ଭୁୁବନେଶ୍ୱର: ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବଳଙ୍ଗା ନାବାଳିକାଙ୍କୁ ପୋଡି ଦେବା ମାମଲା ଏବେ ରାଜ୍ୟ ରାଜନୀତିକୁ ସରଗରମ ରହିଛି । ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାର ତଦନ୍ତ ମଧ୍ୟରେ ବଳଙ୍ଗା ନାବାଳିକା ପୋଡି ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ପୁଣି ଥରେ ବିଜେପି ସରକାର ବିରୋଧରେ ଦେଇଛନ୍ତି ରଣ ହୁଙ୍କାର । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି । ଏହି କ୍ରମରେ ରବିବାର ବିଜେଡି ପକ୍ଷରୁ ବଳଙ୍ଗା ଥାନା ଘେରାଉ ଉଦ୍ୟମ ହୋଇଛି ।
ଥାନା ଘେରାଉ ବେଳେ ବିଜେଡି କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେଡି ନେତା ଓ କର୍ମୀ । ଏହି ସମୟରେ ବିଜେଡି କର୍ମୀ ହାତରେ ପତାକା ଧରି ମୋହନ ମାଝୀ ସରକାର ବିରୋଧରେ ନାରାବାଜି କରିଛନ୍ତି । ବଳଙ୍ଗା ଘଟଣାରେ ଏ ପର୍ଯ୍ୟନ୍ତ କେହି ଗିରଫ ହୋଇ ନ ଥିବାରୁ ବିରୋଧୀ ଦଳ ବିଜେଡି ଅଧିକ ପ୍ରତିକ୍ରିୟାଶୀଳ ହୋଇ ଉଠିଛି ।
ଅନ୍ୟପଟେ ସାଇଣ୍ଟିଫିକ ଟିମ୍ ଓ ଦୁଇଟି ସ୍ପେଶାଲ ସ୍କ୍ୱାଡ ମାମଲାର ତଦନ୍ତ କରୁଛନ୍ତି । ପୀଡିତାଙ୍କ ଘର ଲୋକଙ୍କୁ ପଚରା ଉଚୁରା କରିବା ସହ ଝିଅର ପୀଉସିକୁ ପୋଲିସ ଉଠାଇ ନେଇଛି । ତେବେ ୨୪ ଘଣ୍ଟା ବିତି ଯାଇଥିଲେ ହେଁ ମାମଲାରେ ଅଗ୍ରଗତି ହେବା ଭଳି ଲାଗୁନି । କାରଣ ଏ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ନା ଅଭିଯୁକ୍ତଙ୍କ ଚିହ୍ନଟ ହୋଇଛି ନା ଗିରଫ ହୋଇଛି । ଏହାକୁ ନେଇ ବିଜେଡି ବଳଙ୍ଗା ଥାନା ଘେରାଉ କରିଛି । ଶତାଧିକ କର୍ମୀ ଥାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଛନ୍ତି । ଲେଖାଶ୍ରୀ ସାମନ୍ତ ସିଂହାର, ରାଜଶ୍ରୀ ମଲ୍ଲିକ, ଟୁକୁନି ସାହୁ, ରୁଦ୍ର ମହାରଥୀ, ପ୍ରଦୀପ ମାଝୀ ସହ ଅନେକ ନେତା ଅଛନ୍ତି ।