ଭୁବନେଶ୍ୱର: ଗଞ୍ଜେଇ ଚାଷକୁ ସମୂଳେ ନଷ୍ଟ କରିବାକୁ ରାଜ୍ୟ ଅବକାରୀ ବିଭାଗ ବଡ଼ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛି । ଏଣିକି ଗଞ୍ଜେଇ ଚାଷ ବାବଦରେ ଅବକାରୀ ବିଭାଗକୁ ଖବର ଦେବେ ନିର୍ବାଚିତ ପ୍ରତିନିଧ୍ । ସରପଞ୍ଚ ଓ ସମିତିସଭ୍ୟ ଭଳି ନିର୍ବାଚିତ ପ୍ରତିନିଧିଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଅବକାରୀ କମିଶନର ନରସିଂହ ଭୋଳ ।
କମିଶନରଙ୍କ ଅନୁଯାୟୀ, ଏନଡିପିଏସ୍ ଆକ୍ଟ ୧୯୮୫ ଧାରା ୪୭ ଅନୁସାରେ ନିର୍ବାଚିତ ପ୍ରତିନିଧିଙ୍କ ଗଞ୍ଜେଇ ଚାଷ ନଷ୍ଟ କରିବା ଅଭିଯାନରେ ସାମିଲ କରାଯିବ । ଗଞ୍ଜେଇ ଚାଷ ସମ୍ପର୍କରେ ସରପଞ୍ଚ ଓ ସମିତିସଭ୍ୟ ଭଳି ନିର୍ବାଚିତ ପ୍ରତିନିଧି ଅବକାରୀ ବିଭାଗକୁ ଖବର ଦେବାକୁ ବାଧ୍ୟ ।
ରାଜ୍ୟରେ ଗତ ଏକ ମାସ ମଧ୍ୟରେ ୩ ହଜାର ୭୯୬ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ବିଭାଗ । ନଭେମ୍ବର ୧ ରୁ ଫେବୃୟାରି ପର୍ଯ୍ୟନ୍ତ ଗଞ୍ଜେଇ ନଷ୍ଟ ପାଇଁ ସ୍ପେଶାଲ ଅପରେସନ ଗ୍ରୀନ୍ କ୍ଲିନ୍ ଜାରି ରହିଛି । ଏବେ ୬ଟି ଜିଲ୍ଲାରେ ହେଉଛି ଗଞ୍ଜେଇ ଚାଷ କରାଯାଉଛି । ଗଞ୍ଜେଇ ଚାଲାଣକାରୀ ଓ ବାହାର ରାଜ୍ୟରୁ ଗଞ୍ଜେଇ ନେବାକୁ ଓଡିଶାକୁ ଆସୁଥିବା ମାଫିଆଙ୍କ ଉପରେ କଡା ନଜର ରଖାଯାଇଛି ।
ତେବେ ଏ ନେଇ ଆସନ୍ତାକାଲି ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚାଲାଣର ମୂଳପୋଛ ନେଇ ସବୁ ଜିଲ୍ଲାର ଅବକାରୀ ଅଧିକ୍ଷକ ଓ ପୋଲିସ ଏସପିଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର କାର୍ୟ୍ୟକ୍ରମ ରହିଛି ବୋଲି ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ନଭେମ୍ବର ୨୫ରେ ପୁଲିସ ଡିଜି ୱାଇ ବି ଖୁରାନିଆ କହିଥିଲେ ଯେ ଅପରେସନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ ଜରିଆରେ ୨, ୩୭୫ ଏକର ଜମିରେ ୨୮ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ରାୟଗଡ଼ା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ ଓ ଗଜପତିରେ ଚାଷ ନେଇ ମୋଟ ୫୫ଟି ମାମଲା ରୁଜୁ ହୋଇଛି । ସେହିପରି ୫୪ଟି ଗଂଜେଇ ଚାଲାଣ ନେଇ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ୧୦୨ ଜଣଙ୍କୁ ଗିରଫ କରାଯାଇଛି । ରାଜ୍ୟରେ ୯ଟି ଜିଲ୍ଲାରେ ସର୍ବାଧିକ ଗଂଜେଇ ଚାଷ ହେଉଛି । ମୁଖ୍ୟତଃ ମାଓ ପ୍ରବଣ ଜିଲ୍ଲା କନ୍ଧମାଳ, ବୌଦ୍ଧ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ମୟୁରଭଞ୍ଜ ଏବଂ ଅନ୍ୟ ସୀମାନ୍ତ ଜିଲ୍ଲାରେ ଏହି ଚାଷ କରାଯାଉଛି ।