ଭୁବନେଶ୍ୱର: ଖସୁଛି ପାରଦ ବଢୁଛି ଶୀତ । ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା ରହିଥିବା ବେଳେ ସେମିଳିଗୁଡା ସବୁଠୁ ଥଣ୍ଡା ସହର ପାଲଟିଛି । ଏଠାରେ ୭.୧ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଜି ଉଦୟଗିରି ରେ ୭.୪ ଡିଗ୍ରୀ ସେଲସିୟସ, ଦାରିଙ୍ଗବାଡି ୭.୫ ଡିଗ୍ରୀ ସେଲସିୟସ ଏବଂ ଫୁଲବାଣୀ ରେ ୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଡିଗ୍ରୀ ସେଲସିୟସରୁ ତଳେ ରହିଛି ରାଜ୍ୟର ୯ଟି ସହର ରହିଥିବା ସୂଚନା ମିଳିଛି ।
ତେବେ ଦିନର ତାପମାତ୍ରା ୧୫ ଡିଗ୍ରୀ ରହୁଥିବା ବେଳେ ସନ୍ଧ୍ୟା ୫ ଟାରୁ ଶୀତ ଲହରୀ ଆରମ୍ଭ ହୋଇଯାଉଛି । ଶୀତ ସକାଶେ ସନ୍ଧ୍ୟା ୭ ଟାରୁ ମୁଖ୍ୟ ବଜାରରେ ଜନ ଶୂନ୍ୟ ହୋଇଯାଉଥିବାରୁ ବଜାର ଖାଁ ଖାଁ ରହୁଥିବା ଦେଖିବାକୁ ମିଳୁଛି । ଅଞ୍ଚଳବାସୀ ଘର ସମୁଖରେ ନିଆଁ ଲଗାଇ ଶୀତ ଛଡାଉ ଥିବା ବେଳେ ଶୀତ ଆରମ୍ଭରୁ ଥରେଇବା ଆରମ୍ଭ କଲାଣି । ଅନ୍ୟପଟେ କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ର ଆସ୍ତରଣ ଦେଖିବାକୁ ମିଳିଛି । ଆସନ୍ତା ତିନିଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।