ପୁରୀ: ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାଗୁରୁତର ରହିଥିବା ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ । ସେପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କର ବୟାନ ରେକର୍ଡ କରାଯାଇଛି ।
ଏମ୍ସ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ସୂଚନା ମୁତାବକ, ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ସେ ବର୍ତ୍ତମାନ ଆଇସିୟୁରେ ଅକ୍ସିଜେନ ସପୋର୍ଟରେ ଚିକିତ୍ସାଧୀନ ଅଛନ୍ତି । ଆଗାମୀ ୪୮ ଘଣ୍ଟା ତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ୪୮ ଘଣ୍ଟା ପରେ କିଛି କହିହେବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ । ପୀଡ଼ିତାଙ୍କ ଶରୀର ପ୍ରାୟ ୭୫ ପ୍ରତିଶତ ପୋଡ଼ି ଯାଇଥିବାବେଳେ ସେକେଣ୍ଡ ଏବଂ ଥାର୍ଡ ଡିଗ୍ରୀ ବର୍ଣ୍ଣ କାଟାଗୋରୀରେ ଆସୁଛି । ପୀଡ଼ିତା ଜଣକ କଥାବାର୍ତ୍ତା କରୁଥିବାବେଳେ ସେ ମାନସିକ ଅବସାଦରେ ଥିବା ଜଣାପଡ଼ିଛି ।
ବର୍ଣ୍ଣ ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ସଞ୍ଜୟ ଗିରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ 14 ଜଣିଆ ଡାକ୍ତରୀ ଟିମ ପୀଡ଼ିତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ପ୍ରଫେସର ଅନୁପମ ଦେ, ପ୍ରଫେସର ମନୋଜ ପାଣିଗ୍ରାହୀ, ଡ. ଦେବାଶିଷ ଆଚାର୍ଯ୍ୟ, ଡ. ଆଲୋକ ସାହୁ, ଡ. ରିତେଶ ପଣ୍ଡା, ଡ. ସିନ୍ଧୁ ସୁଧା ସାହୁ, ଡ. ସୁବର୍ଣ୍ଣ ମିତ୍ର, ଡ. ପ୍ରୀତି ମୀନା, ଡ. ତରୁଣ କୁମାର ପାତ୍ର, ଡ. ଶ୍ୟାମସୁନ୍ଦର ବେହେରା, ଡ. ଦେବଶ୍ରୀ ଦାସ, ଡ. ମହାଲିଙ୍ଗମ୍ ଓ ପ୍ରିୟଦର୍ଶିନୀ ସାହୁ ଅଛନ୍ତି।
ଅନ୍ୟପକ୍ଷରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ବୟାନ ଆଧାରରେ ତଦନ୍ତ ଆରମ୍ଭ ହୋଇଛି । ସେପଟେ ପୁରୀ ପୋଲିସ ସମ୍ପୃକ୍ତ ଅଞ୍ଚଳରେ ଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ।
ଥାନା ଅଞ୍ଚଳରେ ନାବାଳିକାକୁ ଜାଳି ଦେବା ଘଟଣାରେ ପୋଲିସର ସ୍ପେଶାଲ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି । ଖୋଦ୍ ଏସପି ପିନାକ ମିଶ୍ର ଓ ଅତିରିକ୍ତ ଏସପି ଦେବାଶିଷ ମିଶ୍ର ଘଟଣା ସ୍ଥଳରେ ପହଁଚିଛନ୍ତି । ସ୍ଥାନୀୟ ଲୋକ, ଉଦ୍ଧାର କରିଥିବା ଲୋକଙ୍କୁ ପୋଲିସ ପଚରା ଉଚରା କରିଛି । ନାବାଳିକା ଜଣକ ଅଧାରୁ ପାଠ ପଢ଼ା ଛାଡ଼ିଥିଲେ । ତେବେ ଘଟଣାରେ ଏପର୍ଯ୍ୟନ୍ତ ଦୋଷୀଙ୍କୁ ଚିହ୍ନଟ କରାଯାଇ ନାହିଁ । ତଦନ୍ତ ବିଷୟରେ ଅଧିକ ସୂଚନା ଦେବାକୁ ଏସପି ମନା କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନୂଆଗୋପାଳପୁର ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା କୌଣସି କାମରେ ଯାଇ ଘରକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ମୁହଁରେ କପଡ଼ା ଦେଇ ଉଠାଇ ନେଇଥିଲେ । ନିକଟସ୍ଥ ଭାର୍ଗବୀ ନଦୀବନ୍ଧ ହରିପୁର-ବଳଙ୍ଗା ରାସ୍ତା ଉପରେ ନାବାଳିକାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଝିଅଟି ଜୀବନ ବିକଳରେ ଏଣେ ତେଣେ ଧାଇଁବାକୁ ଆରମ୍ଭ କରିଥିଲା । ଦୁଃଖୀଶ୍ୟାମ ସେନାପତୀ ନାମକ ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ପଡ଼ି ବଞ୍ଚାଇବାକୁ ଗୁହାରୀ କରିଥିଲେ । ଏହା ପରେ ଉକ୍ତ ଘରର ଲୋକେ ଏବଂ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ ।