Home >
ଭାରତ ଗସ୍ତ ପାଇଁ ଟି-୨୦ ଓ ଟେଷ୍ଟ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା, ତିନି ନୂତନ ଚେହେରା ସାମିଲ
Khabar Odisha:Sports-cricket-odisha-south-africa-announces-t-20-and-test-teams-for-india-tour-3-new-faces-included
ନୂଆଦିଲ୍ଲୀ,ଅଗଷ୍ଟ୧୩(ଖବର ଓଡ଼ିଶା):

 ଭାରତୀୟ ଦଳ ଏବେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦିନିକିଆ ପାଇଁ ପ୍ରସ୍ତୁତି କରୁଛି। ଏହା ପରେ ଆୟୋଜକ ଇଣ୍ଡିଜ ବିପକ୍ଷରେ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। ଏହା ପରେ ଆଗାମୀ ମାସରେ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ୧୫ ତାରିଖରୁ ଆରମ୍ଭ ହେବ। ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଟି-୨୦ ଓ ଟେଷ୍ଟ ଶୃଙ୍ଖଳା ପାଇଁ ଦଳ ଘୋଷଣା କରିଛି। ଟେଷ୍ଟ ଶୃଙ୍ଖଳାରେ ଅଧିନାୟକ ଦାୟିତ୍ଵ ଫାଫ ଡୁପ୍ଲେସିସ ସମ୍ଭାଳୁଥିବା ବେଳେ କ୍ଵିଣ୍ଟନ ଡି କକ ଟି-୨୦ରେ ଅଧିନାୟକ ରହିବେ।

ଟି-୨୦ ସିରିଜରୁ ଦଳ ଭାରତ ଗସ୍ତ ଆରମ୍ଭ କରିବ। ଏଥିପାଇଁ ରାସି ଭାନଡର ହୁସେନଙ୍କୁ ଉପଅଧିନାୟକ କରାଯାଇଛି। ଟେମ୍ବା ବବୁମାଙ୍କୁ ଟେଷ୍ଟ ସିରିଜର ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ବବୁମା ୩୬ଟି ଟେଷ୍ଟରେ ଗୋଟିଏ ଶତକ ଓ ୧୩ ଅର୍ଦ୍ଧଶତକ ସହ ୩୩.୦୦ ହାରରେ ୧୭୧୬ ରନ କରିଛନ୍ତି। 

କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଏହି ଗସ୍ତ ପାଇଁ କିଛି ନୂତନ ଚେହେରାକୁ ଦଳରେ ସୁଯୋଗ ଦେଇଛି। ଦ୍ରୁତ ବୋଲର ଏନରିଚ୍ ନୋର୍ଟଜେ, ସ୍ପିନ ଅଲରାଉଣ୍ଡର ସେନୁରେନ ମୁଥୁସ୍ଵାମୀ ଓ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ରୁଡି ସେକେଣ୍ଡଙ୍କୁ ଟେଷ୍ଟ ଦଳରେ ସୁଯୋଗ ଦିଆଯାଇଛି। ଅନ୍ୟପକ୍ଷେ ଟେମ୍ବା ବବୁମା, ଏନରିଚ୍ ନୋର୍ଟଜେଙ୍କୁ ପ୍ରଥମ ଥର ଟି-୨୦ ଦଳରେ ସାମିଲ କରାଯାଇଛି। ଯଦି ଏହି ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଏ ତେବେ ଏହା ସେମାନଙ୍କ ପାଇଁ ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ହେବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ଶୃଙ୍ଖଳା ଅକ୍ଟୋବର ମାସରେ ଆରମ୍ଭ ହେବ।

ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ। ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ। ବିଶ୍ଵକପରେ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ବହୁତ ନିରାଶଜନକ ଥିଲା। ଦଳ କ୍ରମାଗତ ତିନୋଟି ମ୍ୟାଚରେ ପରାଜିତ ହେବା ପରେ ପ୍ରଥମ ବିଜୟ ହାସଲ କରିଥିଲା। ଦଳ ପଏଣ୍ଟ ତାଲିକାର ସପ୍ତମରେ ଥିଲା। 

ଉଲ୍ଲେଖନୀୟ ବିଶ୍ଵକପ୍ ପରେ ଅଗଷ୍ଟ ୧ରୁ ଆଇସିସି ଟେଷ୍ଟ ଚମ୍ପିଆନସିପ୍ ଆରମ୍ଭ ହେଉଛି। ଏଥିରେ ଦୁନିଆର ସମସ୍ତ ଟେଷ୍ଟ ମାନ୍ୟତାପ୍ରାପ୍ତ ଶୀର୍ଷ ୯ ଦଳ ସାମିଲ  ହେବେ। 

ଟେଷ୍ଟ ଦଳ

ଫାଫ ଡୁପ୍ଲେସିସ୍(ଅଧିନାୟକ), ଟେମ୍ବା ବବୁମା(ଉପ ଅଧିନାୟକ), ଥିୟୁନିସ୍ ଡି ବ୍ରୁୟୁନ, କ୍ଵିଣ୍ଟନ ଡିକକ୍, ଡିନ ଏଲଗର, ଜୁବୈର ହମଜା, କେଶବ ମହାରାଜ, ଏଡିନ ମାର୍କରନ, ସେନୁରୈନ ମୁଥୁସ୍ଵାମୀ, ଲୁଙ୍ଗି ଏନଗିଡି, ଏନରିଚ୍ ନୋର୍ଟଜେ, ଭର୍ଣ୍ଣାନ ଫିଲାଣ୍ଡର, ଡେନ ପିଡଟ, କାଗିସୋ ରାବଡା, ରୁଡି ସେକେଣ୍ଡ।

ଟି-୨୦ ଦଳ

କ୍ଵିଣ୍ଟନ ଡିକକ୍(ଅଧିନାୟକ), ରାସି ଭାନ ଡର ହୁସୈନ(ଉପ ଅଧିନାୟକ), ଟେମ୍ବା ବବୁମା, ଜୁନିୟର ଡାଲା, ଜୋର୍ନେ ଫୁର୍ଟୟୁଇନ, ବେରାନ ହେଣ୍ଡ୍ରିକ୍ସ, ରେଜା ହେଣ୍ଡ୍ରିକ୍ସ, ଡେଭିଡ୍ ମିଲର, ଏନରିଚ୍ ନୋର୍ଟଜେ, ଆଣ୍ଡିଲୋ ଫେଲୁକ୍ଵାୟୋ, ଡ୍ଵେନ ପ୍ରିଟୋରିୟସ, କାଗିସୋ ରାବଡା, ତବରେଜ ସାମ୍ପି, ଜୋନ-ଜୋନ ସ୍ମୁଟସ। 

Subscribe

National International State Sports Entertainment