Home >
ସୁରଟ ଅଗ୍ନିକାଣ୍ଡ: ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି, ୩ ଗିରଫ
Khabar Odisha:Surat-police-arrests-three-people-in-coaching-centre-fire-tragedy
ଗୁଜୁରାଟ, ମେ ୨୫ (ଖବର ଓଡ଼ିଶା):

ଗୁଜୁରାଟ ସୁରଟରେ କୋଚିଂ ସେଣ୍ଟରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୦ ଛୁଇଁଛି । ମୃତକଙ୍କ ମଧ୍ୟରେ ୧୬ ଜଣ ଛାତ୍ରୀ ଅଛନ୍ତି । ଆହୁରି ତିନି ଜଣଙ୍କର କିଛି ସୂଚନା ମିଳୁ ନାହିଁ ବୋଲି ଜଣାପଡ଼ିଛି । ଏବେବି ଅନେକ ଛାତ୍ର ଚିକିତ୍ସାଧୀନ ଅଛନ୍ତି । ଏହି ମାମଲାରେ ପୋଲିସ ବିଲ୍ଡିଂ ମାଲିକ, କୋଚିଂ ସେଣ୍ଟର୍‌ ମାଲିକଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ସହରରେ ଥିବା ସମସ୍ତ କୋଚିଂ ସେଣ୍ଟରଙ୍କୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁରଟ ପୋଲିସ କମିଶନର୍‌ ସତୀଶ ଶର୍ମା । 

ପୋଲିସ ବିଲ୍‌ଡର୍‌ ହରସାଲ୍‌ ଭେକାରିଆ ଓ ଜିଗ୍ନେଶ ଏବଂ କୋଚିଂ ସେଣ୍ଟର ମାଲିକ ଭାର୍ଗବ ଭୁଟାନୀଙ୍କୁ ଗିରଫ କରିଛି । ସେପଟେ ଅଗ୍ନିଶମ ବିଭାଗ କର୍ମଚାରୀ ବିଳମ୍ବରେ ଘଟଣା ସ୍ଥଳରେ ପହଁଚିଥିବା ଅଭିଯୋଗ ହୋଇଛି । ଯଦି ଠିକ୍‌ ସମୟରେ ପହଁଚିଥାଆନ୍ତ ତାହା ହେଲେ ଅଧିକ ମାତ୍ରାରେ ମୃତ୍ୟୁ ସଂଖ୍ୟାକୁ ଏଡ଼ାଇ ଦିଆଯାଇ ପାରି ଥାଆନ୍ତା ବୋଲି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି । ଏହି ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ସହରରେ ଚାଲୁଥିବା ସମସ୍ତ ଟ୍ୟୁସନ୍‌ ସେଣ୍ଟରକୁ ବର୍ତ୍ତମାନଠାରୁ ବନ୍ଦ ରଖାଯାଇଛି । ପ୍ରଥମେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇ ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍‌ ଦିଆଯିବ । ଏହା ପରେ କୋଚିଂ ସେଣ୍ଟର୍‌ ଖୋଲିବ ବୋଲି କମିଶନର ସତୀଶ ଶର୍ମା କହିଛନ୍ତି । 

ଗତକାଲି ସୁରଟର ସରଥାନା ଅଂଚଳରେ ଥିବା ଏକ ବିଲ୍ଡିଂରେ ଚାଲୁଥିବା କୋଚିଂ ସେଣ୍ଟରେ ନିଆଁ ଲାଗି ଯାଇଥିଲା । ଜୀବନ ବଞ୍ଚାଇବାକୁ ଯାଇ ପ୍ରାୟ ୧୨ ଜଣ ପିଲା ତିନି ମହଲା ଉପରକୁ ତଳକୁ ଡେଇଁ ପଡ଼ିଥିଲେ । ଫଳରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟମାନେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କୁ ମିଶାଇ ମୋଟ ୨୦ ଜଣ ପ୍ରାଣ ହରାଇଛନ୍ତି । ତେବେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଜଣେ ଛାତ୍ର କହିଛନ୍ତି ଯେ ତଳକୁ ଡେଇଁ ଛଡ଼ା ଆଉ କିଛି ରାସ୍ତା ନ ଥିଲା ।

  • Tags:

Subscribe

National International State Sports Entertainment