ପୁଣି ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଗିରଫ
Khabar Odisha:woman-odisha-again-minor-girl-pregnent-in-kalahandi-district
କଳାହାଣ୍ଡି, ଜାନୁଆରୀ ୧୯ (ଖବର ଓଡ଼ିଶା):

କନ୍ଧମାଳ, ଯାଜପୁର ଓ ଢେଙ୍କାନାଳ ଘଟଣା କଳାହାଣ୍ଡିରେ ପୁନରାବୃତି ହୋଇଛି । ପୁଣି ଥରେ ଜଣେ ନାବାଳିକା ମାତୃତ୍ୱ ଘଟଣା ଧର୍ମଗଡରେ ମଧ୍ୟ ଦେଖିବାକୁ ମିଲିଛି । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି । ପୀଡ଼ିତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୀଡିତା ଛାତ୍ରୀଙ୍କ ମାଆ ଧର୍ମଗଡ ଥାନାରେ ଏହି ଘଟଣାକୁ ନେଇ ଏତଲା ଦେବା ପରେ ପୋକ୍ସୋ ଆକ୍ଟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲେ ସୁଗ୍ରୀବ ଜାଲ । 

ଅଭିଯୋଗ ମୁତାବକ, ଛାତ୍ରୀ ଜଣକ ଗାଁ ସ୍କୁଲ୍ ରେ ପାଠ ପଢନ୍ତି । ନାବାଳିକାଙ୍କ ମାଆ ଏନେଇ ଗତକାଲି ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଥାନା ପୋଲିସ ଏ ସଂକ୍ରାନ୍ତରେ ୭/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ସମ୍ପୃକ୍ତ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ ସୁଗ୍ରୀବ ଜାଲ । ଶିଶୁ ଯୌନ ନିରୋଧ ଆଇନ ବଳରେ ପୋଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି । ସେ ପୂର୍ବରୁ ବିବାହିତ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ନାବାଳିକାଙ୍କ ବୟାନ ରେକର୍ଡ଼ କରାଯିବା ସହିତ ତାଙ୍କର ଡାକ୍ତରୀମାଇନା କରାଯାଇଛି । ପୀଡ଼ିତାଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜରେ ଭର୍ତି କରାଯାଇଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ତଳେ ପ୍ରଥମେ କନ୍ଧମାଳ ଦାରିଙ୍ଗବାଡ଼ି ଅଂଚଳରେ ଏକ ଆବାସିକ ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଏବଂ ଗତକାଲି ଢ଼େଙ୍କାନାଳରୁ ଏମିତି ଏକ ଖବର ସାମ୍ନାକୁ ଆସିଥିଲା । ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବା ସହିତ ସାଧାରଣରେ ଏନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବା, ମାମଲାର ତ୍ୱରିତ ଶୁଣାଣୀ ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।

Subscribe

National International State Sports Entertainment