Home >
୨୦୨୦ରେ ଭାରତ ଆୟୋଜନ କରିବ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ
Khabar Odisha:Sports-football-India-to-host-FIFA-U-17-Womens-World-Cup-in-2020

ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡ଼ିଶା): ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ୨୦୨୦ ଭାରତରେ ଆୟୋଜନ ହେବ । ଫିଫା ସଭାପତି ଗିଆନୀ ଇନଫାନଟିନୋ ଶୁକ୍ରବାର ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ଆମେ ଘୋଷଣା କରୁଛୁ ଯେ, ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଭାରତରେ ଆୟୋଜନ ହେବ । ଆମେରିକାର ମିଆମି ଠାରେ ଫିଫା ପରିଷଦର ବୈଠକ ପରେ ଇନଫାନଟିନୋ ଏହି ଘୋଷଣା କରିଛନ୍ତି । ଭାରତରେ ଏହା ଦ୍ୱିତୀୟ ଫିଫା ଟୁର୍ଣ୍ଣାମେଣ୍ଟର ଆୟୋଜନ । ପୂର୍ବରୁ ୧୭ ବର୍ଷରୁ କମ ପୁରୁଷ ବିଶ୍ୱକପ ୨୦୧୭ରେ ଆୟୋଜନ ହୋଇଥିଲା । 

ଆୟୋଜନ ନେଇ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ ସାଧାରଣ ସଚିବ କୌଶଳ ଦାସ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଫିଫା ସଂଗଠନକୁ ଆମେ ଧନ୍ୟବାଦ ଜଣାଉଛୁ । ଆମକୁ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଆୟୋଜନ କରିବାର ସୁଯୋଗ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଦ୍ୱାରା ଦେଶରେ ମହିଳା ଫୁଟବଲ ଖେଳାଳି ଆଗକୁ ଆସିବେ ବୋଲି ସେ କହିଛନ୍ତି । ଆମେ ଫୁଟବଲ ଖେଳର ବିକାଶ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଛୁ । ସେଥିପାଇଁ ଏହି ବଶାଳ ଆୟୋଜନ କରିବାର ସୁଯୋଗ ପାଇଛୁ । 

ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇ ଗତ ବର୍ଷ ଠାରୁ ପ୍ରସ୍ତୁତି ଚାଲିଥିଲା । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ଫ୍ରାନ୍ସର ମଧ୍ୟ ଆଗ୍ରହ ଥିଲା । ଦାସ କହିଛନ୍ତି, ଫିଫାର ମ୍ୟାଚ ଗୁଡ଼ିକ କେଉଁଠାରେ ହେବ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ । ତଥାପି ଏହା ୪ ରୁ ୫ଟି ସ୍ଥାନରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ସହିତ ଭାରତ ୨୦ ବର୍ଷରୁ କମ ମହିଳା ବିଶ୍ୱକପ ମଧ୍ୟ ଆୟୋଜନ କରିବାକୁ ଆଗ୍ରହ ରଖିଛି । 

ସୂଚନାଯୋଗ୍ୟ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ୨୦୦୮ରେ ନ୍ୟୁଜିଲାଣ୍ଡରୁ ଆରମ୍ଭ ହୋଇଥିଲା । ଗତ ବର୍ଷ ଉରୁଗୁଏ ଠାରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା । ଏଥିରେ ସ୍ପେନ ୨-୧ ଗୋଲରେ ମେକ୍ସିକୋକୁ ପରାସ୍ତ କରିଥିଲା । ଏସୀୟ ଟିମ ଏହି ଟୁର୍ଣ୍ଣାମେଣ୍ଟରେ ସଫଳତା ହାସଲ କରିଛନ୍ତି । ଉତ୍ତର କୋରିଆ ୨୦୦୮ ଓ ୨୦୧୬, ଜାପାନ ୨୦୧୪ ଏବଂ ଦକ୍ଷିଣ କୋରିଆ ୨୦୧୦ରେ ଚାମ୍ପିଅନ ହୋଇଥିଲା । 

 

 

  • Tags:

Subscribe

National International State Sports Entertainment