କୁର୍ତ୍ତୀ ଲମ୍ବ ମାପି ଛାତ୍ରୀଙ୍କୁ କଲେଜରେ ଏଣ୍ଟ୍ରି ଦେଉଛନ୍ତି ମହିଳା ଗାର୍ଡ, ଶିକ୍ଷକ କହୁଛନ୍ତି ଲମ୍ବା ଡ୍ରେସ୍ ପିନ୍ଧିଲେ ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ
Khabar Odisha:national-odisha-hyderabad-college-hires-security-to-check-women-students-kurti-length-video-goes-viral
ହାଇଦ୍ରାବାଦ, ସେପ୍ଟେମ୍ବର ୧୬ (ଖବର ଓଡିଶା) :

କୁହନ୍ତି ଶିକ୍ଷାନୁଷ୍ଠାନ ହେଉଛି ମଣିଷ ତିଆରି କାରଖାନା। ଏଠାରେ ଜଣେ ଶିଶୁ ତାର ଆଚରଣ ଉଚ୍ଚାରଣ ମାର୍ଜିତ କରିଥାଏ। ନିମ୍ନରୁ ଉଚ୍ଚ ଆକାଂକ୍ଷା ଆଡକୁ ଗତି କରେ, ଭବିଷ୍ୟତରେ ଉଚ୍ଚକୋଟୀର ଚିନ୍ତାଧାରା ବିଶିଷ୍ଟ ଜଣେ ପରିପୂର୍ଣ୍ଣ ମଣିଷ ଭାବରେ ନିଜକୁ ଗଢି ତୋଳିଥାଏ। ତେବେ ଏହି ବିଦ୍ୟା ମନ୍ଦିରରେ ଜଣେ ଗୁରୁଙ୍କର ଗୁରୁ ଦାୟିତ୍ଵ ରହିଥାଏ। କିନ୍ତୁ ଶିକ୍ଷାନୁଷ୍ଠାନ ଭଳି ମନ୍ଦିରକୁ ଯିବା ପାଇଁ ଯେ ଲମ୍ବା ପୋଷାକ ପିନ୍ଧିବା ଆବଶ୍ୟକ ଏଭଳି ନିୟମ କରି ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦର ଏକ ନାମୀ ଦାମୀ କଲେଜରେ ବିବାଦ ସୃଷ୍ଟି ହୋଇଛି। ଏଠାରେ ଶିକ୍ଷକମାନେ କହୁଛନ୍ତି କି, ଲମ୍ବା ଡ୍ରେସ୍ ପିନ୍ଧିଲେ ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ। ଯାହାକି ଶିକ୍ଷାନୁଷ୍ଠାନ ଭଳି ସ୍ଥାନରେ ଏଭଳି ନୀଚ୍ଚ ଚିନ୍ତାଧାରା ଗଭୀର ଆଲୋଡନ ସୃଷ୍ଟି କରିଛି। 

ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦର ଏକ କଲେଜରେ ଡ୍ରେସ୍ କୋଡକୁ ନେଇ ବିବାଦ ସୃଷ୍ଟି ହୋଇଛି। ସେଣ୍ଟ ଫ୍ରାନସିସ୍ ଗର୍ଲସ୍ କଲେଜରେ ଛାତ୍ରୀଙ୍କ ଡ୍ରେସ୍ କୋଡକୁ ନେଇ ଏକ ଅଜବ ନିର୍ଦ୍ଦେଶ ଜାରୀ କରାଯାଇଛି। ଏହି ନିୟମ ଅନୁସାରେ, ଛାତ୍ରୀମାନେ ଆଣ୍ଠୁ ତଳକୁ କୁର୍ତ୍ତୀ କିମ୍ବା ଲମ୍ବା ସାଲୱାର କମିଜ ପିନ୍ଧି ଆସିଲେ ଯାଇ କଲେଜରେ ଏଣ୍ଟ୍ରି ମିଳିଵ। କେବଳ ସେତିକି ନୁହେଁ ଝିଅମାନଙ୍କର କୁର୍ତ୍ତୀ ଲମ୍ବ ମାପ କରିବା ପାଇଁ ଜଣେ ମହିଳା ସିକ୍ୟୁରୁଟି ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଏହି ମହିଳା ଗାର୍ଡ ଜଣଙ୍କୁ ଛାତ୍ରୀମାନଙ୍କର ପରିଚୟ ପତ୍ର ଏବଂ କୁର୍ତ୍ତୀ ଲମ୍ବ ମାପ କରିବା ପରେ ଯାଇ ଏଣ୍ଟ୍ରି ଦେଉଛନ୍ତି। 

ସେଣ୍ଟ ଫ୍ରାନ୍ସିସ୍ ଗର୍ଲସ୍ କଲେଜ ପ୍ରଶାସନ ଏହି ନୂତନ ଡ୍ରେସ୍ କୋଡ ନିୟମ ଅଗଷ୍ଟ ୦୧ରୁ ଲାଗୁ କରିଛନ୍ତି। ଯେଉଁମାନେ ଏହି ନିୟମକୁ ଅମାନ୍ୟ କରନ୍ତି ସେମାନଙ୍କୁ କ୍ଲାସକୁ ଯିବାକୁ ଅନୁମତି ମିଳେ ନାହିଁ। ତେବେ ଛାତ୍ରୀମାନେ ଏବେ ଏଭଳି ଅଜବ ନିୟମକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମହିଳା ସିକ୍ୟୁରିଟି ଗାର୍ଡ ଜଣକ କୁର୍ତ୍ତୀ ଲମ୍ବ ମାପ କରୁଛନ୍ତି ଏବଂ ନିର୍ଦ୍ଧାରିତ ଲମ୍ବ ଠାରୁ ଛୋଟ କୁର୍ତ୍ତୀ ପିନ୍ଧିଥିବା ଛାତ୍ରୀମାନଙ୍କୁ କ୍ଲାସ ଭିତରକୁ ଯିବାକୁ ଅନୁମତି ଦେଉ ନାହାଁନ୍ତି। 

କଲେଜର ଜଣେ ପୂର୍ବତନ ଛାତ୍ରୀ ଡ୍ରେସ୍ କୋଡକୁ ନେଇ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ। ସେ କହିଛନ୍ତି କି, ମିଡ ସେଶନରେ ଏଭଳି ନିୟମ ଲାଗୁ କରାଯାଇଛି। କାରଣ ଶିକ୍ଷକମାନେ କହୁଛନ୍ତି ଲମ୍ବା ଡ୍ରେସ୍ ପିନ୍ଧିଲେ ଭଲ ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ। ଏହି ନିୟମ ବିରୋଧରେ ସ୍ଵର ନଉଠାଇବାକୁ ମଧ୍ୟ ପୂର୍ବତନ ଛାତ୍ରୀମାନଙ୍କୁ ଚେତାବନୀ ଦିଆଯାଇଛି। ଯେଉଁମାନେ ଆଣ୍ଠୁରୁ ଅଳ୍ପ ଉପରକୁ କୁର୍ତ୍ତି ପିନ୍ଧୁଛନ୍ତି ସେମାନଙ୍କୁ ପ୍ରତାଡିତ କରାଯାଉଛି। ଯଦି ଏହି ନିୟମକୁ କେହି ଅମାନ୍ୟ କରୁଛନ୍ତି ତେବେ ତାଙ୍କୁ କଲେଜର ବାହାରେ ଠିଆ କରାଯାଉଛି। ଯେଉଁ କାରଣସରୁ ସେମାନେ କ୍ଲାସ୍ କରି ପାରୁ ନାହାଁନ୍ତି। ତେବେ ଏହି ସମ୍ପର୍କରେ କଲେଜ ପ୍ରଶାସନଙ୍କ ଠାରୁ କୌଣସୀ ପ୍ରତିକ୍ରିୟା ମିଳି ପାରି ନାହିଁ। ଏକ ଶିକ୍ଷାନୁଷ୍ଠାନରେ ଏଭଳି ନିୟମ ହୀନ ଚିନ୍ତାଧାରାକୁ ଦର୍ଶାଉଛି।

Subscribe

National International State Sports Entertainment