ଭୁବନେଶ୍ୱର: ନିଜ ଶାସନକାଳ ମଧ୍ୟରେ ସବୁବେଳେ ଉପନିର୍ବାଚନକୁ ନିଜ ସପକ୍ଷରେ ନେଉଥିବା ବିଜେଡ଼ି ବିରୋଧୀ ଦଳରେ ଥାଇ ଆଉ ତାହା କରିପାରିଲେ ନାହିଁ । ନୂଆପଡ଼ା ଉପନିର୍ବାଚନରେ ବିଜେପି ବିଜୟ ଦିଗରେ ଅଗ୍ରସର ହେଉଛି । ଯାହାକୁ ସହଜରେ ଗ୍ରହଣ ପାରିନାହିଁ ବିଜେଡ଼ି । ପରାଜୟ ବରଣ କରିବାକୁ ଯାଉଥିବା ଜାଣିବା ପରେ ଏବେ ସରକାରୀ ଦଳ ଉପରେ ଦୋଷ ଲଦିବା ଆରମ୍ଭ କରିଦେଇଛି ବିରୋଧୀ ଦଳ ବିଜେଡ଼ି ।
ନୂଆପଡ଼ାର ପରାଜୟ ମୁହାଁ ହୋଇଥିବା ବିଜେଡ଼ି ଏବେ ଔଷଧ ବିକଳେ ତାଟିଆ କାମୁଡ଼ୁଥିବାର ପରିଲକ୍ଷିତ ହୋଇଛି । ନୂଆପଡ଼ାର ଦାୟିତ୍ୱ ନେଇଥିବା ବରିଷ୍ଠ ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ନୀରବ ଅବଧିରେ ବିଜେପି ମତଦାତାଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ ଆଣିଛନ୍ତି ଦେବୀ ମିଶ୍ର । ମତ ଗଣତି ମଧ୍ୟରେ ଦେବୀ ଏକ ସାମ୍ବାଦିକ ସମ୍ମିଳନୀ କରି ଅନେକ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ଥିବା ଲୋକଙ୍କ ଭାବନା ନୀରବ ଅବଧି ମଧ୍ୟରେ ପରିବର୍ତ୍ତନ ହୋଇଥିଲା । ନଭେମ୍ବର ୯ ତାରିଖ ଯାଏଁ ସେମାନଙ୍କର ମତ ଥିଲା ତାହା ବଦଳି ଯାଇଥିଲା । ସେହି ସମୟରେ ଆମେ ନିର୍ବାଚନ ମଣ୍ଡଳୀ ଛାଡ଼ି ଆସିଥିବାବେଳେ ସରକାରୀ ଦଳର ସଦସ୍ୟମାନେ ସେଠାରେ ରହିଥିଲେ । ଟ୍ରିପଲ୍ ଇଞ୍ଜିନ ସରକାର ସେଠାରେ ପରିଚାଳନା କଲେ । ଅର୍ଥାତ୍ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସରକାର ପରିଚାଳନା କଲେ । ନୀରବ ଅବଧି ମଧ୍ୟରେ ସେପଟୁ ଛତିଶଗଡ଼ର ନେତା ମାନେ ପ୍ରବେଶ କରି ମତାଦାତାଙ୍କୁ ପ୍ରଭାବିତ କରିଛନ୍ତି ।
ଦେବୀ ମିଶ୍ର ଆହୁରି କହିଛନ୍ତି ଯେ ଯାହା ଫଳାଫଳ ଆସିଛି କଳ୍ପନା ବାହାରେ । ଏହା ଏକ ଏକପାଖିଆ ଫଳାଫଳ। ଏପରିକି ପୋଲିସର ଅପବ୍ୟବହାର ମଧ୍ୟ ସେ ଦାୟୀ କରିଛନ୍ତି । ସମସ୍ତ ନୀରବ ଦ୍ରଷ୍ଟା ସାଜିଥିଲେ ବୋଲି ଦେବୀ ମିଶ୍ର କହିଛନ୍ତି ।
ଖବର ଲେଖାଯିବା ବେଳକୁ ଜୟ ଢୋଲକିଆ ଆଗରେ ରହିଥିବାବେଳେ ସ୍ନେହାଙ୍ଗିନୀ ଦ୍ୱିତୀୟ ଏବଂ ଘାସିରାମ ତୃତୀୟରେ ଥିଲେ । ୧୪ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ୬୮୫୬୪ ଭୋଟ ସହିତ ଆଗରେ ରହିଥିବାବେଳେ ବିଜେଡ଼ି ୨୧୮୫୧ ଏବଂ କଂଗ୍ରେସ ୨୧୪୬୦ ଭୋଟ୍ ପାଇ ପଛରେ ରହିଥିଲା ।
ଅଧିକ ପଢ଼ନ୍ତୁ- ଉପନିର୍ବାଚନକୁ ନେଇ ଘାସିରାମଙ୍କ କ୍ଷୋଭ, କହିଲେ- ନା ଟଙ୍କା ମିଳିଲା, ନା କେନ୍ଦ୍ରୀୟ ସହାୟତା