ଯାଜପୁର: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ କରିଥିବା ଆକ୍ଷେପ ଉପରେ ପ୍ରତିକ୍ରିୟା ରଖିଛନ୍ତି ହିମାଂଶୁ ଶେଖର ସାହୁ । ଦଳମତ ନିର୍ବିଶେଷରେ ଜଣେ ବିଧାୟକଙ୍କୁ ମାଡ଼ ହେବା ସମ୍ବେଦନଶୀଳ ଘଟଣା । ସମ୍ବେଦନ ପ୍ରକାଶ ନ କରି ଓଲଟା ପାଲଟା କହିବା ଲଜ୍ଜାଜନକ ବୋଲି କହିଛନ୍ତି ହିମାଂଶୁ ସାହୁ ।
ବିଧାୟକ ହିମାଂଶୁ ସାହୁ କହିଛନ୍ତି, ଜିଲ୍ଲାପାଳ ଏବଂ ଡିଡିଏମ କାର୍ଯ୍ୟାଳୟ ରାତି ୭ଟାରେ ଖୋଲ ରୁହେଁ କି ନାହିଁ ବିଧାୟିକା ଜାଣିଛନ୍ତି । କିନ୍ତୁ ଜଣେ ୨୫ ବର୍ଷର ନେତ୍ରୀ ହୋଇ ପ୍ରମିଳା ମଲ୍ଲିକ ଏଭଳି କଥା କହିବା ଲଜ୍ଜାଜନକ କଥା । ଜଣେ ସାଧାରଣ ଲୋକଙ୍କୁ ଆକ୍ରମଣ କଲେ ଆଇନର ଆଶ୍ରୟ ନେବା ଉଚିତ । ମୁଁ ଆଇନର ଆଶ୍ରୟ ନେଇଛି । ୩୦୦ ମିଟର ଦୂରରୁ ତାଙ୍କ କର୍ମୀ ହୋହଲ୍ଲା କଲେ, ତାଙ୍କ ନେତାଙ୍କ ନାଁ ଧରି ମୋତେ ବାଡ଼େଇଲେ । ବିଜେଡି ଏଇ ଶିକ୍ଷା ଦେଇଛି । ବିଧାୟିକା ନିଜର ଭାରସାମ୍ୟ ହରାଇ ବସିଲେଣି । ସାଧାରଣ ଜନତା ଜାଗି ଉଠିଲେଣି, ସେମାନେ ମତ ଦେଲେ । ୨୫ ବର୍ଷ ହେଲାଣି ଡୋମିନେଟ୍ କରି ରଖିଥିଲେ, ହାରିଲା ପରେ ହିଂସ୍ର ହୋଇ ପଡ଼ିଛନ୍ତି ବୋଲି କହିଛନ୍ତି ହିମାଂଶୁ ।
ଅନ୍ୟପକ୍ଷରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିଜେପି ନେତା ଗୌତମ ରାଏ ସମ୍ବାଦିକ ସମ୍ମିଳନୀ କରି ବିରଜାଙ୍କ ନାଁରେ ରାଜନୀତି ନ କରିବାକୁ ଅନୁରୋଧ କରିଛନ୍ତି । ବିନା ସୂଚନାରେ କାହିଁକି ସେଦିନ ରାସ୍ତାରୋକ କରିଥିଲେ, ଏହା କଣ ଗଣତନ୍ତ୍ର ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଗାଡ଼ି ଭିତରେ ମାର୍ପିଟ୍, ପିଏସ୍ଓଙ୍କୁ ଆକ୍ରମଣ ଓ ଚେନ୍ ଛିଡ଼ାଇବା କଣ ଗଣତନ୍ତ୍ର । ସେମାନଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ଅନେକ ଫରକ ଅଛି । ୨୪ ବର୍ଷର ଶାସନରେ ଯାଜପୁରରେ ଅରାଜକତା ସୃଷ୍ଟି କରିଛନ୍ତି ।
ପ୍ରମିଳା ମଲ୍ଲିକ କହିଥିଲେ ଯେ ପୁଲିସ ରାଜ୍ୟ ସରକାରଙ୍କ ବୋଲକରା ସାଜିଛି । ବିଧାୟକଙ୍କୁ କୌଣସି ଆକ୍ରମଣ କରାଯାଇ ନାହିଁ । ବିଧାୟକ ହିମାଂଶୁ ସାହୁ ନାଟକ କରୁଛନ୍ତି । ରାତିରେ କୌଣସି ସରକାରୀ କାର୍ଯ୍ୟାଳୟ ଖୋଲା ରହୁ ନ ଥିବାବେଳେ ସେ କାହିଁକି ଯାଇଥିଲେ ବୋଲି ପ୍ରମିଳା ପ୍ରଶ୍ନ କରିଥିଲେ ।