ପୁରୀ: ଗତକାଲି ବଳଙ୍ଗା ଅଞ୍ଚଳରେ ତିନି ଜଣ ଦୁର୍ବୃତ୍ତ ଜଣେ ନାବାଳିକାକୁ ପୋଡି ଦେଇଥିଲେ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ମେଡିକାଲ ଓ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ଉତ୍ତମ ଚିକିତ୍ସା ପାଇଁ ନାବାଳିକାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଭୁବନେଶ୍ୱର ଏମ୍ସ ଏବଂ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ଦିଲ୍ଲୀ ଏମ୍ସରେ ପୀଡିତ ଜଣକ ଅପରାହ୍ନ ୪:୨୦ରେ ପହଞ୍ଚିଥିଲେ । ପୀଡିତଙ୍କ ଶରୀରର ୭୫% ପୋଡ଼ିଯାଇଛି । ତାଙ୍କୁ ବର୍ତ୍ତମାନ ବର୍ନସ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ ବ୍ଲକରେ ବର୍ନ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି । ସେ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି। ଏକ ଡାକ୍ତରୀ ଟିମ ତାଙ୍କ ଅବସ୍ଥା ଉପରେ କଡ଼ା ନଜର ରଖିଛନ୍ତି। ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି ।