ଭୁବନେଶ୍ୱର: କଟକଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍.ଡି.ଡି.ବି) ଏବଂ ଓମ୍ଫେଡ ମଧ୍ୟରେ ଶନିବାର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ଏନ୍.ଡି.ଡି.ବି ଓଡିଶାର ଦୁଗ୍ଧ ଚାଷୀମାନଙ୍କୁ ଅଧିକ ଦୁଗ୍ଧ ଅମଳକ୍ଷମ ଗୀର୍, ସହିୱାଲ୍ ଓ କ୍ରସ୍ ବ୍ରିଡ୍ ପ୍ରଜାତିର ପ୍ରାୟ ୩ରୁ ୪ ହଜାର ଗାଈ ଯୋଗାଇଦେବ । ଏନ୍.ଡି.ଡି.ବି ସହାୟତାରେ ରାଜ୍ୟରେ ଏକ ଗୋବର ଗ୍ୟାସ ପ୍ଲାଣ୍ଟ ସ୍ଥାପନ କରାଯିବ । ସେହିପରି ଆଗାମୀ ଦିନରେ ରାଜ୍ୟ ସରକାର କାମଧେନୁ ଯୋଜନାରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରଜାତିର ୧୦ ହଜାର ଗାଈ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟର ଗୋ-ଅର୍ଥନୀତି ସମୃଦ୍ଧ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭.୫୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘମାନଙ୍କୁ ୨ ହଜାରରୁ ୧୫ ହଜାର ଲିଟର ବିଶିଷ୍ଟ ୨୨ଟି ମିଲ୍କ ଟ୍ୟାଙ୍କର ପ୍ରଦାନ କରିବା ସହିତ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଗୁଣ୍ଡ ଦୁଗ୍ଧ ପ୍ୟାକିଙ୍ଗ ମେସିନର ଉଦ୍ଘାଟନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମସ୍ତ ସୁବିଧା ଦ୍ୱାରା ରାଜ୍ୟର ଚାଷୀମାନଙ୍କ ଠାରୁ ଯଥେଷ୍ଟ ଅଧିକ ପରିମାଣର ଦୁଗ୍ଧ ସଂଗ୍ରହ କରାଯାଇପାରିବ । ଏବେ ରାଜ୍ୟର ଦୁଗ୍ଧ ଉତ୍ପାଦନ ୭୨ ଲକ୍ଷ ଲିଟର ରହିଛି। କିନ୍ତୁ ୨୦୩୬ ସୁଦ୍ଧା ଏହି ପରିମାଣ ୧୬୫ ଲକ୍ଷ ଲିଟର ଏବଂ ୨୦୪୭ ସୁଦ୍ଧା ଏହାକୁ ୨୭୪ ଲକ୍ଷ ଲିଟରରେ ପହଞ୍ଚିବା ଦୀର୍ଘ ୪୫ ବର୍ଷ ଧରି ଦୁଗ୍ଧ ଉତ୍ପାଦନ, ସଂଗ୍ରହ ଏବଂ ବିକ୍ରୟ ସହିତ ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଆର୍ଥିକ ବିକାଶରେ ଓମ୍ଫେଡ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଆସୁଛି।
ଏନ୍.ଡି.ଡି.ବି ସହଯୋଗରେ ଓମ୍ଫେଡ୍ ପକ୍ଷରୁ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରିବାର ଯୋଜନା ରଖାଯାଇଛି । ଗୋବରରୁ ଗ୍ୟାସ ଉତ୍ପାଦନ କରି ନିଜେ ବ୍ୟବହାର କରିବା ସହ ବଳକା ଗ୍ୟାସ ମଧ୍ୟ ବିକ୍ରି କରିପାରିବେ। ଗୋବରରୁ ବାୟୋଗ୍ୟାସ ବାହାରିବା ପରେ ଗୋବର ମଣ୍ଡକୁ ଚାଷ ଜମିରେ ବ୍ୟବହାର କରି ଫସଲ ଉତ୍ପାଦନ ମଧ୍ୟ ବୃଦ୍ଧି କରାଯାଇ ପାରିବ । ଏହା ଦ୍ୱାରା ରାଜ୍ୟର ଗୋ-ପାଳକମାନେ ଗୋବରରୁ ମଧ୍ୟ ଆୟ କରିପାରିବେ । ଏହାଦ୍ଵାରା ରାଜ୍ୟର ଗୋ - ଅର୍ଥନୀତି ସମୃଦ୍ଧ ହେବ ବୋଲି ସେ କହିଥିଲେ।
କାମଧେନୁ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ସହାୟତା ପାଇସାରିଲେଣି । ନୂତନ ଗୋଶାଳା ପ୍ରତିଷ୍ଠା ଏବଂ ପଞ୍ଜୀକୃତ ଗୋଶାଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନାରେ ସହାୟତା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏସମସ୍ତ ପଦକ୍ଷେପ ରାଜ୍ୟର ମୁଣ୍ଡପିଛା ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓମ୍ଫେଡ୍ ଡେରୀ ପ୍ଲାଣ୍ଟର କର୍ମଚାରୀମାନଙ୍କ ପାଇଁ ୬୨ଟି କ୍ୱାର୍ଟରର ମଧ୍ୟ ଉଦ୍ଘାଟନ କରିଛନ୍ତି । ନୂତନ ଦୁଗ୍ଧ ଟ୍ୟାଙ୍କର ଏବଂ ମିଲ୍କ ପାଉଡର ପ୍ୟାକିଙ୍ଗ ମେସିନ ଗୁଡିକର ଉଦଘାଟନ କରିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ, କଟକ,ଶ୍ରୀ ଭର୍ତ୍ତୃହରି ମହତାବ, ଓମ୍ଫେଡ୍ ସଭାପତି, ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଏନ୍.ଡି.ଡି.ବି ଡେରୀ ସର୍ଭିସେସ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ, ଓମ୍ଫେଡ୍ ର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ଓମ୍ଫେଡ୍ ର ପରିଚାଳନା ସମିତି ସଦସ୍ୟଗଣ ଓ ବିଭିନ୍ନ ଦୁଗ୍ଧ ସଂଘର ଅଧ୍ୟକ୍ଷଗଣ ପ୍ରମୁଖ ଉପସ୍ଥିତ ଥିଲେ।