ନିହାରିକା ମର୍ଡର୍ ମିଷ୍ଟ୍ରୀ: ପୁଅକୁ ନିର୍ଦ୍ଦୋଷ କହିଲେ ମାଁ, ସେପଟେ ପୋଲିସ କହିଲା କଟକରେ ହୋଇଛି ହତ୍ୟା, ରହିଛି ସିସିଟିଭି ଫୁଟେଜ
Khabar Odisha:crime-odisha-state-niharika-cuttack-murder-mystery-the-reaction-of-raja-mother-and-police
କଟକ, ସେପ୍ଟେମ୍ବର ୨୧(ଖବର ଓଡିଶା):

କଟକ ନର୍ସ ନିହାରିକା ପାତ୍ର ହତ୍ୟା ମାମଲା ନୂଆ ମୋଡ ନେଇଛି । ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଓରଫ ରାଜା ଗିରଫ ହେବା ପରେ ପୁଅକୁ ଫସାଇ ଦିଆଯାଇଥିବା ତାଙ୍କ ମା କହିଛନ୍ତି । ଏପରିକି ରାଜା ନିହାରିକାଙ୍କୁ ବହୁତ ଭଲ ପାଉଥିବା ସେ କହିଛନ୍ତି । କିନ୍ତୁ ସେପଟେ ପୋଲିସ ମୁଖ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି । କଟକରେ ନିହାରିକାଙ୍କୁ ମର୍ଡର କରାଯାଇଛି । ଏଠାରୁ ଅଖାରେ ତାଙ୍କୁ ବାଇକ ଯୋଗେ ଜଗତସିଂପୁର ନିଆଯାଇଥିବା ପୋଲିସ କହିଛି ।

ରାଜା ପୋଲିସ ହାତରେ ଧରା ପଡିବା ପରେ ତାଙ୍କ ମା ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ମା କହିଛନ୍ତି ଯେ, ରାଜା ସହ ନିହାରିକାଙ୍କ ବିବାହ ସ୍ଥିର ହୋଇଥିଲା । କିନ୍ତୁ ଝିଅର ମା ଏଥିପାଇଁ ରାଜି ନଥିଲେ । ଡିସେମ୍ବରରେ ବାହାଘର ହୋଇଥାନ୍ତା । ଏଥିପାଇଁ ଝିଅର ମା ସହ କଥା ହୋଇଥିଲି ଓ ବୁଝାଇଥିଲି । ରାଜା ନିହାରିକାଙ୍କୁ ଖୁବ ଭଲ ପାଉଥିଲେ । ସେ କେବେବି ଏପରି କରିବନି । ଏହି ହତ୍ୟାକାଣ୍ଡରେ ସେ ସଂପୃକ୍ତ ନାହିଁ । ତା ମୁଣ୍ଡରେ ଅଠା ବୋଳାଯାଉଛି । ସେ ଗତ କିଛିଦିନ ହେଲା ଘରକୁ ଆସି ନଥିଲା । ସେ ଆସିବା ପରେ ତାକୁ ପୋଲିସ ପାଖକୁ ନେଇଥିଲି । ପୋଲିସ ତାକୁ ଗାଡିରେ ବସାଇ କୁଆଡେ ନେଇଥିବା ସେ କହିଛନ୍ତି ।

ସେପଟେ ଆଜି ପୋଲିସ ନିହାରିକା ହତ୍ୟା ମାମଲାରେ ବଡ ଖୁଲାସା କରିଛି । ନିହାରିକାଙ୍କୁ କଟକରେ ହତ୍ୟା କରାଯାଇଛି । ଏହାର ସିସିଟିଭି ଫୁଟେଜ ଅଛି । କଟକରେ ହତ୍ୟା କରାଯାଇ ଯୋଜନାବଦ୍ଧ ଭାବେ ବାଇକରେ ଜଗତସିଂପୁର ନିଆଯାଇଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ, ଗତ ୧୬  ତାରିଖରେ ଜଗତସିଂପୁର ବିଲୁଆଖାଇ ନଇପଠାରୁ ଜଣେ ଯୁବତୀଙ୍କ ମୃତଦେହ ଏକ ଅଖାରୁ ଉଦ୍ଧାର କରାଯାଇଥିଲା । ପରେ ଏହା କଟକର ଜଣେ ନର୍ସ ନିହାରିକା ପାତ୍ରଙ୍କର ବୋଲି ଜଣାପଡିଥିଲା । ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଥିଲା । ଏହାସହ ପୋଲିସ ତାଙ୍କ ପୁରୁଷ ବନ୍ଧୁ କିଶୋରଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲା । ତେବେ ଗତକାଲି କିଶୋର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

  • Tags:

Subscribe

National International State Sports Entertainment