କେନ୍ଦ୍ରାପଡ଼ା: କୂଅ ସଫା କରିବାକୁ ଯାଇ ଘଟିଛି ଅଭାବନୀୟ ଅଘଟଣ। ବିଷାକ୍ତ ଗ୍ୟାସ୍ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ବାପ-ପୁଅ ସମେତ ଦୁଇଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରପଟଣା ଗାଁରେ ଘଟିଛି।
ସୂଚନା ଅନୁଯାୟୀ, ଗାଁର ସୁକାନ୍ତ ପରିଡ଼ାଙ୍କ ଘର କୂଅ ସଫା କରିବା ପାଇଁ ଆଜି ସକାଳେ ତିନିଜଣ ଶ୍ରମିକ ପହଞ୍ଚିଥିଲେ। ପ୍ରଥମେ ଜଣେ ଶ୍ରମିକ କୂଅ ଭିତରକୁ ଓହ୍ଲାଇ ସଫେଇ କାମ ଆରମ୍ଭ କରିଥିଲେ। ହେଲେ କିଛି ସମୟ ପରେ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ।
ସହକର୍ମୀଙ୍କୁ ଅଚେତ ଅବସ୍ଥାରେ ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ଆଉ ଜଣେ ଶ୍ରମିକ କୂଅ ଭିତରକୁ ପଶିଥିଲେ। କିନ୍ତୁ ସେ ମଧ୍ୟ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇଯାଇଥିଲେ। ପରିସ୍ଥିତିର ଗମ୍ଭୀରତା ନଜାଣି ତୃତୀୟ ଶ୍ରମିକ ମଧ୍ୟ ଉଦ୍ଧାର ପାଇଁ କୂଅ ଭିତରକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେ ମଧ୍ୟ ଅଚେତ ହୋଇ ପଡ଼ିଥିଲେ।
ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ବହୁ ଚେଷ୍ଟା ପରେ ଦୁଇଜଣଙ୍କୁ କୂଅରୁ ବାହାର କରାଯାଇଥିଲା। ଏହି ଦୁଇଜଣ ସମ୍ପର୍କରେ ବାପ ଓ ପୁଅ ବୋଲି ଜଣାପଡ଼ିଛି। ପରେ ଅଗ୍ନିଶମ ବାହିନୀ ପହଞ୍ଚି ତୃତୀୟ ଶ୍ରମିକଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟ ଦୁଇ ଗୁରୁତରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କୂଅ ଭିତରେ ଜମି ରହିଥିବା ବିଷାକ୍ତ ଗ୍ୟାସ୍ ଯୋଗୁଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।