ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ତାଙ୍କ ପିଏସ୍ଓଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଅନ୍ୟପଟେ ବଦଳିଲେ ବ୍ରଜରାଜନଗର ଆଇଆଇସି ଓ ଏସ୍ଆଇ | ନବ ଦାସଙ୍କ ପିଏସ୍ଓ ମିତ୍ରଭାନୁ ଦେଓଙ୍କୁ ସସ୍ପେଣ୍ଡ୍ କରାଯାଇଛି। ଗତକାଲି ମିତ୍ରଭାନୁଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା । ବ୍ରଜରାଜନଗର ଥାନାରେ କ୍ରାଇମବ୍ରାଞ୍ଚ ଏଡିଜି 2ଘଣ୍ଟା ଧରି ଜେରା କରିଥିଲେ ।ସେପଟେ ବ୍ରଜରାଜନଗର IIC ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କ ବଦଳି ହୋଇଛି। ପ୍ରଦ୍ୟୁମ୍ନ ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଗାନ୍ଧିଛକ ଫାଣ୍ଡି ଅଧିକାରୀ SI ଶଶିଭୂଷଣ ପୋଢ଼ଙ୍କୁ ମଧ୍ୟ ବଦଳି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଶଶିଭୂଷଣ ବଦଳି ହୋଇଛନ୍ତି। ସମ୍ବଲପୁରରୁ ଝାରସୁଗୁଡ଼ାକୁ ଆସିଲେ ଇନ୍ସପେକ୍ଟର ଧବଳେଶ୍ୱର ସାହୁ। ସୂଚନା ଯୋଗ୍ୟଯେ, ପୂର୍ବରୁ ଝାରସୁଗୁଡ଼ା ଏସ୍ପି ଓ ବ୍ରଜରାଜନଗର ଏସ୍ଡିପିଓଙ୍କୁ ବଦଳି କରାଯାଇଛି। ଝାରସୁଗୁଡ଼ା ଏସ୍ପି ରାହୁଲ ଜୈନଙ୍କ ବଦଳି ହୋଇଛି। ରାହୁଲ ଜୈନଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ବରଗଡ଼ ଏସ୍ପି ପରମାର ସ୍ମିତ୍ଙ୍କୁ ଝାରସୁଗୁଡ଼ାରେ ଅବସ୍ଥାପିତ କରାଯାଇଛି। ସେହିଭଳି ବୌଦ୍ଧର ଏସ୍ପି ପ୍ରହଲ୍ଲାଦ ସହାୟଙ୍କୁ ବରଗଡ଼ ବଦଳି ହୋଇଥିବା ବେଳେ ରାୟଗଡ଼ାର ଅତିରିକ୍ତ ଏସ୍ପିଙ୍କୁ ବୌଦ୍ଧରେ ନୂଆ ନିଯୁକ୍ତି ମିଳିଛି।