ବୌଦ୍ଧ: ମଦ୍ୟପ ଶିକ୍ଷକଙ୍କ ନିଶା ଛଡ଼େଇ ଦେଲା ଶିକ୍ଷା ବିଭାଗ । ବିଦ୍ୟାଳୟକୁ ମଦ୍ୟପାନ କରି ଆସିବା ଶିକ୍ଷକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଝାରଖମଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରମଣି ମଲ୍ଲିକଙ୍କ ଦରମା ବନ୍ଦ କରିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା । ଗୋଟିଏ ଦିନର ଦରମା ବନ୍ଦ କରିବା ସହିତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଗତ ୨୭ ତାରିଖରେ କର୍ତ୍ତବ୍ୟରେ ଅବହେଳା କାରଣରୁ ୧୦ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା ବନ୍ଦ କରିଥିଲେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ । ଏଥିରେ ସୁରମଣି ମଲ୍ଲିକଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତଦନ୍ତ ବେଳେ ସୁରମଣି ମଲ୍ଲିକ ବିଦ୍ୟାଳୟକୁ ମଦ୍ୟପାନ କରିବା ଆସିବା, ସମୟରେ ନ ଆସିବା, ପାଠ ପଢ଼ା ବେଳେ ମୋବାଇଲ ଦେଖିବା ଭଳି ଆଭିଯୋଗ ସାମ୍ନାକୁ ଆସିଥିଲା । ଏପରିକି ପ୍ରଧାନ ଶିକ୍ଷକଙ୍କୁ ନ ଜଣାଇ ବାରମ୍ବାର ଅନୁପସ୍ଥିତ ରହୁଥିବା ତଦନ୍ତରୁ ଜଣାପଡ଼ିଥିଲା । ଯାହାକୁ ନେଇ ବିଇଓ ଖପ୍ପା ହୋଇଥିଲେ । ପ୍ରଥମେ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି ହୋଇଥିଲା । ତାହାର ମଧ୍ୟ ଉତ୍ତର ରଖିନଥିଲେ । ଏଭଳି ଅମନିଆ ଶିକ୍ଷକଙ୍କୁ ଶିକ୍ଷା ଦେବାକୁ ଗୋଟିଏ ଦିନର ଦରମା ବନ୍ଦ ସହ ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ହୋଇଛି । ୩୦ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ବିଇଓ ନିର୍ଦ୍ଦେଶ ଦେଇଛନ୍ତି ।