Home >
ବାରାଣସୀରେ ୨୬ରେ ୫ ଲକ୍ଷ ସମର୍ଥକଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିବେ ମୋଦୀ!
Khabar Odisha:Politics-BJP-Modi-to-file-nomination-from-Varanasi-on-26th-April-preparations-underway

ବାରାଣସୀ, ଏପ୍ରିଲ ୧୬ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମାଙ୍କନ ଏବଂ ରୋଡ ଶୋ’କୁ ଭାରତୀୟ ଜନତା ପାର୍ଟି ଐତିହାସିକ କରିବାକୁ ପ୍ରସ୍ତୁତ କରୁଛି । ମୋଦୀ ଏପ୍ରିଲ ୨୬ରେ ଏଠାରୁ ନାମାଙ୍କନ ଦାଖଲ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଏଥି ପାଇଁ ଅନେକ ଗୁଡ଼ିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସେନା ଏଠାକୁ ମୋର୍ଚ୍ଚା ସମ୍ଭାଳିବାକୁ ଆସୁଛନ୍ତି । ମୋଦୀଙ୍କ ନାମାଙ୍କନ ସମୟରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ରହିପାରନ୍ତି । ଏଥି ସହିତ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ବ୍ୟତୀତ ବିଜେପିର ଲୋକପ୍ରିୟ ନେତା ଉପସ୍ଥିତ ରହିବେ । 

ଆକଳନ କରାଯାଉଛି ଯେ, ଏପ୍ରିଲ ୬ରେ ମୋଦୀ ନାମାଙ୍କନ ଦାଖଲ କରିବା ପୂର୍ବରୁ ଏକ ବିଶାଳ ରୋଡ ଶୋ’ରେ ଯୋଗଦେବେ, ଯେଉଁଥିରେ ପ୍ରାୟ ୫ ଲକ୍ଷ ସମର୍ଥକ ଉପସ୍ଥିତ ରହିବେ । ବର୍ଷ ୨୦୧୪ ତୁଳନାରେ ଏଥର ନିର୍ବାଚନ ଆହୁରି ରୋମାଂଚକର ହେଉଥିବାରୁ ବାରାଣସୀ ଏପ୍ରିଲ ୨୬ରେ ମିନି ଇଣ୍ଡିଆରେ ପରିବର୍ତ୍ତନ ହୋଇଯିବ । କାରଣ ବିଜେପି ବିଭିନ୍ନ ରାଜ୍ୟରୁ ୫ ଲକ୍ଷ କାର୍ଯ୍ୟକର୍ତ୍ତା, ସମର୍ଥକ ଓ ପ୍ରଶଂସକଙ୍କୁ ଏକତ୍ର କରିବାକୁ ଉଦ୍ୟମ କରୁଛି । ମୋଦୀ ସୁସଜ୍ଜିତ କମଳ ରଥରେ ଚଢ଼ି ୧୦ କିଲୋମିଟର ରୋଡ ଶୋ’ କରିବେ । 

ରୋଡ ଶୋ’ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଙ୍ଗା ଏପ୍ରିଲ ୨୫ରେ ମାତାଙ୍କୁ ପୂଜା କରିବେ । ଗତ ଥର ସେ ସାଂସଦ ହେବାର ପରବର୍ତ୍ତୀ ଦିନ ଗଙ୍ଗାନଦୀ କୂଳରେ ପହଂଚି ପୂଜାର୍ଚ୍ଚନା କରିଥିଲେ । ମୋଦୀଙ୍କ ନିର୍ବାଚନ ରଥ ପୁରୁଣା ବାରାଣସୀ ଦେଇ ଗଙ୍ଗା ତଟରେ ପହଂଚିବ । ପୂରା ସହରକୁ ଗେରୁଆ ରଂଗରେ ସଜାଇ ଦିଆଯିବାକୁ ବିଜେପି ପ୍ରସ୍ତୁତ କରିଛି ମାଷ୍ଟର ପ୍ଲାନ । ରାଲି ସମୟରେ ସମର୍ଥକମାନେ ଗେରୁଆ ବସ୍ତ୍ର ପରିଧାନ କରି ଘଣ୍ଟ ଶଙ୍ଖ ବଜାଇବେ । ମୋଦୀଙ୍କ ରଥକୁ ପଦ୍ମଫୁଲରେ ସଜାଯିବ ବୋଲି ନିର୍ବାଚନ ପ୍ରଭାରୀ ଏମଏଲସି ଲକ୍ଷ୍ମଣ ଆଚାର୍ଯ୍ୟ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବୁଥ ସ୍ତରୀୟ ନେତା ଠାରୁ ଆରମ୍ଭ କରି ମଠ, ମନ୍ଦିର, ପ୍ରଭାବଶାଳୀ ଓ ଭିନ୍ନ ବିର୍ଗର ଲୋକଙ୍କୁ ନାମାଙ୍କନ ଏବଂ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି । ବାରାଣସୀର ଜଣାଶୁଣା ଜ୍ୟୋତିଷବିଦଙ୍କ ପରାମର୍ଶ ଅନୁସାରେ ଶୁଭ ଲଗ୍ନରେ ମୋଦୀ ନାମାଙ୍କନ ଦାଖଲ କରିବେ । 

 

  • Tags:

Subscribe

National International State Sports Entertainment