ପୁରୀ: ବହୁଚର୍ଚ୍ଚିତ ଚନ୍ଦନପୁର ରାଧାକାନ୍ତ ଜୁଏଲାରୀ ମାଲିକ ସଞ୍ଜୟ କୁମାର ଦାସଙ୍କଠାରୁ ଗହଣା ଲୁଟ୍ ହେବା ଘଟଣାରେ ପୋଲିସ ବଡ଼ ସଫଳତା ପାଇଛି । “ଅପରେସନ୍ ହ୍ୱାଇଟ୍ ମେଟାଲ୍” ଜରିଆରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ଗହଣା ଦୋକାନୀ ଏବଂ ହୋଟେଲ୍ କର୍ମଚାରୀ ସାମିଲ ଅଛନ୍ତି । ଅଭିଯୁକ୍ତମାନେ ହେଲେ ଗହଣା ଦୋକାନୀ ଟୁକୁ ନାୟକ, ହୋଟେଲ୍ କର୍ମଚାରୀ ପ୍ରଶାନ୍ତ ପ୍ରଧାନ ଓରଫ୍ ବାପି, ଏମ୍ ଗୌତମ ଏବଂ ଶୁଭ୍ରଜିତ ମହାନ୍ତି ।
ସେମାନଙ୍କ ନିକଟରୁ ୭୮ ଲକ୍ଷ ୯୬ ହଜାର ଟଙ୍କାର ସୁନା ଓ ନଗଦ ଟଙ୍କା ଜବତ ହୋଇଛି । ସେଥିରେ ରହିଛି ୧୩୨ ଗ୍ରାମ୍ର ୮ଟି ସୁନା ନେକଲେସ୍, ୩୧ କେଜି ରୁପା ଅଳଙ୍କାର ଓ ନଗଦ ୬ ଲକ୍ଷ ଟଙ୍କା ରହିଛି । ଏହା ସହିତ ଗୋଟିଏ କାର୍, ଗୋଟିଏ ବାଇକ୍ ଜବତ, ୬ଟି ମୋବାଇଲ୍ ଓ ଗୋଟିଏ ବନ୍ଧୁକ ସହ ୨ଟି ଅଫୁଟା ଗୁଳି ଜବତ କରାଯାଇଛି । ଏ ନେଇ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ୍ ନାୟକ ଓ ପୁରୀ ଏସପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଆରମ୍ଭ କରିଥିଲା “ଅପରେସନ୍ ହ୍ୱାଇଟ୍ ମେଟାଲ୍” । ଏଥିପାଇଁ ଗଠନ ହୋଇଥିଲା ଦୁଇଟି ଟିମ୍ । ପୁରୀ ଠାରୁ ନେଇ ଆନ୍ଧ୍ର ପ୍ରଦେଶ ଯାଏଁ ପୋଲିସ ଖୋଳତାଡ଼ କରିଥିଲା । ପରେ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା ଏଥିରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ସାମିଲ ଥିଲେ । ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲା ଦୋକାନ ମାଲିକଙ୍କ ସାନ ଭାଇର ସାଙ୍ଗ ଟୁକୁନା । ସେ ଗୋଟିଏ ସୁନା ଦୋକାନ ମଧ୍ୟ କରିଛି । ମାଲିକଙ୍କ ସାନ ଭାଇ ସହିତ ଟୁକୁର ବହୁତ ଭଲ ସମ୍ପର୍କ ଥିଲା । ସେ ଲୁଟ୍ ପାଇଁ ଯୋଜନା କରିଥିଲା । ଏ ନେଇ ହୋଟେଲ କର୍ମଚାରୀ ପ୍ରଶାନ୍ତ ପ୍ରଧାନ ଓରଫ୍ ବାପିକୁ କହିଥିଲା । ବାପି ଅନ୍ୟ ଲୁଟେରା ମାନଙ୍କୁ ଜଣାଇବା ପରେ ଲୁଟ୍ ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ପ୍ରଥମେ ସପ୍ତାହ ପୂର୍ବରୁ ରେକି କରିଥିଲେ । ଏହା ପରେ ଘଟଣାକୁ ରୂପ ଦେଇଥିଲେ । ଏଥିରେ ସବୁ ତଥ୍ୟ ଯୋଗାଉଥିଲା ଟୁକୁନା । ଏହି ମାମଲାରେ ଆହୁରି କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ପୋଲିସ ଅନୁମାନ କରିଛି ।
ଗତ ୨୦ ତାରିଖରେ, ଚନ୍ଦନପୁର ଥାନା ଅନ୍ତର୍ଗତ ସମଜାଦପୁର ପୋଲ ଉପରୁ ରାଧାକାନ୍ତ ଜୁଏଲାରୀ ମାଲିକ ସଞ୍ଜୟ କୁମାର ଦାସଙ୍କଠାରୁ ନଗଦ ଟଙ୍କା ଓ ଗହଣା ଲୁଟ୍ ହୋଇଥିଲା । ସଞ୍ଜୟଙ୍କ ସହିତ ଶଳା ଏବଂ ସାନ ଭାଇ ଟଙ୍କା ଏବଂ ଗହଣା ନେଇ ଭୁବନେଶ୍ୱରରେ ନେଇ ଯାଉଥିବାବେଳେ ତିନୋଟି ବାଇକରେ ଲୁଟେରାମାନେ ଆସି ଲୁଟ୍ କରିଥିଲେ ।