ଭୁବନେଶ୍ୱରର ବରମୁଣ୍ଡା ବସ୍ଷ୍ଟାଣ୍ଡରେ ସୋମବାର ରାତିରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଚାକିରିର ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଚାଲାଣ ଉଦ୍ୟମ ହେଉଥିବା ବେଳେ ନାବାଳିକା ସମେତ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ।
ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ବରମୁଣ୍ଡା ଓଭରବ୍ରିଜ୍ ନିକଟରେ ଯୁବତୀମାନେ ବସ୍କୁ ଅପେକ୍ଷା କରୁଥିଲେ। ସେମାନଙ୍କ ଉପରେ କିଛି ଦଲାଲ ଓ ଏକ ଏନଜିଓ ସହ ଜଡିତ ମହିଳା କର୍ମଚାରୀ ନଜର ରଖିଥିବା ଅଭିଯୋଗ ହୋଇଛି।
ପରିସ୍ଥିତିକୁ ବୁଝି ଜଣେ ଯୁବତୀ କୌଶଳକ୍ରମେ ସେଠାରୁ ଖସି ଆସି ବସ୍ଷ୍ଟାଣ୍ଡର ସୁରକ୍ଷାକର୍ମୀଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ଅନ୍ୟ ଯୁବତୀମାନେ ମଧ୍ୟ ବସ୍ଷ୍ଟାଣ୍ଡ ଭିତରେ ଆଶ୍ରୟ ନେଇଥିଲେ। ଧରାପଡ଼ିବା ଭୟରେ ସେମାନେ ବସ୍ ତଳେ ଏବଂ ବିଭିନ୍ନ କୋଣରେ ଲୁଚି ରହିଥିଲେ।
ଘଟଣାସ୍ଥଳରେ ହଠାତ୍ ହଟ୍ଟଗୋଳ ସୃଷ୍ଟି ହେବାରୁ ଯାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତୁରନ୍ତ ସୁରକ୍ଷାକର୍ମୀମାନେ ହସ୍ତକ୍ଷେପ କରି ୪ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବସ୍ଷ୍ଟାଣ୍ଡ ଫାଣ୍ଡି ପୋଲିସଙ୍କ ଜିମା ଦେଇଥିଲେ। ପରେ ସେମାନଙ୍କୁ ଏକ ଶର୍ଟ ଷ୍ଟେ ହୋମ୍କୁ ପଠାଯାଇଛି।
ତେବେ ଘଟଣା ପରେ ଦଲାଲମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ବସ୍ଷ୍ଟାଣ୍ଡ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ଆରମ୍ଭ କରିଛି। ଚାକିରିର ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ଅନ୍ୟତ୍ର ଚାଲାଣ କରାଯାଉଥିଲା କି ନାହିଁ, ସେନେଇ ପୋଲିସ ଖୋଳତାଡ଼ ଚଳାଇଛି।