ଭୁବନେଶ୍ୱର: ରାଜ୍ୟରେ ଏବେ ସର୍ବଭାରତୀୟ ଡିଜିପି ସମ୍ମିଳନୀ ଚାଲିଥିବାବେଳେ ଚିନ୍ତା ବଢ଼ାଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ । ପ୍ରଥମେ ଭୁବନେଶ୍ୱରର ବିରୁଦ୍ଧରେ ଭିଡ଼ିଓ ଜାରି କରି ଧମକ ଦେବା ପରେ ଏବେ ରାଜ୍ୟର ଜଣେ ସୁନାମଧନ୍ୟ ବରିଷ୍ଠ ସାମ୍ବାଦିକଙ୍କୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ପନ୍ନୁ ନାମରେ ଆସିଛି ଧମକ । ସେ ପୁଲିସ କମିଶନରଙ୍କୁ ଏ ନେଇ ଜଣାଇଥିବା ନିଜେ ସାମ୍ବାଦିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଇ-ମେଲ୍ ମାଧ୍ୟମରେ ଏକ ଧମକପୂର୍ଣ୍ଣ ଅଡ଼ିଓ ମେସେଜ୍ ଆସିଛି । ଶ୍ରୀଯୁକ୍ତ ସାହୁ ସୂଚନା ଦେଇ କହିଛନ୍ତି ସେ ଦୀର୍ଘଦିନ ଧରି ଏସିଆନ୍ ଏସ୍ ଗଣମାଧ୍ୟମରେ କାମ କରୁଛନ୍ତି । ଯାହାର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ରହିଛି । ତେଣୁ ସେଇ ଗଣମାଧ୍ୟମ ସହିତ ଜଡ଼ିତ ସମସ୍ତଙ୍କୁ ଏଭଳି ମେସେଜ୍ ଆସିଛି । ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧ ତାରିଖରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଟାର୍ଗେଟ୍ କରାଯାଇଛି । ବିମାନ ବନ୍ଦରରେ କୌଣସି ଯାତ୍ରୀ ଗମନାଗମନ ନ କରିବାକୁ ଧମକ ଦିଆଯାଇଛି । ଯିଏ ଖାଲିସ୍ତାନୀ ପତାକା ଉଡ଼ାଇବ, ତାକୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଅଡ଼ିଓ ବାର୍ତ୍ତାରେ କୁହାଯାଇଛି ।
ସେ କହିଛନ୍ତି ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଆ ଭାଷାରେ ତାଙ୍କୁ ମେସେଜ୍ ଆସିଛି । ତେଣୁ ଏଥିରେ କେହି ଓଡ଼ିଶାର ସମ୍ପୃକ୍ତ ଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି । ଏନେଇ ସେ ଥାନାରେ ଏତଲା ଦେଇଛନ୍ତି ।
ଭୁବନେଶ୍ୱରରେ ବର୍ତ୍ତମାନ ଡିଜିପି ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ, ଅନ୍ୟ କେନ୍ଦ୍ର ମନ୍ତ୍ରୀ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜି ଏବଂ ଆଇଜିମାନେ ଉପସ୍ଥିତ ଅଛନ୍ତି । ଦେଶର ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଉଛି । ଆସନ୍ତାକାଲି ସମ୍ମିଳନୀ ଶେଷ ହେବ । ପ୍ରଧାନମନ୍ତ୍ରୀ, ମନ୍ତ୍ରୀ, ସମସ୍ତ ଅଧିକାରୀ ଆସନ୍ତାକାଲି ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଡିଜିପି ସମ୍ମିଳନୀର ଗୋଟିଏ ଦିନ ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଵନ୍ତ ସିଂ ପନ୍ନୁର ଏକ ଭିଡିଓ ବାର୍ତ୍ତା ଆସିଥିଲା । ବିଦେଶରେ ଥିବା ପନ୍ନୁ ଏକ ଦୁଇ ମିନିଟ୍ର ଭିଡିଓ ଜାରି କରି କହିଥିଲା ଯେ ଭୁବନେଶ୍ଵର ଟେମ୍ପଲ୍ ସିଟି ଭାବେ ଜଣାଶୁଣା । କିନ୍ତୁ ଏବେ ତାହା ଟେରର୍ ସିଟି ପାଲଟିଛି । ଯେକୌଣସି ପ୍ରକାରେ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ସେ ତା’ର ସହଯୋଗୀ ଓ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆହ୍ଵାନ ଦେଇଛି । ଏଥି ପାଇଁ ହୋଟେଲ୍, ମନ୍ଦିରରେ ଛଦ୍ମବେଶରେ ରହିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଛି । ଏହି ଧମକ ପରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।