ରାଜ୍ୟରେ ଦୁଇ ଦିନ ପରେ କମିବ ଶୀତ, ଘନ କୁହୁଡି ନେଇ ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ଭୁବନେଶ୍ୱର, ଜାନୁଆରୀ ୧୯(ଖବର ଓଡିଶା): Share story: ରାଜ୍ୟରେ ବଦଳିବ ପାଗ । ରାଜ୍ୟରେ ଆସନ୍ତା ଦୁଇ ଦିନ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହା ପରେ ଲଗାତର ତିନି ଦିନ ଯାଏ ସର୍ବନିମ୍ନ ତାପମାତ୍ରା ବଢିବ । ୨ ଦିନ ପରେ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ଓ ଶୀତ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଥିସହ ରାଜ୍ୟର ୬ ଜିଲ୍ଲାରେ ଘନ କୁହୁଡି ପଡିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ସେହିପରି ୨୪ ଘଣ୍ଟା ଭିତରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ନୟାଗଡ, କଟକ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗୁରୁବାରକୁ ଉପକୂଳ ଓଡିଶାର କେତେକ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ସେ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଖବର ଓଡ଼ିଶା, Reporter, 19/01/2022