ପୁରୀ: ପବିତ୍ର କାର୍ତ୍ତିକ ମାସରେ ବଡ଼ ଠାକୁର ପ୍ରଭୁ ଶ୍ରୀ ବଳଭଦ୍ର ହରିହର ବେଶରେ ଦର୍ଶନ ଦେବେ । ଅବକାଶ ନୀତି ପରେ ବଡ଼ ଠାକୁର ହରିହର ବେଶରେ ସଜ୍ଜିତ ହୋଇଛନ୍ତି । ସେପଟେ କାଳିଆ ସାଆନ୍ତ ଏବଂ ଭଉଣୀ ସୁଭଦ୍ରା ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ନାହିଁ ନ ଥିବା ଭିଡ଼ ଜମିଛି ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହୋଇଥାଏ । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯିବ । ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶ କରାଇବେ । ଅବକାଶଠାରୁ ବାଳଧୂପ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ବଳଭଦ୍ରଙ୍କୁ ଏହି ସ୍ୱତନ୍ତ୍ର ବେଶ କରାଯାଏ । ଏହି ବେଶରେ ବଳଭଦ୍ରଙ୍କ ଶ୍ରୀଅଙ୍ଗକୁ ଅଧା କଳା ଓ ଅଧା ଧଳା ବର୍ଣ୍ଣର ବସ୍ତ୍ରରେ ମଣ୍ଡିତ କରାଯାଏ । ହରି ଅର୍ଥାତ ଶ୍ରୀକୃଷ୍ଣଙ୍କର ରଙ୍ଗ କଳା ହୋଇଥିବାରୁ ଅଧା କଳା ବର୍ଣ୍ଣର ବସ୍ତ୍ର ଏବଂ ହର ଅର୍ଥାତ ଶିବଙ୍କର ରଙ୍ଗ ଧବଳ ହୋଇଥିବାରୁ ଅଧା ଧଳା ରଙ୍ଗର ବସ୍ତ୍ର ପରିଧାନ କରିବେ ମହାପ୍ରଭୁ । ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ ବଡ଼ଠାକୁର ।
ଅନ୍ୟପକ୍ଷରେ ମହାବାହୁ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।