ କିଛି ହେବ । ବିଜେପିକୁ ଭୋଟ ମିଳିଲେ ଏହି ସବୁ ପୂରଣ ହେବ । ଭୁବନେଶ୍ୱର ଏବଂ ଦିଲ୍ଲୀରେ ଡବଲ ଇଂଜିନ ସରକାର ହେବ । ବିଜେପିକୁ ଭୋଟ ଦେଲେ ଏହା ମୋଦୀଙ୍କ ପାଖକୁ ଯିବ ବୋଲି ସେ ନିଜ ଅଭିଭାଷଣରେ କହିଥିଲେ । 

 

  • Tags:

Subscribe

National International State Sports Entertainment