ଭୁବନେଶ୍ୱର: ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା । ଭୁବନେଶ୍ବର AIIMSରୁ ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ପୀଡ଼ିତା ନାବାଳିକା । ଏନେଇ ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଡାକ୍ତରୀ ଟିମ ସହ ପୀଡ଼ିତାଙ୍କ ପରିବାର ଲୋକଙ୍କ ଆଲୋଚନା ହୋଇସାରିଛି । ଦିଲ୍ଲୀ AIIMS ସହ ଏୟାରଲିଫ୍ଟ ନେଇ ଯୋଗାଯୋଗ ସରିଥିବା ଜଣାପଡିଛି । ଏନେଇ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି । ତେବେ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ରକ୍ତଚାପ ପୂର୍ବଦିନ ଅପେକ୍ଷା ସାମାନ୍ୟ ରହିଛି ଏବଂ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି । ଦିନ ୧୨.୩୦ ସୁଦ୍ଧା ଏୟାରଲିଫ୍ଟ ନେଇ ଆଶୁତୋଷ ବିଶ୍ବାସ ସୂଚନା ଦେଇଥିବା ବେଳେ ପୀଡ଼ିତାଙ୍କ ସହ ପରିବାର ସଦସ୍ୟ ଏବଂ ଦିଲ୍ଲୀ ଏମ୍ସର ଡାକ୍ତରୀଦଳ ମଧ୍ୟ ଯିବେ ।
ସୂଚନା ଅନୁସାରେ, ଗତକାଲି ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ହତ୍ୟା ପାଇଁ ଉଦ୍ୟମ କରିଥିଲେ । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପୀଡିତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପୀଡିତାଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଛି । ୪୮ ଘଣ୍ଟା ପୀଡ଼ିତାଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ତେଣୁ ଅଧିକ ଚିକିତ୍ସା ଲାଗି ନାବାଳିକାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯିବ । ଏନେଇ ଭୁବନେଶ୍ୱର ଏମ୍ସ ଏବଂ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ଙ୍କ ମଧ୍ୟରେ ଆଲୋଚନା ସାରିଥିବା ବେଳେ ଆଉ ୨ ରୁ ୩ ଘଣ୍ଟା ମଧ୍ୟରେ ବଳଙ୍ଗୀ ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯିବ ବୋଲି ସୂଚନା ରହିଛି ।