ଭୁବନେଶ୍ୱର: ରାଜ୍ୟ ଏବେ ଧାନ କିଣା ଆରମ୍ଭ ହୋଇଯାଇଛି । ବରଗଡ଼ରୁ ପ୍ରଥମ ଧାନ କିଣା ଆରମ୍ଭ ହୋଇଛି । ଚାଷୀମାନେ ସିଧାସଳଖ ଧାନ ବିକ୍ରି କରିବେ । ସେଠାରେ ମଧ୍ୟସ୍ଥିମାନଙ୍କର କୌଣସି ଭୂମିକା ନାହିଁ । ତେବେ ମିଲରମାନଙ୍କୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁ ମିଲରମାନେ ବାହାରୁ କମ ଦାମରେ ଧାନ କିଣି ଗଚ୍ଛିତ ରଖୁଛନ୍ତି ସେମାନଙ୍କୁ କଳା ତାଲିକାଭୁକ୍ତ କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି, ଚାଷୀମାନେ ଧାନ ବିକ୍ରି କରି କ୍ୱିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା ସିଧାସଳଖ ନେବେ । ସେଠାରେ ମଧ୍ୟସ୍ଥିଙ୍କର କୌଣସି ଭୂମିକା ରହିବ ନାହିଁ । ସେଥିପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଛି ଏବଂ ଅଫିସରମାନେ ନଜର ରଖିଛନ୍ତି । ଏହା ସହିତ ଚାଷୀଙ୍କ ସୁବିଧା ପାଇଁ ପିଇବା ପାଣି, ବସିବା ବ୍ୟବସ୍ଥା ଏବଂ ବାଥରୁମ ବ୍ୟବସ୍ଥା କରାଯାଇଛି ।
ସେହିପରି କିଛି ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଚାଷୀମାନେ ତର ତର ହୋଇଯାଉଛନ୍ତି ଧାନ ବିକ୍ରି କରିବାକୁ । ଯାହାର ସୁଯୋଗ ନେଉଛନ୍ତି ଦଲାଲ । ନୂଆପଡ଼ାରୁ ଏମିତି ଖବର ଆସିଥିଲା । ମିଲ ମାଲିକ ମଣ୍ଡିରୁ ଧାନ ନ କିଣି ୫୦୦ କୁଇଣ୍ଟାଲ ଧାନ ୧୭୦୦ ଟଙ୍କାରେ କିଣି ମହଜୁଦ ରଖିଥିଲା ତାକୁ ସିଲ କରାଯାଇଛି। ଆଗକୁ ଏମିତି ଯିଏ ବି କାମ କରିବ ତା ଉପରେ କଡ଼ା ଆକ୍ସନ ନେବେ ରାଜ୍ୟ ସରକାର । ତେଣୁ କୃଷକମାନଙ୍କୁ ଯେଉଁ ସମୟରେ ଟୋକନ୍ ଦିଆଯାଉଛି, ସେହି ସମୟରେ ଧାନ ବିକ୍ରି କରିବାକୁ ଆସିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସରକାର ସେହି ଦିନ ହିଁ ତାଙ୍କ ଠୁ ଧାନ କିଣିନେବେ। ସେମାନଙ୍କ ଧାନ ମଣ୍ଡିରେ ପଡ଼ି ରହିବ ନାହିଁ ।
ମନ୍ତ୍ରୀ ଆହୁରି କହିଛନ୍ତି, କେବଳ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମଣ୍ଡିରୁ ମିଲର୍ ଧାର୍ଯ୍ୟ ଦରରେ ଧାନ କିଣିବେ । ସିଧାସଳଖ ମିଲରଙ୍କ ପାଖକୁ ଧାନ ଯିବ ନାହିଁ । ଯଦି ମିଲର ସିଧାସଳଖ ଧାନ କିଣିବେ ସେ ମିଲକୁ ସିଲ୍ କରି ଦିଆଯିବ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହି ମିଲକୁ କଳା ତାଲିକାଭୁକ୍ତ କରାଯିବ, ସେ ଆଉ ବେପାର କରି ପାରିବ ନାହିଁ ।