Home >
ଲୋକସଭା ନିର୍ବାଚନ: ବଢୁଛି ବିଜେପିର ଲୋକପ୍ରିୟତା, ୩ ରାଜ୍ୟର ୩ ବରିଷ୍ଠ ନେତା ହେଲେ ସାମିଲ
Khabar Odisha:Politics-BJP-Three-leaders-from-three-states-join-Bharatiya-Janata-Party

ନୂଆଦିଲ୍ଲୀ, ମାର୍ଚ୍ଚ ୧୫ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟିର ଲୋକପ୍ରିୟତା ବଢ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଏଜେଣ୍ଡା ଉପରେ ଦେଶବାସୀ ଏବଂ ଦେଶର ବରିଷ୍ଠ ନେତାମାନେ ମଧ୍ୟ ଖୁସି ଅନୁଭବ କରୁଛନ୍ତି । ବିଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ନୂତନ ରାସ୍ତା ଦେଖାଇଛନ୍ତି । ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ମୋଦୀ ଦେଶର ବିକାଶ ପଥକୁ ଆଗକୁ ନେଉଛନ୍ତି । ଯାହାର ଫଳ ହେଉଛି ଆଜିର ଦିନରେ ଦେଶର ବଡ଼ ବଡ଼ ନେତା ବିଜେପି ପ୍ରତି ଆକର୍ଷିତ ହୋଇଛନ୍ତି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବାର ସାତ ଦିନ ପୂରଣ ହୋଇ ନଥିଲେ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ବରିଷ୍ଠ ନେତାମାନେ ବିଜେପିରେ ସାମିଲ ହେଉଛନ୍ତି । 

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ଏନସିପିରେ ହଲଚଲ ସୃଷ୍ଟି ହୋଇଛି । ଭାରତୀୟ ଜନତା ପାର୍ଟିରେ ଗୁରୁବାର ୩ଟି ରାଜ୍ୟର ୩ ଜଣ ବରିଷ୍ଠ ବିଧାୟକ ବିଜେପିରେ ଯୋଗଦେଇଛନ୍ତି । ଏହି ତିନି ନେତା ତୃଣମୂଳ କଂଗ୍ରେସ, କଂଗ୍ରେସ ଏବଂ ବିଜୁ ଜନତା ଦଳ ଛାଡ଼ିଛନ୍ତି । ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ଅନେକ ଗୁଡ଼ିଏ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ନେତା ମଧ୍ୟ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । 

ପଶ୍ଚିମବଙ୍ଗର ଭାଟାପଡା ଆସନରୁ ତୃଣମୂଳ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ସିଂହ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି । ସେ ୪ଥର ବିଧାୟକ ହୋଇଛନ୍ତି । ଆର୍ଜୁନଙ୍କ ବିଜେପିରେ ସାମିଲ ହେବା ଯୋଗୁଁ ପଶ୍ଚିମବଙ୍ଗରେ ବିଜେପି ଆହୁରି ଶକ୍ତିଶାଳୀ ହେବ । ଅର୍ଜୁନଙ୍କ ପୂର୍ବରୁ ତୃଣମୂଳ କଂଗ୍ରେସରୁ ବହିଷ୍କୃତ ସାଂସଦ ଅନୁପମ ହାଜରା ଏବଂ କିଛି ସମର୍ଥକ ବିଜେପିରେ ସାମିଲ ହୋଇଥିଲେ । ସେହିପରି ତୃଣମୂଳ ସାଂସଦ ସୌମିତ୍ର ଖାନ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । 

କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱକୁ ଗୁରୁବାର ଶକ୍ତି ଧକ୍କା ଲାଗିଛି । ବରିଷ୍ଠ ନେତା ଟମ ଭାଡକ୍କନ ବିଜେପିରେ ସାମିଲ ହୋଇଛନ୍ତି । କେରଳର ତ୍ରିସୁର ଜିଲ୍ଲାରୁ ଟମ ଆସିଛନ୍ତି । ସେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସହାୟକ ଥିଲେ । ରାହୁଲ ଗାନ୍ଧୀ ପାର୍ଟି ଅଧ୍ୟକ୍ଷ ହେବା ପରେ ମଧ୍ୟ ଟମଙ୍କୁ ତାଙ୍କର ନିକଟର କୁହାଯାଉଥିଲା । କଂଗ୍ରେସ ଦଳ ସହିତ ୨୦ ବର୍ଷ କାମ କରିବା ପରେ ସେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । 

ଓଡ଼ିଶା ରାଜନୀତିର ଅନ୍ୟତମ ଜଣାଶୁଣା ମୁହଁ ତଥା ଜଗତସିଂହପୁର ଜିଲ୍ଲାର ପାରାଦୀପ ବିଧାୟକ ଡ. ଦାମୋଦର ରାଉତ ଶେଷରେ ବହୁଦିନ ନିରବ ରହିବା ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦାମ ରାଉତ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଦାମ ରାଉତ ବିଜେପିରେ ସାମିଲ ହେବା ପରେ ଉପକୂଳ ଓଡ଼ିଶାରେ ବିଜେପିର ସ୍ଥିତି ଆହୁରି ମଜବୁତ ହେବ ବୋଲି ଚର୍ଚ୍ଚା ହେଉଛି । 

 

 

  • Tags:

Subscribe

National International State Sports Entertainment