ବାଲେଶ୍ୱର: ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାରେ କ୍ରାଇମ୍ବ୍ରାଞ୍ଚର ଟିମ୍ ତଦନ୍ତ ଜାରି ରଖିଛି। ଏନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଘଟଣାର ତଦନ୍ତ ପାଇଁ କଲେଜ ପରିସରରେ ପହଞ୍ଚିଥିଲେ । ଉକ୍ତ ତଦନ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ଡିଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, " ବହୁତ ପ୍ରମାଣ ଯୋଗାଡ଼ କରିଛୁ, ଏବେ ବି ତଦନ୍ତ ଜାରି ରହିଛି । ତଦନ୍ତରେ ବହୁ ଲିଡ୍ ମିଳି ସାରିଛି । ପୂର୍ବରୁ ଯେଉଁମାନେ ଯାହା ମତ ଦେଇଥିଲେ, ଏବେ ତାହା ବଦଳୁଛି । ଜବତ ସିସିଟିଭି ଷ୍ଟେଟ୍ ଫୋରେନସିକ୍ ଲ୍ୟାବ୍କୁ ପଠାଯିବ । ପ୍ରତ୍ୟକ୍ଷଦର୍ଶୀ ଓ କମିଟି ସଦସ୍ୟଙ୍କୁ ପଚରାଉଚରା ଜାରି ରହିଛି । ଡିଜିଟାଲ୍ ପ୍ରମାଣକୁ ନେଇ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିବୁ । ଘଟଣାର ସଠିକ ତଦନ୍ତ ହେବ । ପୀଡ଼ିତାଙ୍କୁ ନ୍ୟାୟ ମିଳିବ। ସାକ୍ଷୀମାନଙ୍କର ବୟାନ ରେକର୍ଡ କରାଯାଇଛି । ବର୍ତ୍ତମାନ ତଦନ୍ତର ରିପୋର୍ଟ ଯାହା ଅଛି, ସେନେଇ କୁହାଯାଇପାରିବ ନାହିଁ। ମାତ୍ର ସମୟ ଆସିଲେ ସବୁ କୁହାଯିବ।
ସୂଚନା ଯୋଗ୍ୟ, ଗତ ୧୨ ତାରିଖ (ଶନିବାର) ଫକୀର ମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।ପ୍ରଥମେ ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳଙ୍କ ସହ ପରାମର୍ଶ କରି ଚିକିତ୍ସା କରାଯାଉଥିଲା। ଉକ୍ତ ଘଟଣାରେ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରାଯାଇଥିଲା । ଗତ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସବୁଠି ଚାଞ୍ଚଲ୍ୟ ଖେଳାଇଦେଇଛି । ଏହି ଘଟଣାର ତଦନ୍ତ ଜାରି ରହିଛି ।