ପୁରୀ: ଶିକ୍ଷାର ସ୍ୱପ୍ନ ନେଇ ଆୟୁର୍ବେଦ ଡାକ୍ତର ହେବାକୁ ପାଠ ପଢ଼ୁଥିଲେ। ପ୍ରାକ୍ଟିକାଲ୍ ରେକର୍ଡ ସମ୍ପୂର୍ଣ୍ଣ କରିବା ପାଇଁ ରାତିସାରା ଅନିଦ୍ରା ରହି ପରିଶ୍ରମ କରିଥିଲେ। ହେଲେ କିଏ ଜାଣିଥିଲା, ସେହି ରାତି ତାଙ୍କ ଜୀବନର ଶେଷ ରାତି ହୋଇ ରହିଯିବ। ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷର ଛାତ୍ରୀ ସଂଗ୍ରାମିକା ପଣ୍ଡାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ସଂଗ୍ରାମିକା ପୁରୀ ଝାଡ଼େଶ୍ୱରୀ ମନ୍ଦିର ନିକଟରେ ନିଜ ବାପା ଓ ମା'ଙ୍କ ସହ ଭଡ଼ା ଘରେ ରହୁଥିଲେ। ସୂଚନା ଅନୁଯାୟୀ, ପ୍ରାକ୍ଟିକାଲ୍ ରେକର୍ଡ ପ୍ରସ୍ତୁତ କରିବା ପାଇଁ ସେ ରାତିସାରା ଜାଗି ରହିଥିଲେ। ସକାଳେ ଜଳଖିଆ ଖାଇବା ପରେ ନିଜ କୋଠରୀରେ ବିଶ୍ରାମ ପାଇଁ ଶୋଇଥିଲେ। ମଧ୍ୟାହ୍ନ ଭୋଜନ ସମୟରେ ମା' ଓ ବାପା ତାଙ୍କୁ ଡାକିଥିଲେ, କିନ୍ତୁ ସଂଗ୍ରାମିକା ଆଉ ଉଠିନଥିଲେ।
ତୁରନ୍ତ ପରିବାର ଲୋକେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏକମାତ୍ର ଝିଅକୁ ହରାଇ ମା' ଓ ବାପାଙ୍କ ଦୁଃଖ କହିଲେ ନ ସରେ। ଏହି ଘଟଣା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଶୋକର ଛାୟା ଖେଳିଯାଇଛି।
ସବୁଠାରୁ ଭାବବିହ୍ୱଳ କରିଦେବା ଦୃଶ୍ୟ ଦେଖିବାକୁ ମିଳିଥିଲା ଶେଷକୃତ୍ୟ ବେଳେ। ପରିବାରରେ ଚାରିକାନ୍ଧ ଦେବାକୁ ପର୍ଯ୍ୟାପ୍ତ ଲୋକ ନଥିବାରୁ ସଂଗ୍ରାମିକାଙ୍କ ସହପାଠୀମାନେ ଆଗକୁ ଆସିଥିଲେ। ସେମାନେ କୋକେଇ ସଜାଇ ନିଜ ସହପାଠୀଙ୍କୁ ଚାରିକାନ୍ଧ ଦେଇ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ନେଇଯାଇଥିଲେ। ମହାବିଦ୍ୟାଳୟ ଛାତ୍ର ସଂସଦର ସାଧାରଣ ସମ୍ପାଦକ ସୌମ୍ୟଜିତ୍ ପାତ୍ର ମୁଖାଗ୍ନି ଦେଇଥିଲେ।
ଜଣେ ମେଧାବୀ ଛାତ୍ରୀଙ୍କ ଅକାଳ ବିୟୋଗ କେବଳ ପରିବାରକୁ ନୁହେଁ, ସମଗ୍ର ମହାବିଦ୍ୟାଳୟକୁ ମଧ୍ୟ ଗଭୀର ଶୋକରେ ବୁଡ଼ାଇ ଦେଇଛି। ସୋମବାର ଅପରାହ୍ଣରେ ମହାବିଦ୍ୟାଳୟରେ ଏକ ଶୋକସଭା ଆୟୋଜନ କରାଯାଇ ସଂଗ୍ରାମିକାଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା।