ଭୁବନେଶ୍ୱର: ନୂଆପଡ଼ାର ଏସିଡ୍ ଟେଷ୍ଟରେ ସଫଳ ହୋଇଛି ବିଜେପି । ଦଳୀୟ ପ୍ରାର୍ଥୀ ଜୟ ବୃହତ ବିଜୟ ସହିତ ବିଧାୟକ ହେବା ନିଶ୍ଚିତ ହୋଇଯାଇଛି । ଖବର ଲେଖାଯିବା ବେଳକୁ ଜୟଙ୍କ ଭୋଟ୍ ଏକ ଲକ୍ଷ ଟପି ସାରିଥିଲା ।
ବିଜେପି କାର୍ଯ୍ୟାଳୟରେ ଡବଲ୍ ଖୁସି ଦେଖିବାକୁ ମିଳିଛି । ଗୋଟିଏ ପଟେ ବିହାର ନିର୍ବାଚନରେ ଏନଡିଏ ବହୁମତ ପାଇଥିବାବେଳେ ନୂଆପଡ଼ାରେ ସତ୍ତାଧାରୀ ବିଜେପି ପ୍ରଥମ ଉପନିର୍ବାଚନରେ ବିଜୟର ସ୍ୱାଦ ଚାଖିବାକୁ ଯାଉଛି । ଯେଉଁଥିପାଇଁ ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ବାଣ, ବାଜା, ଅଭିରରେ ଖେଳ ସହ ମିଠା ବଣ୍ଟା ଆରମ୍ଭ ହୋଇଗଲାଣି । ନାଚ ଗୀତରେ କମ୍ପୁଛି ବିଜେପି କାର୍ଯ୍ୟାଳୟ ।
ଅନ୍ୟପକ୍ଷରେ ବିଜେଡ଼ି ନୂଆପଡ଼ା ଜିଲ୍ଲା କାର୍ଯ୍ୟାଳୟରେ ତମ୍ବୁ ଟଣା ହୋଇ ଚୌକି ସଜାହୋଇଥିଲେ ମଧ୍ୟ ସେଠି ବସିବାକୁ କାଉ କୋଇଲି ନାହାଁନ୍ତି । ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି କାର୍ଯ୍ୟାଳୟ । କୌଣସି ନେତା କିମ୍ବା କର୍ମୀଙ୍କୁ ଆଉ ଦେଖିବାକୁ ମିଳି ନାହିଁ । ନିର୍ବାଚନ ଦିନ ମଧ୍ୟ ସ୍ନେହାଙ୍ଗିନୀ ଛୁରିଆ ମତଦାନ ଚାଲିଥିବାବେଳେ ଅଧାରୁ ପଳାଇ ଆସିଥିଲେ ।