ବାଲେଶ୍ବର: ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଉଦ୍ୟମ ଓ ପରେ ମୃତ୍ୟୁ ଘଟଣାକୁ ନେଇ ସବୁଠି ଅସନ୍ତୋଷ ପ୍ରକାଶ ପାଉଛି । ଏହି ଘଟଣାର ତନାଘନା ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ଏନେଇ ଘଟଣାର ତଦନ୍ତ ପାଇଁ କଲେଜ ପରିସରରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଞ୍ଚିଛନ୍ତି । କ୍ରାଇମବ୍ରାଞ୍ଚ ଡିଜି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା କରାଯାଉଥିବା ସୂଚନା ମିଳିଛି । ଚତୁର୍ଥ ଦିନରେ କ୍ରାଇମ୍ବ୍ରାଞ୍ଚ ଟିମ୍ର ଖୋଳତାଡ଼ ଜାରି କରିବା ସହିତ ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା କରୁଛି ।
ସୂଚନା ଯୋଗ୍ୟ, ଗତ ୧୫ ତାରିଖରେ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟରେ ଆତ୍ମାହୁତି ଉଦ୍ୟମ କରିଥିବା ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ତନାଘନା ଯାଞ୍ଚ ଆରମ୍ଭ ହୋଇଥିଲା । କ୍ରାଇମବ୍ରାଞ୍ଚ ଟିମ୍, ଉଚ୍ଚ ଶିକ୍ଷା ବିଭାଗର ତିନି ଜଣିଆ ଟିମ୍ ସହ ଦିଲ୍ଲୀରୁ ୟୁଜିସିର ଚାରି ଜଣିଆ ଟିମ୍ କଲେଜ ପରିସରରେ ତଦନ୍ତ ଜାରି କରିଥିଲେ । ଏହି ତଦନ୍ତରେ ୧୨ ଜଣ ପୂର୍ବତନ ଛାତ୍ର, ୮ ଜଣ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା । କଲେଜରେ ଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ଏ ବିଷୟରେ ଆଲୋଚନା କରାଯାଇଥିଲା । କିଭଳି ଓ କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରୁଥିଲେ ତାର ସତ୍ୟାସତ୍ୟ ତଦନ୍ତ ପରେ ସାମ୍ନାକୁ ଆସିବ ।