ଭୁବନେଶ୍ୱର: ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତାକାଲି ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ ଯୋଜନାରେ ସାମିଲ ହେବେ । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପ ମୁଖ୍ୟମନ୍ତ୍ରୀ ଶନିବାର ଦେଇଥିବା ସୂଚନା ମୁତବାତ, ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ କରାଯିବା ପରେ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିରୁ ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଯେଉଁମାନେ ବାକି ହିତାଧିକାରୀ ରହିଛନ୍ତି ଜମି ସମସ୍ୟା ଯୋଗୁଁ ତାଲିକାରେ ସେମାନଙ୍କର ନାଁ ନାହିଁ । ତାଙ୍କ ନାଁ'ରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହା ବାବାଦରେ ଫିଜିକାଲ ଭେରିଫିକେସନ ହେବ । ଯାଞ୍ଚ କରାଯିବା ପରେ ଯୋଜନାରେ ସାମିଲ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।୨ ଲକ୍ଷ ୬୭ ହଜାର ଆବେଦନ କରି ବିଭିନ୍ନ କାରଣ ପାଇଁ ବାଦ ପଡ଼ିଥିଲେ । ସେମାନଙ୍କୁ ଆଉ ଥରେ ଯାଞ୍ଚ କରି ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ବିଡ଼ିଓମାନଙ୍କୁ ନୋଡାଲ ଏଜେନସି ଦାୟିତ୍ୱ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରିପୋର୍ଟ ଆଧାରରେ ସେମାନଙ୍କୁ ସାମିଲ କରାଯିବ ।
ଅନ୍ୟପକ୍ଷରେ ୫ ଲକ୍ଷ ହିତାଧିକାରୀଙ୍କର ମେଳ ଖାଉ ନ ଥିଲା । ଯାହାକି ସମାଧାନ ହୋଇ ପାରି ନାହିଁ । ସେମାନେ ଏଥର ସାମିଲ ହେବେ ନାହିଁ । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସେମାନେ ସାମିଲ ହେବେ । ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ସୁଭଦ୍ରା କିସ୍ତି ପାଇପାରିବେ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।