Home >
ଅଷ୍ଟ୍ରେଲିଆର ଅଭିଯାନ ଶେଷ: ଚତୁର୍ଥ ଥର ଫାଇନାଲରେ ଇଂଲଣ୍ଡ, ୧୪ରେ ନ୍ୟୁଜିଲାଣ୍ଡ ସହ ଟାଇଟଲ ମୁକାବିଲା
Khabar Odisha:Sports-cricket-odisha-england-beat-australia-by-8-wkts-and-entered-to-icc-wc--2019-final
ବର୍ମିଂହାମ,ଜୁଲାଇ୧୧(ଖବର ଓଡ଼ିଶା):

ଆଇସିସି ବିଶ୍ଵକପ-୨୦୧୯ର ଦ୍ଵିତୀୟ ସେମି ଫାଇନାଲରେ ଆୟୋଜକ ଇଂଲଣ୍ଡ ପାଞ୍ଚ ଥରର ବିଶ୍ଵକପ୍ ଚମ୍ପିଆନ ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟରେ ସହଜରେ ପରାସ୍ତ କରି ଦ୍ଵିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ସେମି ଫାଇନାଲରେ ହାରି ଅଷ୍ଟ୍ରେଲିଆ ଅଭିଯାନ ଶେଷ ହୋଇଛି। ଫଳରେ ବିଶ୍ଵକପର ଦ୍ଵାଦଶ ସଂସ୍କରଣର ଟାଇଟଲ ମୁକାବିଲା ଜୁଲାଇ ୧୪ରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ବିଜୟ ସହିତ ଇଂଲଣ୍ଡ ଚତୁର୍ଥ ଫାଇନାଲରେ ପ୍ରବେଶ କରିଛି। ଏହା ପୂର୍ବରୁ ଇଂଲଣ୍ଡ ୧୯୭୯, ୧୯୮୭ ଓ ୧୯୯୨ରେ ଫାଇନାଲରେ ପ୍ରବେଶ କରିଥିଲା। ଏବେ ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ଏହା ପୂର୍ବରୁ ଇଂଲଣ୍ଡ ୧୯୯୨ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲେ ହେଁ, ପାକିସ୍ତାନଠାରୁ ହାରି ରନର୍ସଅପ୍ ହୋଇଥିଲା। ମାତ୍ର ଦଳ ଏ ପର୍ଯ୍ୟନ୍ତ ବିଶ୍ଵ କପ୍ ବିଜେତା ହୋଇ ପାରି ନାହିଁ। ଏବେ ଦଳ ଟାଇଟଲ ହାସଲ କରିବାରେ ଗୋଟିଏ ପାଦ ଦୂରରେ ରହିଛି। ଅନ୍ୟ ପଟେ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଥର ଫାଇନାଲରେ ପ୍ରବେଶ କରିଛି। ମାତ୍ର ଉଭୟ ଦଳ ଏ ପର୍ଯ୍ୟନ୍ତ ବିଶ୍ଵକପ୍ ଟାଇଟଲ ଜିତି ପାରି ନାହାନ୍ତି। ଜୁଲାଇ ୧୪ ଫାଇନାଲ ମୁକାବିଲା ଯେଉଁ ଦଳ ଜିତିବ ସେ ପ୍ରଥମ ଥର ବିଶ୍ଵକପ୍ ବିଜେତା ହେବ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଗତ ବିଶ୍ଵକପରେ ଫାଇନାଲରେ ଅଷ୍ଟ୍ରେଲିଅାଠୁ ପରାସ୍ତ ହୋଇଥିଲା।

ପ୍ରଥମେ ବୋଲରଙ୍କ ଶାଣିତ ବୋଲିଂ ଏବଂ ପରେ ଦୁଇ ଓପନର ଜାସନ ରୟ ଓ ଜୋନି ବେୟାରଷ୍ଟୋଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ବଳରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ୮ ଓ୍ଵିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଷ୍ଟିଭେନ ସ୍ଥିଥଙ୍କ ୮୫ ରନର ଲଢୁଆ ପାଳି ବଳରେ ୪୯ ଓଭରରେ ୨୨୩ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ଓପନର ଜାସନ ରୟ ଓ ଜୋନି ବେୟାରଷ୍ଟୋଙ୍କ ମଧ୍ୟରେ ପ୍ରଥମ ଓ୍ଵିକେଟରେ ୧୨୪ ରନ ଭାଗିଦାରୀ ବଳରେ ଲକ୍ଷ୍ୟକୁ ୩୨.୧ ଓଭରରେ ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଜାସନ ରୟ ୬୫ ବଲରୁ ସର୍ବାଧିକ ୮୫ ରନର ବିସ୍ଫୋରକ ପାଳି ଖେଳିଥିଲେ। ଏହା ସହିତ ଜୋ ରୁଟ ୪୯ ଓ ଇଅନ ମୋର୍ଗାନ ୪୫ ରନର ଅପରାଜିତ ପାଳି ଖେଳିଥିଲେ। ଏହା ସହିତ କ୍ରିସ୍ ଓ୍ଵକ୍ସ(୨୦/୩) ବିଜୟରେ ମହତ୍ଵପୂର୍ଣ୍ଣ ଭୂମିକା ଦେଇଛନ୍ତି।

୨୨୩ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡକୁ ଏହାର ଦୁଇ ଓପନର ଜାସନ ରୟ ଓ ଜୋନି ବେୟାରଷ୍ଟୋ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟସମାନ ପ୍ରଥମରୁ ସତର୍କତାର ସହ ବ୍ୟାଟିଂ କରିଥିଲେ। ପରେ ସେଟ୍ ହେବା ପରେ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ବିଶେଷ କରି ଜାସନ ରୟ ଅଷ୍ଟ୍ରେଲିଆ ବୋଲରଙ୍କୁ ପ୍ରହାର କରିଥିଲେ। ଏହି କ୍ରମରେ ଜାସନ ରୟ ୧୮ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ। 

ପ୍ରଥମ ଓ୍ଵିକେଟ୍ ପାଇଁ ଦୁଇ ବ୍ୟାଟସମ୍ୟାନ ୧୭.୨ ଓଭରରେ ୧୨୪ ରନ ଯୋଡି ଦଳର ବିଜୟରେ ମୂଳଦୂଆ ପକାଇଥିଲେ। ଏହି ସ୍କୋରରେ ବେୟାରଷ୍ଟୋ(୩୪) ଷ୍ଟାର୍କଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପାଭିଲିୟନ ଫେରିଥିଲେ। କିନ୍ତୁ ଜାସନ ରୟ ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତିର ଶିକାର ହୋଇ ପାଭିଲିୟନ ଫେରିଥିଲେ। ସେ ୬୫ ବଲରୁ ୯ ଚୌକା  ଓ ୫ ଛକା ବଳରେ ୮୫ ରନର ବିସ୍ପୋରକ ପାଳି ଖେଳିଥିଲେ। 

ଏହା ପରେ ଜୋ ରୁଟ ଓ ଅଧିନାୟକ ଇଅନ ମୋର୍ଗାନ ଦଳର ଇନିଂସ ସମ୍ଭାଳିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ଅପରାଜିତ ୭୯ ରନ ଯୋଡ଼ି  ଦଳକୁ ବିଜୟୀ କରାଇଥିଲେ। ଅଧିନାୟକ ଇଅନ ମୋର୍ଗାନ ୪୫ ଓ ଜୋ ରୁଟ ୪୯ ରନର ଅପରାଜିତ ପାଳି ଖେଳିଥିଲେ। ଶେଷରେ ଇଂଲଣ୍ଡ ୩୨.୧ ଓଭରରେ ୨୨୬ ନ କରି ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ପୂରା ଇଂନିସରେ ଅଷ୍ଟ୍ରେଲିଆ ବୋଲର ଫିକା ନଜର ଆସିଥିଲେ। ମିଚେଲ  ଷ୍ଟାର୍କ ଓ ପାଟ କମିନ୍ସଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। 

ଅଷ୍ଟ୍ରେଲିଆ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ୧୦ ରନରେ ପ୍ରଥମ ୩ଟି ଓ୍ଵିକେଟ୍ ହରାଇ ଥିଲା। ଦଳ ୪ ରନ ସ୍କୋରରେ ଅଧିନାୟକ ଆରୋନ ଫିଞ୍ଚ(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ୧୦ ରନ ସ୍କୋରରେ ଡେଭିଡ ଓ୍ଵାର୍ଣ୍ଣର(୯)ଙ୍କୁ କ୍ରିସ୍ ଓ୍ଵକ୍ସ ଆଉଟ୍ କରି ଇଂଲଣ୍ଡକୁ ଦ୍ଵିତୀୟ ସଫଳତା ଦେଇଥିଲେ।  ପୁଣି ୧୪ ରନ ସ୍କୋରରେ ଉସମାନ ଖ୍ଵାଜାଙ୍କ ବଦଳରେ ଦଳରେ ସାମିଲ ପିଟର ହ୍ୟାଣ୍ଡସ୍କମ୍ବ(୪) ବିଦାୟ ନେଇଥିଲେ। କ୍ରିସ ଓ୍ଵକ୍ସ ପିଟରଙ୍କୁ ଆଉଟ୍ କରି ଦଳକୁ ତୃତୀୟ ସଫଳତା ଦେଇଥିଲେ।

୧୪ ରନରେ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିବା ଅଷ୍ଟ୍ରେଲିଆର ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ଷ୍ଟିଭେନ ସ୍ମିଥ ଓ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଆଲେକ୍ସ କେରି। ଉଭୟ ଚତୁର୍ଥ ଓ୍ଵିକେଟରେ ଶତକୀୟ ଭାଗିଦାରୀ ଯୋଡି ସ୍ଥିତିରେ ସାମାନ୍ୟ ଉନ୍ନତି କରିଥିଲେ। ମାତ୍ର ୧୧୭ ରନ ସ୍କୋରରେ କେରିଙ୍କୁ ଆଉଟ୍ କରି ଆଦିଲ ରସିଦ ଅଷ୍ଟ୍ରେଲିଆକୁ ବହୁତ ବଡ଼ ଝଟକା ଦେଇଥିଲେ। କେରି ୭୦ ବଲରୁ ୪ ଚୌକା ବଳରେ ୪୬ ରନ କରି ପାଭିଲିୟନ ଫେରିଥିଲେ। ଏହା ପୂର୍ବରୁ ସେ ସ୍ମିଥଙ୍କ ସହ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୦୩ ରନ ଯୋଡିଥିଲେ।

ଏହି ଯୋଡ଼ି ଭାଙ୍ଗିବା ପରେ ପୁଣି ଥରେ ଅଷ୍ଟ୍ରେଲିଆ କ୍ରମାଗତ ଓ୍ଵିକେଟ୍ ହରାଇ ବ୍ୟାକଫୁଟକୁ ଚାଲି ଯାଇଥିଲା। ଗୋଟିଏ ସ୍ମିଥ୍ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟ ପଟେ ଦଳ ଓ୍ଵିକେଟ୍ ହରାଇ ଚାଲିଥିଲା। ୧୧୮ ସ୍କୋରରେ ମାର୍କସ ଷ୍ଟୋଇନିସ(୦) ରସିଦଙ୍କ ଶିକାର ହୋଇଥିଲେ। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ ୨୩ ବଲରୁ ୨୨ ରନ କରିଥିଲେ ମଧ୍ୟ ତାହା ଦଳ ପାଇଁ ପର୍ୟ୍ୟା ପ୍ତ ହୋଇନଥିଲା। ୧୫୭ ରନ ସ୍କୋରରେ ମ୍ୟାକ୍ସଓ୍ଵେଲ ଜୋଫ୍ରା ଆର୍ଚରଙ୍କ ଦ୍ଵାରା ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଅନ୍ୟ ପଟେ ସ୍ମିଥ ୨୩ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ।

୧୬୬ ସ୍କୋରରେ ପାଟ କମିନ୍ସ(୬) ଆଉଟ୍ ହୋଇଥିଲେ। ସ୍ମିଥ ୮୫ ରନ କରି ଅଷ୍ଟମ ଖେଳାଳି ଭାବେ ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଏହା ପରେ ଅଷ୍ଟ୍ରେଲିଆ ୪୯ ଓଭରରେ ୨୨୩ ରନରେ ଅଲଆଉଟ୍ ହୋଇଥିଲା।

ଇଂଲଣ୍ଡ ପକ୍ଷରୁ ବୋଲର ଭାବେ କ୍ରିସ ଓ୍ଵକ୍ସ ୮ ଓଭରରେ ମାତ୍ର ୨୦ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ଆଦିଲ ରସିଦ ୩, ଜୋଫ୍ରା ଆର୍ଚର ୨ ଓ ମାର୍କ ଉଡ ଗୋଟିଏ ଓ୍ଵିକେଟ୍ ନେଇଥିଲେ। 

Subscribe

National International State Sports Entertainment