ଚା ରେ ନିଶା ଦେଇ ଲୁଟ। ଅଚେତ ଅବସ୍ଥାରେ ପୃଥକ ସ୍ଥାନରୁ ଦୁଇ ଜଣ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଳକର ପୃଥକ ପୃଥକ ସ୍ଥାନରେ ଦେଖିବାକୁ ମିଳିଛି ଏପରି ଘଟଣା | ଲୁଟ୍ର ଶିକାର ହୋଇଥିବା ଦୁଇ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, କେନ୍ଦୁଝର ଉପଖଣ୍ଡ ଅଧିନ ସୋସୋ ଗାଁର ସେକ୍ ରଜାକ୍ ନାମକ ଜଣେ କବାଡିଆ ବ୍ଯବସାୟୀ ଗତକାଲି ସାମଗ୍ରୀ କିଣିବାକୁ ଯାଇ ଲୁଟ୍ ର ଶିକାର ହୋଇଛନ୍ତି । ବହୁ ପରିମାଣରେ ସାମଗ୍ରୀ ବିକ୍ରି ପାଇଁ କହି ଜଣେ ବ୍ଯକ୍ତି ତାଙ୍କୁ ନିଜ ମୋଟରସାଇକେଲରେ ବସାଇ ନେଇଥିଲେ । ହେଲେ ଆଜି ସକାଳୁ ନିଶାରେ ବେହୋସ୍ ଅବସ୍ଥାରେ ତାଙ୍କୁ ମୋଚିନ୍ଦା ନିକଟରୁ ଉଦ୍ଧାର କରାଯାଇଥିଲା । ଠିକ ସେହିପରି ଆନନ୍ଦପୁର ଥାନା ମୁଗୁପୁର ଗାଁର ଯୁଧିଷ୍ଟିର ଜେନା ଛେଳି ବିକ୍ରି କରିବାକୁ ଫକିରପୁର ହାଟକୁ ଆସିଥିବା ବେଳେ ତାଙ୍କୁ ପ୍ରଲୋଭନ ଦେଖାଇ ସର୍ବସ୍ବ ଲୁଟି ନେବା ସହିତ ଘଷିପୁରା ଥାନା କଇନିପୁରା ନିକଟରେ ଫିଙ୍ଗି ଦେଇଥିଲେ ଲୁଟେରା | ଏଭଳି ଲୁଟେରାଙ୍କୁ ଖୋଜି ଦଣ୍ଡିତ କରିବାକୁ ସାଧାରଣରେ ଦାବି ହୋଇଛି ।