ଯାଜପୁର: ଗିରଫ ହେଲେ ବିଜେଡ଼ିର ଟାଣୁଆ ନେତାଙ୍କ ଭାଇ । ବିଜେଡ଼ି ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଭାଇ ପୂର୍ବତନ ପୌର ଅଧ୍ୟକ୍ଷ ଭବ ପ୍ରସାଦ ଦାସ ଗିରଫ ହୋଇଛନ୍ତି । ରାତି ଅଧରେ ଉଠାଇ ନେଲା ପୁଲିସ ।
ଗତ ୨୧ତାରିଖ ଗୁରୁବାର ବିରଜା ହାଟକୁ ବିରୋଧ କରିବା ପ୍ରସଙ୍ଗରେ ଟାଉନ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ଭବ ପ୍ରସାଦ ଦାସଙ୍କୁ ଯାଜପରୁ ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଶ୍ରୀ ଦାସଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହାଟର ଜଣେ ବ୍ୟବସାୟୀ ।
ଗୁରୁବାର ଦିନ ବିରଜା ହାଟ ସ୍ଥାନାନ୍ତରଣକୁ ନେଇ ବିବାଦ ଚାଲିଥିବାବେଳେ ବ୍ୟବସାୟୀଙ୍କ ପରିବା ଫୋପାଡ଼ିବା ଓ ଆକ୍ରମଣକୁ ନେଇ ଭବ ପ୍ରସାଦ ଦାସଙ୍କ ନାମରେ ଅଭିଯୋଗ କରିଥିଲେ ବ୍ୟବସାୟୀ । ସେହି ପରି ପୁଲିସର ବିନା ଅନୁମତିରେ ରାସ୍ତା ରୋକ କରିବା ଘଟଣାରେ ମଧ୍ୟ ମାମଲା ରୁଜୁ ହୋଇଛି । ଯାଜପୁର ଟାଉନ ଥାନାରେ ଭବ ଦାସ ନାମରେ ୪ ଟି ପୃଥକ ପୃଥକ ମାମଲା ହୋଇଥିଲା । ୩ ଟି ଅଭିଯୋଗ ବ୍ୟବସାୟୀ କରିଥିବା ବେଳେ ପୁଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଛି । ଯାହାକି କେଶ ନମ୍ବର ୪୬୯, ୪୭୦, ୪୭୧ ଓ ୪୭୨ରେ ମାମଲା ହୋଇଛି ।
ମଦନ ନାୟକ ନାମକ ଜଣେ ପରିବା ବ୍ୟବସାୟୀ ହାଟକୁ ପରିବା ବିକ୍ରି କରିବାକୁ ଆସିଥିଲେ । ସେ ୧୦ ହଜାର ଟଙ୍କାର ପରିବା ନେଇ ଆସିବାବେଳେ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ କିଛି ଲୋକ ଆସି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ପରିବା ପତ୍ର ଫୋପାଡ଼ି ଦେଇଥିଲେ । ଏହା ସହିତ ତାଙ୍କୁ ମାଡ଼ ମଧ୍ୟ ମାରିବା ସହିତ ତାଙ୍କଠାରୁ ୧୨,୦୦୦ ଟଙ୍କା ନେଇ ଯାଇଥିଲେ ।
ଏ ନେଇ ବ୍ୟବସାୟୀ ମଦନ ନାୟକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଭବ ପ୍ରକାଶ ଦାସ, ବଳଭଦ୍ର ଦାସ, ଜଗନ୍ନାଥ ଦାସ, ସାହାଜୁଦ୍ଦିନ, ସେକ୍ ମୁର୍ତ୍ତେଜ, ସନ୍ତୋଷ କୁମାର ମଲ୍ଲିକ, ସୁରେନ୍ଦ୍ର ରଣା, ଅଜିତ ସାହୁ, ସୁବାଶିଷ ରାଉତ, ଦେବୀ ପ୍ରସାଦ ପାଣି, ସୁକାନ୍ତ ପାଣି, ତୁଷାର ରଞ୍ଜନ ବେହେରା, ପାର୍ଥ ସାରର୍ଥୀ ମହାପାତ୍ର, ମାନ ଗୋବିନ୍ଦ ପତି, ରଞ୍ଜନ ସାହୁ, ସୌଭାଗ୍ୟ ରଞ୍ଜନ, ଜନ୍ମେଞ୍ଜୟ କାନୁନଗୋ ଓ ଚିତ୍ତରଂଜନ ସାହୁଙ୍କ ନାଁରେ ମାମଲା ରୁଜୁ କରିଥିଲା ପୁଲିସ । ସମସ୍ତଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତା (BNS)ରେ ଥିବା ଧାରା ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ ହୋଇଛି ।